ଚର୍ଚ୍ଚାରେ ଅବସରପ୍ରାପ୍ତ ଭିଜିଲାନ୍ସ ଏସପି ଉଜ୍ଜ୍ୱଳ କୁମାର ବ୍ରହ୍ମା। ସରକାରୀ କାର୍ଯ୍ୟାଳୟରେ ମାଗଣାରେ କରୁଛନ୍ତି ଜୋତା ପଲିସ୍। ପୁଲିସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଅଭିନବ ପ୍ରୟାସ।

537

କନକ ବ୍ୟୁରୋ: ପୁଲିସ୍ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ । ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକଙ୍କୁ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର, ତ୍ୱରିତ ତଦନ୍ତ ସାଙ୍ଗକୁ ଅଭିଯୋଗକାରୀଙ୍କ ନ୍ୟାୟ ଦେବା ଏହି କାର୍ଯ୍ୟକ୍ରମର ଅଂଶବିଶେଷ । ଏହି କ୍ଷେତ୍ରରେ ସାମନ୍ୟ ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାରେ ଆରକ୍ଷୀ ଅଧୀକ୍ଷକମାନଙ୍କୁ କଡା ଚେତାବନୀ ଦେଇଛନ୍ତି । ହେଲେ ବାସ୍ତବ ଚିତ୍ର କିନ୍ତୁ ପୂରା ଅଲଗା । କାହିଁକି ନା ଅବସରପ୍ରାପ୍ତ ଭିଜିଲାନ୍ସ ଏସପି ଉଜ୍ଜ୍ୱଳା କୁମାର ବ୍ରହ୍ମା ଏଥିରେ ଏକମତ ନୁହନ୍ତି । ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ତ ଦୂରର କଥା ଏବେ ବି ପୁଲିସ ଜନମାନସରେ ଏକ ଆତଙ୍କପ୍ରଦ ଶଦ୍ଦଟିଏ । ନିଜେ ଏହାର ଉଦାହଣ ବୋଲି ଦାବି କରିଛନ୍ତି ଉଜ୍ଜ୍ୱଳା କୁମାର ବ୍ରହ୍ମା ।

ନିଜ ଘରର ଚୋରି ଘଟଣା ହେଉ କି ଜମିଜମା ବିବାଦ, ଏମିତି ୪ଟି ଘଟଣାରେ ସେ ପୁଲିସଠୁ କୌଣସି ପ୍ରକାର ସହଯୋଗ ପାଇନାହାନ୍ତି । ଜଣେ ପୂର୍ବତନ ପୁଲିସ କର୍ମଚାରୀ ଭାବେ ଯଦି ତାଙ୍କୁ ଏପରି ଭୋଗିବାକୁ ପଡୁଛି ତେବେ ସାଧାରଣ ଲୋକଟିଏ ପୁଲିସଠୁ କିପରି ସହଯୋଗ ପାଉଥିବ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ବ୍ରହ୍ମା । ତେଣୁ ପୁଲିସ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନର ଆଭିମୁଖ୍ୟ ନେଇ ଶ୍ରୀ ବ୍ରହ୍ମା ଗାନ୍ଧୀ ଜୟନ୍ତୀଠୁ ଆରମ୍ଭ କରିଛନ୍ତି ଏଭଳି ଏକ ଭିନ୍ନ ପ୍ରୟାସ । ସରକାରୀ କାର୍ଯ୍ୟାଳୟରେ ସେ ଜୋତା ପଲିସ୍ କରିବା ସହ ଧାରଣାରେ ବସିଛନ୍ତି ।

ବାଲେଶ୍ୱର ସହଦେବଖୁଂଟା ଅଂଚଳରେ ରହୁଥିବା ଉଜ୍ଜ୍ୱଳା କୁମାର ବ୍ରହ୍ମା ୧୯୭୫ରେ ସବ ଇନ୍ସପେକ୍ଟର ଭାବେ ଚାକିରି ଆରମ୍ଭ କରି ଭୁବନେଶ୍ୱର ଡିଭିଜନରେ ଭିଜିଲାନ୍ସ ଏସପି ଭାବେ ଅବସର ନେଇଛନ୍ତି । ୩୬ ବର୍ଷର ପୁଲିସ ଚାକିରିରେ ତାଙ୍କର ତିକ୍ତ ଅନୁଭୁତି ଅନେକ । ସେଥିପାଇଁ ଏକ ଅଭିନବ ଉପାୟରେ ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ସେ ମାଗଣାରେ ଜୋତା ପଲିସ୍ କରିବାକୁ ସ୍ଥିର କରିଛନ୍ତି । ପ୍ରଥମେ ଗାନ୍ଧୀ ଜୟନ୍ତୀରେ ସେ ସହଦେବଖୁଂଟା ଥାନା ଆଗରେ ଜୋତା ପଲିସ ଆରମ୍ଭ କରିଥିଲେ । ତା ପରେ ୩ ତାରିଖରେ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଉ ଗତକାଲି ବାଲେଶ୍ୱର ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ ସାମ୍ନାରେ ଧାରଣାର ବସି ଶ୍ରୀ ବ୍ରହ୍ମା ଜୋତା ପଲିସ୍ କରୁଥିବା ନଜର ଆସିଛନ୍ତି ।

ତେବେ ଆରକ୍ଷୀ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ଚାଲିଥିବା ଅଭିଯୋଗ କରି ଗତକାଲି ଦିନତମାମ ଧାରଣାରେ ବସିଥିଲେ ଶ୍ରୀ ବ୍ରହ୍ମା । ତେବେ ଦୁର୍ନୀତି ବିରୋଧରେ ଲୋକଙ୍କୁ ସଚେତନ କରିବା ଲାଗି ସେ ଏଭଳି ପ୍ରୟାସ କରୁଥିବା କହିଛନ୍ତି । ଅପରପକ୍ଷରେ ଶ୍ରୀ ବ୍ରହ୍ମାଙ୍କ ଏହି କାର୍ଯ୍ୟକୁ ଢେର ସମର୍ଥନ ମଧ୍ୟ ମିଳୁଛି ।