ହାତରେ ଗିଟାର, ମୁହଁରେ ଭକ୍ତି ସଙ୍ଗୀତ । ବଡଦାଣ୍ଡରେ ଗୀତ ଗାଉଛନ୍ତି ବିଦେଶୀ ଭକ୍ତ ।

84

କନକ ବ୍ୟୁରୋ: ଭକ୍ତିରସରେ ଲୀନ । ହାତରେ ଗିଟାର, ଆଗରେ ମାଇକ୍, ମୁହଁରେ ଭକ୍ତି ସଂଗୀତ । ଘର, ଋଷିଆରେ, କିନ୍ତୁ ଶିବ ଭକ୍ତିରେ ମଗ୍ନ । ସିଂହଦ୍ୱାର ସମ୍ମୁଖ ପୁରୀ ପରିକ୍ରମା ମାର୍ଗରେ ୠଷୀୟ ଭକ୍ତଙ୍କୁ ଦେଖି ଅଟକି ଯାଉଛନ୍ତି ଶ୍ରଦ୍ଧାଳୁ । ସେ କାହା ସହ କଥାବାର୍ତା କରୁନାହାନ୍ତି, ଘଣ୍ଟା ଘଣ୍ଟା ଧରି ଗାଇ ଚାଲିଛନ୍ତି ଭକ୍ତି ସଂଗୀତ । ଋଷୀୟ ଭାଷାରେ ଗାଉଥିବାରୁ କେହି କିଛି ବୁଝି ପାରୁନାହାନ୍ତି ସତ, କିନ୍ତୁ ତାଙ୍କ ଭାବଭଙ୍ଗୀରୁ ବାରି ହୋଇ ପଡୁଛି ଭଗବାନଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଓ ଭକ୍ତିଭାବ । ସେ କହିଛନ୍ତି, ଭାରତ ଶାନ୍ତିପ୍ରିୟ ଦେଶ । ଭାରତୀୟ ସଂସ୍କୃତି, ବିଶେଷ କରି ଜଗନ୍ନାଥ ସଂସ୍କୃତି ତାଙ୍କୁ ପ୍ରଭାବିତ କରିଛି ।

ଗୀତ ଗାଉଥିବା ଋଷୀୟ ଭକ୍ତଙ୍କ ପାଖରେ ଥିବା ପ୍ଲାଷ୍ଟିକ ବାକ୍ସରେ କେହି କେହି ଦାନ ମଧ୍ୟ ଦେଉଛନ୍ତି । ସେ କହିଛନ୍ତି, ବିଭିନ୍ନ ସ୍ଥାନରେ ସଂଗୀତ ପରିବେଷଣ କରିବା ତାଙ୍କର ନିଶା । ହେଲେ ପେଟ ପାଇଁ ଦାନ ନେଉଛନ୍ତି, ବଞ୍ଚିବା ପାଇଁ ଭଗବାନଙ୍କ ନାଁ ଜପ କରୁଛନ୍ତି । ତେବେ ବିଦେଶୀଙ୍କ ଠାରୁ ଗୀତ ଶୁଣି ଖୁସି ଅନୁଭବ କରୁଛନ୍ତି ଶ୍ରଦ୍ଧାଳୁ ।

ଟୁରିଷ୍ଟ ଭିସାରେ ଭାରତ ଆସିଛନ୍ତି ଏହି ଋଷୀୟ ଭକ୍ତ । କିନ୍ତୁ ଏବେୠଷିଆ ନଫେରି ଏଠାରେ ରହିଯିବାକୁ ଚାହୁଁଛନ୍ତି । ଏପଟେ ଶୈବ ଭକ୍ତ ହୋଇ ପୁରୀରେ ରହିବାକୁ କାହିଁକି ଚାହୁଁଛନ୍ତି, ଏ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ବୁଦ୍ଧିଜୀବୀ । ତାଙ୍କ ପାସପୋର୍ଟ ଯାଞ୍ଚ କଲେ, ତାହା ସ୍ପଷ୍ଟ ହେବ ବୋଲି ମତ ଦେଇଛନ୍ତି ।