କନକ ବ୍ୟୁରୋ: ଜାଗା ପୋଜେସନ ଦେବା ନାଁରେ ଦଲାଲ ସାଜିଛନ୍ତି ବାଉନସର । ବଟି ନେଇ ଜାଗାକୁ ଜବରଦସ୍ତ କବଜା କରୁଛନ୍ତି ଓ ଜମି ମାଲିକଙ୍କୁ ନାଲିଆଖି ଦେଖାଉଛନ୍ତି । ଏଭଳି ୭ଜଣ ବାଉନ୍ସରଙ୍କୁ ଗିରଫ କରି ଖୋଲା ଦେହରେ ଦୌଡି ବାନ୍ଧି ରାସ୍ତାରେ ଚଲାଇ ଚଲାଇ କୋର୍ଟ ଚାଲାଣ କରିଛି କମିଶନରେଟ ପୁଲିସ । ନୟାପଲ୍ଲୀ ଥାନା ଅଞ୍ଚଳରେ ଏହି ଗ୍ୟାଙ୍ଗର ସଦସ୍ୟ ରାତି ୨ଟାରେ ଶହେରୁ ଦେଢଶହ ପୁରୁଷ ଓ ମହିଳାଙ୍କୁ ନେଇ ଏକ ଜମି ଉପରେ ଥିବା ଦୋକାନକୁ ଭାଙ୍ଗି ଛାରଖାର କରିଦେଇଛନ୍ତି । ଦୋକାନ ମାଲିକ ଓ କାମ କରୁଥିବା ଲୋକଙ୍କଠାରୁ ଫୋନ ଛଡାଇ, ମାରଣାସ୍ତ୍ର ଦେଖାଇ ଜେସିବି ଲଗାଇ ଏହି ବାଉନ୍ସର ଏଭଳି କାମ କରିଛନ୍ତି ।

Advertisment

ନୟାପଲ୍ଲୀ ଅଞ୍ଚଳରେ ଥିବା ଏହି ଜମିର ମାଲିକ ହେଉଛନ୍ତି ୫ ଜଣ । ଜମି ଭାଗବଣ୍ଟାକୁ ନେଇ ହାଇକୋର୍ଟରେ ମାମଲା ଚାଲିଛି । ଜଣେ ଭାଇ ଜମିର କିଛି ଜାଗା ଅନ୍ୟକୁ ବିକ୍ରିଦେଇଛନ୍ତି । ବିକ୍ରି ହୋଇଥିବା ଜାଗାରେ ଦୋକାନ ଘର ଅଛି । ଆଉ ଦୋକାନ ଚାଲୁଥିବାରୁ ଜାଗା କିଣିଥିବା ଲୋକ ଏହାକୁ ନିଜ ଅକ୍ତିଆରକୁ ନେଇପାରୁନାହିଁ, ଯାହାକୁ ନେଇ ବିବାଦ ଉପୁଜିଥିଲା । ଆଉ ଜାଗାକୁ ନିଜ ଦଖଲକୁ ନେବାକୁ ଜମି କିଣିଥିବା ଲୋକ ଏହି ବାଉନ୍ସର ଗ୍ୟାଙ୍ଗକୁ ଯୋଗାଯୋଗ କରିଥିଲେ ।

ପୁଲିସର କହିବା ଅନୁସାରେ, ଜମି ପୋଜେସନ ଦେବା ନାଁରେ ରାଜଧାନୀରେ ସକ୍ରିୟ ହୋଇଛନ୍ତି ୩ରୁ ୪ ଗ୍ୟାଙ୍ଗ । ଏମାନେ ବଟି ନେଇ ଲୋକଙ୍କ ଡରେଇ ଧମକେଇ ଜାଗାର ପୋଜେସନ ନେଉଛନ୍ତି । ବିବାଦୀୟ ଜମି ଉପରେ ଏମାନଙ୍କ ନଜର ରହୁଛି । ଏହି ଦଲାଲଙ୍କ ଭୟରେ ଲୋକେ ଥାନାକୁ ଯିବାକୁ ଡରୁଛନ୍ତି ।

ନୟାପଲ୍ଲୀ ଘଟଣା ପରେ କମିଶନରେଟ ପୁଲିସ ଏକ ଟୋଲ-ଫ୍ରି ନମ୍ବର ଜାରି କରିଛି । ଯଦି କେହି ଏଭଳି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ୭୦୭୭୭୯୮୧୧ରେ ଯୋଗାଯୋଗ କରିବାକୁ କୁହାଯାଇଛି ।