ଅଭାବ ଭିତରେ ଝିଅର ସଫଳତା। ମାଟ୍ରିକ ପରୀକ୍ଷାରେ ସ୍କୁଲ ପାଇଁ ଗୌରବ ଆଣିଲେ ପ୍ରମିଳା

198

କନକ ବ୍ୟୁରୋ: ଝିଅ ପ୍ରମିଳା ମୁହଁରେ ଫୁଟି ଉଠୁଥିବା ହସ ଦେଖି ବାପା ନିରଙ୍କ ଛାତି କୁଣ୍ଢେମୋଟ ହୋଇଯାଏ। ଦୁନିଆର ସବୁ ସୁଖ ଯେମିତି ମିଳିଯାଏ। ସବୁ କଷ୍ଟ, ଯନ୍ତ୍ରଣା, ଅସୁବିଧା ଯେମିତି ମିଳେଇଯାଏ । ଝିଅକୁ ଆଗକୁ ବଢ଼ାଇବାକୁ ସେ ଯେମିତି ଦିନରାତି ଏକ କରିଦେଇଛନ୍ତି, ଏବେ ସଫଳତାରେ ମଧ୍ୟ ତାଙ୍କ ପାଦ ମାଟିରେ ଲାଗୁନି ।

ଅନୁଗୁଳ ଜିଲ୍ଲା ତାରଚେର ବ୍ଲକ ମୁଣ୍ଡା ବସ୍ତିର ନିର ମୁଣ୍ଡା, ପତ୍ନୀ ଗୁରୁବାରି ଓ ଝିଅ ପ୍ରମିଳାଙ୍କୁ ନେଇ ପରିବାର । ଗରିବ ପରିବାର ଦିନ ମଜୁରିର କଲେ ଘର ଚଳେ । ହେଲେ ଝିଅର ପାଠପଢ଼ାରେ କେବେ ଅବହେଳା ହେବାକୁ ଦେଇ ନାହାନ୍ତି ନିର । ଆଉ ଯେତେବେଳେ ବଡ଼ ବିପଦ ମାଡ଼ିଆସିଲା, ସେ ସାହସ ହରାଇଲେନି, ବରଂ ସାହସର ସହ ଝିଅ ପ୍ରମିଳାକୁ ସାହସ ଦେଲେ । ତାର ପାଠପଢ଼ା ପାଇଁ ନିଜର ସବୁପ୍ରକାର ବଳ ଖଟାଇଦେଲେ ।

୪ ବର୍ଷ ତଳେ ଏକ ଟ୍ରେନ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇଥିଲେ ପ୍ରମିଳା । ସେତେବେଳେ ସେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲେ । କେମିତି ପାଠପଢ଼ା ଜାରି ରଖିବେ, ଏହାକୁ ନେଇ ଚିନ୍ତା ଘାରିଲା । ହେଲେ ବାପା ନିର ସାହସ ଦେଇ କହିଦେଲେ, ଝିଅ ତୁ ଚିନ୍ତା କରନା, ମୁଁ ଅଛିନା । ସେବେଠାରୁ ସକାଳ ୬ରୁ ଦିନମଜୁରି ସାରି ଝିଅକୁ ପ୍ରତିଦିନ ସ୍କୁଲ ନେଇଯାଆନ୍ତି ନିର, ଝିଅ ପାଠ ପଢ଼େ, ବାପା ସ୍କୁଲ ବାହାରେ ଅପେକ୍ଷା କରନ୍ତି । ଝିଅର ପାଠପଢ଼ା ସରିଲେ, ଉଭୟ ଘରକୁ ଫେରନ୍ତି । ଝିଅ ପ୍ରମିଳା ବି ବାପାଙ୍କ ପରିଶ୍ରମ ଓ ତ୍ୟାଗର ମୂଲ୍ୟ ବୁଝିଛନ୍ତି, ମନଦେଇ ପାଠ ପଢ଼ିଛନ୍ତି । ଆଉ ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ୬ ଶହରୁ ୪୪୬ ମାର୍କ ରଖି ସ୍କୁଲ ଓ ମୁଣ୍ଡା ବସ୍ତି ପାଇଁ ଉଦାହରଣ ପାଲଟିଛନ୍ତି ପ୍ରମିଳା

ଏବେ ପୁରା ପରିବାର ଲାଗିପଡ଼ିଛନ୍ତି, କିପରି ଝିଅ ଆଗକୁ ପଢ଼ିବ, ଆହୁରି ଆଗକୁ ବଢ଼ିବ, ୫ ଜଣରେ ଜଣେ ହୋଇ ସମାଜରେ ଛିଡ଼ା ହେବ । ଆଉ ଏଥିପାଇଁ ଯେତେ କଷ୍ଟ, ଯେତେ ଯନ୍ତ୍ରଣା ଆସିଲେ ବି ସହିଯିବାକୁ ପ୍ରସ୍ତୁତ ଅଛନ୍ତି ନିର ଓ ଗୁରୁବାରି ।