କନକ ବ୍ୟୁରୋ: ଇଟାଭାଟିରେ କାମ କରୁଛି ଫୁଟବଲ ଖେଳାଳି ରୋନାଲଡୋ । ମାଟି ଚକଟୁଛି, ଇଟା ତିଆରି କରି ଶୁଖାଇ ଦେଉଛି । ଆଜ୍ଞା ହଁ, ଆମେ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ରୋନାଲଡୋଙ୍କ କଥା କହୁନୁ, ବରଂ ତାଙ୍କରି ଭଳି ଫୁଟବଲ ଖେଳୁଥିବା କୋରାପୁଟ ଜିଲ୍ଲାର ଜଣେ ଯୁବକ ରୋନାଲଡୋ ହରିଜନଙ୍କ କଥା କହୁଛୁ ।
ବାପା ମାଆଙ୍କ ସହ ଇଟାଭାଟିରେ ମୁଲ ଲାଗୁଛି ଜଣେ ଯୁବକ । ଆଉ ନିଜ ସ୍ୱପ୍ନକୁ ଚୁରମାର କରି ଗଢୁଛି ଇଟା । ତାର ବି ସ୍ୱପ୍ନ ଥିଲା ଦିନେ ଜଣେ ବଡ ଫୁଟବଲ ଖେଳାଳି ହେବ, ମାଟି ମାର ଟେକ ରଖିବ । ହେଲେ ସବୁଜିଆ ଘାସରେ ଫୁଟବଲ ଖେଳୁଥିବା ଯୁବକ ଆଜି ଇଟାଭାଟିର ଧୁଆଁଳିଆ ପରିବେଶରେ ନିଜ ସ୍ୱପ୍ନକୁ ହଜେଇ ଦେଇଛନ୍ତି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ମୁଣ୍ଡାଗୁଡା ଗାଁର ରୋନାଲଡୋ ହରିଜନ । ଯାହାର ଇଚ୍ଚା କହିଲେ କେବଳ ଫୁଟବଲ । ଫୁଟବଲ ହିଁ ତା ଜୀବନ, ତା ସ୍ୱପ୍ନ । ସେଇଥିପାଇଁ ତ ବାପା ମା ପିଲାଟି ଦିନରୁ ସେହ୍ନରେ ତା ନାଁ ରଖିଥିଲେ ରୋନାଲଡୋ ହରିଜନ । ଆଉ ପୁଅ ବି ରାଜଧାନୀ ଭୁବନେଶ୍ବରଠୁ ଆରମ୍ଭ କରି ରାଜ୍ୟ ବାହାରେ ଫୁଟବଲ ଖେଳି ଟେକ ରଖିଥିଲା । ଛତିଶଗଡର ଭିଲାଇ ହେଉ କି ପଞ୍ଜାବ, ସବୁଠି ରୋନାଲଡୋର ଖେଳକୁ ସମସ୍ତେ ପ୍ରଂଶସା କରିଥିଲେ । ସନ୍ତୋଷ ଟ୍ରଫିରେ ମଧ୍ୟ ତାକୁ ସୁଯୋଗ ମିଳିଥିଲା । ହେଲେ ଏତେ ସବୁ ଭିତରେ ବି ଆଜି ରୋନାଲୋଡର ପରିଚୟ, ଇଟା ଭାଟିରେ କେବଳ ଜଣେ ଦିନ ମଜୁରିଆ।
ରୋନାଲଡୋ ଏବେ ଭୁବନେଶ୍ୱର ରାଣୀହାଟ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର । ଅନ୍ୟର ସହଯୋଗରେ ସେ ପାଠ ପଢୁଥିଲା । ହେଲେ କରୋନା ଏବେ ସବୁକିଛି ଓଲଟପାଲଟ କରିଦେଇଛି । ଆର୍ଥିକ ଅଭାବ ଅନଟନ ଭିତରେ ଦିନେ ବଡ ବଡ ସ୍ୱପ୍ନ ଦେଖୁଥିବା ରୋନାଲଡୋ ଆଜି ଇଟାଭାଟିରେ ଶ୍ରମିକ ହୋଇ ରହିଯାଇଛି । ରୋନାଲଡୋର ଘର ପାଖର ପଡୋଶୀମାନେ ମଧ୍ୟ ତା ଖେଳକୁ ବେଶ ପ୍ରଂଶସା କରନ୍ତି । ଯଦି ସେମାନଙ୍କୁ କିଛି ସରକାରୀ ସହାୟତା ମିଳିପାରନ୍ତା ତେବେ ସେମାନେ ନିଶ୍ଚୟ ଆଗକୁ ବଢିବା ସହିତ ନିଜ ସ୍ୱପ୍ନ ପୂରଣ କରିପାରନ୍ତେ ବୋଲି ସେମାନେ କୁହନ୍ତି ।