ଜନତାଙ୍କ ଉପରେ ନେତାଙ୍କ ଆକ୍ରୋଶ: ମଞ୍ଚ ଉପରେ ପ୍ରଶଂସକଙ୍କୁ ଚାପୁଡା ମାରିଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ

ଗଜପତି ଜିଲ୍ଲା ବିଜେଡି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଘଟିଛି ଏହି ଘଟଣା

1,303

କନକ ବ୍ୟୁରୋ: ଜନତାଙ୍କୁ ଚାପୁଡା ମାରିଲେ ବ୍ରହ୍ମପୁର ସାଂସଦ । ଏହି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲାର ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ । ଘଟଣା ଘଟିବା ବେଳେ ସ୍ଥାନୀୟ ବିଜେଡି ନେତା ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଏହି ଦୃଶ୍ୟ। ମଂଚ ଉପରେ ବିଜେଡିର କିଛି ନେତାଙ୍କ ଗହଳରେ ଉପସ୍ଥିତ ଅଛନ୍ତି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ । ଆଉ ଏହି ପ୍ରଶଂସକଙ୍କୁ ସାଂସଦଙ୍କ ପାଖରେ ଥିବା ବ୍ୟକ୍ତି ଜଣଙ୍କ ବେକରେ ଏକ ଗାମୁଛା ପକାଇବାକୁ ଦେଉଛନ୍ତି । ହେଲେ ପ୍ରଶଂସକ ଜଣଙ୍କ ଗାମୁଛାକୁ ନିଜ ବେକରେ ନ ପକାଇ ସାଂସଦଙ୍କ ହାତକୁ ବଢାଇ ଦେଉଛନ୍ତି । ଆଉ ସାଂସଦ ହଠାତ ଏହି ପ୍ରଶଂସକଙ୍କୁ ସର୍ବସମ୍ମୁଖରେ ଏକ ଶକ୍ତ ଚାପୁଡା ମାରିଛନ୍ତି ।

ଯେଉଁ ଜନତାଙ୍କ ଭୋଟ ପାଇ ନେତା ଆଜି ବିଧାୟକ ବନୁଛନ୍ତି, ସାଂସଦ ବନୁଛନ୍ତି, ମନ୍ତ୍ରୀ ବନୁଛନ୍ତି ସେହି ଜନତାଙ୍କୁ କିପରି ବ୍ୟବହାର କରୁଛନ୍ତି ନେତା । ତା ପୁଣି କାର୍ଯ୍ୟକାରିଣୀ ବୈଠକରେ । ଯେଉଁଠି ଦଳର ନେତା ଅଛନ୍ତି, ଦଳର କର୍ମୀ ଅଛନ୍ତି, ସାଧାରଣ ଜନତା ବି ଅଛନ୍ତି । ଭୋଟ ପୂର୍ବରୁ ଯେଉଁ ନେତାଙ୍କ ହାତ ଉଠୁଥିଲା ଜନତାଙ୍କୁ ନମସ୍କାର କରିବା ପାଇଁ ଆଜି କିପରି ସେହି ହାତ ଉଠିଛି ଚାପୁଡା ମାରିବା ପାଇଁ । ଏମିତି କଣ ପରିସ୍ଥିତି ହେଲା ଯେ ସାଂସଦଙ୍କୁ ଚାପୁଡା ମାରିବାକୁ ପଡିଲା । ଏହି ବ୍ୟକ୍ତି ଜଣଙ୍କ କି ଭୁଲ କଲେ ଯେ ସମସ୍ତଙ୍କ ଆଗରେ ତାଙ୍କୁ ଚାପୁଡା ମାରିଲେ ସାଂସଦ । ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି ।