ସ୍କୁଲ୍ ଲିଭିଂ ସାର୍ଟିଫିକେଟ୍ ହଜିଯାଇଥିବାରୁ ୩ବର୍ଷ ହେଲାଣି ଆଡମିଶନ୍ ନେଇପାରୁନାହାନ୍ତି ସ୍ମିତାଲି । ସରକାରୀ ବାବୁ କହୁଛନ୍ତି, ଦେଇହେବନି ଡୁପ୍ଲିକେଟ୍ ସାର୍ଟିଫିକେଟ । କାନ୍ଦି କାନ୍ଦି ଝିଅ ପଚାରୁଛନ୍ତି, ଏବେ ମୁଁ କେମିତି ପଢିବି ପାଠ ?

780

କନକ ବ୍ୟୁରୋ : ଆମେ ବେଟି ବଚାଅ ବେଟି ପଢାଅ ଭଳି ନାରା ଜୋର ଜୋରରେ ଦେଉ, ଝିଅ କେମିତି ପାଠ ପଢିବ ତାକୁ ବଡ ବଡ ପ୍ରସଙ୍ଗ ତିଆରି କରୁ, ଏବଂ ଆମ ସରକାରମାନେ ସବୁବେଳେ ଏହିଭଳି ଅସହାୟ ଝିଅଙ୍କ ସହ ଅଛନ୍ତି ବୋଲି ବାରମ୍ବାର ଆଶ୍ୱାସନା ଦିଅନ୍ତି । କିନ୍ତୁ ଆମେ ଆପଣଙ୍କୁ ଏକ ବାସ୍ତବ କାହାଣୀ କହିବୁ ।

ସ୍କୁଲ ଲିଭିଂ ସାର୍ଟିଫିକେଟ୍ ହଜିଯାଇଥିବାରୁ ୩ବର୍ଷ ହେଲାଣି ଆଡମିଶନ ନେଇପାରୁନାହାନ୍ତି ସ୍ମିତାଲି । ସେପଟେ ସରକାରୀ ବାବୁ କହୁଛନ୍ତି, ଦେଇହେବ ନାହିଁ ଡୁପ୍ଲିକେଟ୍ ସାର୍ଟିଫିକେଟ୍ । ସ୍ମିତାଲି କାନ୍ଦି କାନ୍ଦି ପଚାରୁଛନ୍ତି, ଏବେ ମୁଁ କେମିତି ପଢିବି ପାଠ । ୨୦୧୭ରୁ ମାଟ୍ରିକ ପାସ କରିବା ପରେ ସ୍ମିତାଲି ପ୍ରଧାନ ଆଉ ଯୁକ୍ତ ୨ ଧନ୍ଦାମୂଳକ ଶିକ୍ଷାରେ ଆଡମିଶନ ନେଇପାରୁନାହାନ୍ତି । ଆଜି ବି ତାଙ୍କର ରମାଦେବୀରେ ଆଡମିଶନ ତାରିଖ ଥିଲା । କିନ୍ତୁ କଲେଜ କର୍ତୃପକ୍ଷ ମନାକରିଦେଲେ । କାରଣ ସ୍ମିତାଲିଙ୍କର ସ୍କୁଲ ଲିଭିଂ ସାର୍ଟିଫିକେଟ ହଜିଯାଇଛି । ସେଥିପାଇଁ ୩ବର୍ଷ ହେଲାଣି ସେ ଯୁକ୍ତ ୨ରେ ଆଡମିଶନ ନେଇପାରୁନାହାନ୍ତି । ଆଉ ଆମେ କହୁଛୁ ବେଟି ବଚାଓ ଆଉ ବେଟି ପଢାଓ ।

ସ୍କୁଲ୍ ଲିଭିଂ ସାର୍ଟିଫିକେଟ ହଜିଯିବା ପରେ ସ୍ମିତାଲିଙ୍କ ବାପା ମା’ ଚାରିଆଡେ ବୁଲି ବୁଲି, କ’ଣ ହେଲେ ଆଡମିଶନ ହୋଇପାରିବ ସେକଥା ପଚାରୁଛନ୍ତି । ଆମ ଖୋର୍ଦ୍ଧାର ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କୁ କହିଛନ୍ତି ଏଭଳି ଡୁପ୍ଲିକେଟ ସାର୍ଟିଫିକେଟ ଦେବାର ନିୟମ ନାହିଁ । ଯେଉଁ ଦେଶରେ ଆଉ ରାଜ୍ୟରେ ଡୁପ୍ଲିକେଟ ସାର୍ଟିଫିକେଟ ଇସ୍ୟୁ କରିବାର ନିୟମ ନାହିଁ ସେଠି ବେଟି ପଢାଓ ବେଟି ବଚାଅ ନାରା ଦେବାର ଅଧିକାର ବି ରହିବା କଥା ନୁହେଁ । ସେପଟେ ସ୍ମିତାଲି ପ୍ରଶ୍ନ କରୁଛନ୍ତି, ସେ କଣ ଆଉ ପଢିପାରିବେନି । ବର୍ତମାନ ବଡ ପ୍ରଶ୍ନ ହେଉଛି, ଏହି ପ୍ରଶ୍ନର ଉତ୍ତର ଅନ୍ତତଃ ଗଣଶିକ୍ଷା ବିଭାଗ ଦେବା ଉଚିତ ।