କନକ ବ୍ୟୁରୋ: ମାତ୍ର କିଛି ସମୟ ଭିତରେ ସବୁ ଓଲଟପାଲଟ ହୋଇଯାଇଥିଲା । ନିଆଁର କରାଳ ରୂପ ତାଣ୍ଡବ ରଚିଥିଲା । ଲୋକଙ୍କ କଥାବାର୍ତା ଓ କୋଳାହଳ ଭିତରେ ଫାଟିପଡ଼ୁଥିବା ଟ୍ରେନର ବଗି ଜଳିପୋଡ଼ି ଛାରଖାର ହୋଇଗଲା ।

Advertisment

ସମୟ: ଶନିବାର, ସକାଳ ପ୍ରାୟ ୫ଟା ୧୫ ମିନିଟ । ସ୍ଥାନ: ତାମିଲନାଡ଼ୁ ମଦୁରାଇ ଷ୍ଟେସନ । ମଦୁରାଇ ଷ୍ଟେସନରେ ଛିଡ଼ା ହୋଇଥିଲା ପୁନାଲୁର-ମଦୁରାଇ ଏକ୍ସପ୍ରେସ । ଗହଳି ଚହଳି ଲାଗିଥିଲା । ତୀର୍ଥଯାତ୍ରୀ ବଗିରେ ୫୦ରୁ ଅଧିକ ଯାତ୍ରୀ ଥିଲେ । ହେଲେ ହଠାତ୍ ଟ୍ରେନର ଗୋଟିଏ ବଗିରେ ଲାଗିଗଲା ନିଆଁ । ମାତ୍ର କିଛି ସମୟ ଭିତରେ ପୁରା ବଗିଟି ନିଆଁର କେବଳକୁ ଆସିଗଲା । ନିଆଁର ପ୍ରକୋପରେ ଯାତ୍ରୀମାନେ ବାହାରିବା କଷ୍ଟକର ଥିଲା । ଯିଏ ପାରିଲା ଦୁଆର ବାଟ ଦେଇ ବାହାରକୁ ଡେଇଁ ପଡ଼ିଲା । ଆଉ କିଛି ବାହାରିପାରିଲେନି । ଖାଲି ବଂଚାଅ ବଂଚାଅ ଡାକ ଶୁଣିବାକୁ ମିଳୁଥିଲା । ନିଆଁରେ ପୋଡ଼ି ହୋଇ ଘଟଣାସ୍ଥଳରେ ୧୦ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ପ୍ରାଥମିକ ତଦନ୍ତ ଅନୁସାରେ, କିଛି ଯାତ୍ରୀ ଟ୍ରେନ୍ ବଗିରେ ବେଆଇନ୍ ଭାବେ ଗ୍ୟାସ୍ ସିଲିଣ୍ଡର ନେଇ ଯାଉଥିଲେ । ଆଉ ଏହି ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଥିଲା । ତେବେ ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ ଓ ଅନ୍ୟ ବଗିକୁ ନିଆଁ ବ୍ୟାପିବାକୁ ଦେଇ ନଥିଲେ ।

ଦୁର୍ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ରେଳବାଇ ପକ୍ଷରୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି । ସେହିପରି ମୃତକଙ୍କ ପରିବାରଙ୍କୁ ତାମିଲନାଡୁ ସରକାର ୩ ଲକ୍ଷ ଏବଂ ଉତରପ୍ରଦେଶ ସରକକାର ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି ।