ପାଟ ଶାଢୀରେ କଳା ସଂସ୍କୃତିର ଝଲକ୍ । ଲୋକଙ୍କ ଆଦୃତି ଲାଭ କରୁଛି ପଟ୍ଟଚିତ୍ର ଶାଢୀ ।

193

କନକ ବ୍ୟୁରୋ: ରାଜଧାନୀରେ ତିଆରି ହେଉଛି ପଟ୍ଟଚିତ୍ର ଶାଢୀ । ପାଟ ଶାଢୀରେ ପଟ୍ଟଚିତ୍ର କଳାକୃତି । କାଞ୍ଚି ଅଭିଯାନ, ମଥୁରା ବିଜୟ, ରାସ, ସଖୀ ନୃତ୍ୟ, ଗ୍ରାମୀଣ ସମାଜର ପଟ୍ଟଚିତ୍ରକୁ ଶାଢୀରେ ଆଙ୍କୁଛନ୍ତି କଳାକାର । ପାରମ୍ପରିକ କଳା ସଂସ୍କୃତିକୁ ଶାଢୀରେ ଚିତ୍ର କରି ବେଶ ପ୍ରଶଂସା ସାଉଁଟୁଛନ୍ତି ଯୁବ ଉଦ୍ୟୋଗୀ । ଏଭଳି ନିଆରା ପ୍ରୟାସ ଆରମ୍ଭ କରିଛନ୍ତି ଓଡ଼ିଆ ପୁଅ ମ୍ରିନାଲ ସେନାପତି । ବିଟେକ୍ ପାସ କରିବା ପରେ କିଛି ବ୍ୟବସାୟ କରିବାକୁ ଚିନ୍ତା କରିଥିଲେ ମ୍ରିଣାଲ । ଆଉ ଏବେ ନିଜର ପଟ୍ଟଚିତ୍ର କଳାକୁ ନିଜର ବିଜିନେସ ଭାବେ ସେ ଗଢିତୋଳିଛନ୍ତି । ପ୍ରଥମେ ବିଭିନ୍ନ ପଟ୍ଟଚିତ୍ରରେ ଘରକରଣା ଉପକରଣ ବନଉଥିଲେ । ଏଥିପ୍ରତି ଲୋକେ ଆକୃଷ୍ଠ ହେଉଥିବା ଦେଖି ପଟ୍ଟଚିତ୍ର ଶାଢୀ ପ୍ରସ୍ତୁତ କରୁଛନ୍ତି ମ୍ରିନାଲ ।

ପଟ୍ଟଚିତ୍ର ଶାଢୀ ପ୍ରସ୍ତୁତିରେ ଲାଗିଛନ୍ତି ପାଖାପାଖି ୭ରୁ ୧୦ ଜଣ ଯୁବକ ଯୁବତୀ । ଏହାର ମୁଲ୍ୟ ପାଖାପାଖି ୨୪ ଶହ ଟଙ୍କାରୁ ଆରମ୍ଭ ହୋଇ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଏହାକୁ ପ୍ରସ୍ତୁତ କରିବା ସମୟ ସାପେକ୍ଷ ହୋଇଥିବା ବେଳେ ଶାଢୀର ଚିତ୍ର ଆନୁସାରେ ସମୟ ନେଇଥାଆନ୍ତି କାରିଗର । ପ୍ରଥମେ ପାଟ ଶାଢୀରେ ପଟ୍ଟଚିତ୍ରର ସ୍କେଚ୍ ତିଆରି କରାଯାଏ । ଆଉ ଏହାପରେ ସେଥିରେ ବିଭିନ୍ନ ରଙ୍ଗ ଭରାଯାଏ । ଓଡ଼ିଶା, ପଶ୍ଚିମବଙ୍ଗ, ପଂଜାବ, ହରିୟାଣା, ଦିଲ୍ଲୀ ଓ ବମ୍ବେରେ ଏହି ଶାଢୀର ଏବେ ବେଶ ଚାହିଦା ରହିଛି । ଆଗାମୀ ଦିନରେ ଏହାକୁ ବ୍ୟାପକ କରିବାକୁ ଯୋଜନା ରଖିଛନ୍ତି ଯୁବ ଉଦ୍ୟୋଗୀ ।

ମନ୍ଦିର ଓ ବିଭିନ୍ନ ପୂଜା ପର୍ବାଣୀ ସାଜ ସଜାରେ ଏହି ପଟ୍ଟଚିତ୍ରର ବ୍ୟବହାର କରନ୍ତି ଲୋକେ । କିନ୍ତୁ ଏହାକୁ ଶାଢୀରେ ସଜାଇ ବହୁ ପ୍ରଶଂସା ସାଉଁଟୁଛନ୍ତି ଉଭୟ ବିଶ୍ୱଜିତ୍ ସ୍ୱାଇଁ ଓ ମ୍ରିନାଲ ସ୍ୱାଇଁ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ବେଶ ଚାହିଦା ରହିଥିବା ବେଳେ ଆଗକୁ ବହୁତ ଭଲ ବେପାର ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ଏହି କଳାକୃତି ଜରିଆରେ ଓଡ଼ିଶାର ରୀତିନୀତି, ପରମ୍ପରା, ଇତିହାସ ତଥା କଳା ସଂସ୍କୃତିର ପ୍ରଚାର ପ୍ରସାର ହୋଇପାରିବ ବୋଲି ମତ ପ୍ରକାଶ କରିଛନ୍ତି ଯୁବ ଉଦ୍ୟୋଗୀ ।