ଆସାମ-ମିଜୋରମ ସୀମା ବିବାଦ :  ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା

86

କନକ ବ୍ୟୁରୋ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓ ମିଜୋରମର ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ସହ ସୀମା ବିବାଦ ନେଇ କଥା ହୋଇଛନ୍ତି । ସୀମା ବିବାଦ ନେଇ ଉଭୟ ରାଜ୍ୟ ମଧ୍ୟରେ ଚାଲିଥିବା କଳିକୁ ଶାନ୍ତ କରିବାକୁ ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏନେଇ ମିଜୋରମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା କହିଛନ୍ତି କି ଫୋନ କଲ ମାଧ୍ୟମରେ ସୀମା ବିବାଦକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଏନେଇ ଜୋରାମଥାଙ୍ଗା ଏକ ଟ୍ୱିଟ୍ କରି କହିଛନ୍ତି କି ଫୋନରେ ଆସାମ ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ହୋଇଥିବା ଆଲୋଚନାରେ ଶାନ୍ତିପୂର୍ଣ୍ଣ ଭାବେ ଏହି ସମସ୍ୟାର ସମାଧାନ କରିବାକୁ ସହମତି ହୋଇଛି । ଅନ୍ୟପଟେ ଜୋରାମଥଙ୍ଗା ରାଜ୍ୟର ଜନସାଧାରଣଙ୍କୁ ହିଂସା ଉଦ୍ରେକକାରୀ ପୋଷ୍ଟ ନକରିବା ସହ ସୋସିଆଲ ମିଡିଆରେ ବିବାଦୀୟ ତଥ୍ୟ ନରଖିବାକୁ ପରାମର୍ଶ ଦେଇଛନ୍ତି ।

କହିରଖୁ କି ଜୁଲାଇ ୨୬ ତାରିଖ ଦିନ ମିଜୋରମର କୋଲାସିବ ଜିଲ୍ଲାର ଭାଏରେଙ୍ଗଟ ସହରରେ ହୋଇଥିବା ହିଂସାରେ ଆସାମର ୬ ପୋଲିସ କର୍ମୀଙ୍କ ସହ ୭ ଜଣ ସାଧାରର ନାଗରିକଙ୍କ ଜୀବନ ଯାଇଥିଲା । ଏଭଳି ଘଟଣା ପରେ କେନ୍ଦ୍ର ସରକାର ୫ ପ୍ଲାଟୁନ୍ କେନ୍ଦ୍ରୀୟ ସୁରକ୍ଷାବଳ ଘଟଣା ସ୍ଥଳରେ ନିୟୋଜିତ କରିଥିଲେ । ଅନ୍ୟପଟେ ମିଜୋରମ ସରକାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ନାମରେ ମାମଲା ଦାୟର କରିଥିଲେ ।

ଏହାରି ମଧ୍ୟରେ ଆସାମ ସରକାର ମିଜୋରମବାସୀଙ୍କୁ ଆସାମ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇ ନଥିଲେ । ଏହା ଏବେ ବି ବଳବତ୍ତର ରହିଛି । ଅଧିକାରୀ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ହିଂସା ପ୍ରଭାବିତ କ୍ଷେତ୍ର ଲୈଲାପୁର ଓ ଏହାର ଆଖପାଖ ଅଞ୍ଚଳରେ ଏବେ ସ୍ଥିତି ଶାନ୍ତ ରହିଛି । ସିଆରପିଏଫ ଯବାନମାନେ ଏବେ ରାଷ୍ଟ୍ରୀୟ ରାଜମାର୍ଗ ୩୦୬ ରେ ନିୟୋଜିତ ଅଛନ୍ତି ।