ସ୍ୱାମୀ-ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ । ହାତ ଭାଙ୍ଗିଦେଲେ, ମୁଣ୍ଡ ଫଟାଇଲେ ଦୁର୍ବୃତ୍ତ

376

କନକ ବ୍ୟୁରୋ: ଭୁବନେଶ୍ୱର ବାସିନ୍ଦା ସତ୍ୟବ୍ରତ ନାୟକ ଓ ପତ୍ନୀ ଅନୁସୟା ନାୟକ । ଦୁର୍ବୁତଙ୍କ ମାଡରେ ଲହୁ ଲୁହାଣ ହୋଇଛନ୍ତି ଏହି ଦମ୍ପତି । ସାମାନ୍ୟ କଥାରୁ ଯେ, ଏତେ ଭୟଙ୍କର ଦଶା ଭୋଗିବାକୁ ପଡିବ ତାହା ହୁଏତ କେହି କେବେ ସ୍ୱପ୍ନରେ ବି ଭାବି ନଥିବେ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଭୋଜି ପାଇଁ ପରିବାର ସହ ଯାଇଥିବା ବେଳେ ଏହି ଦମ୍ପତିଙ୍କର ଏଭଳି ଅବସ୍ଥା କରିଛନ୍ତି କିଛି ଦୁର୍ବୁତ ।

ଖୋର୍ଦ୍ଧା ଭୁଷଣ୍ଡପୁରରେ ଥିବା ମା’ ଉଗ୍ରତାରାଙ୍କ ପୀଠକୁ ପିକନିକ୍ ପାଇଁ ଯାଇଥିଲେ ଏହି ପରିବାର । ଯେଉଁ ପିଣ୍ଡିରେ ସେମାନେ ଭୋଜି କରୁଥିଲେ, ସେହି ପିଣ୍ଡିକୁ ଲାଗି ସ୍ଥାନୀୟ ଯୁବକମାନେ ଭୋଜି କରୁଥିଲେ । ପାଣି ପାଇପରୁ ପାଣି ଛିଟିକା ପଡିବାରୁ ସତ୍ୟବ୍ରତଙ୍କ ଜଣେ ସଂପର୍କୀୟ ଏବଂ ସଂପୃକ୍ତ ଯୁବକମାନଙ୍କ ଭିତରେ କଥା କଟା କଟି ପରେ ପାଟିତୁଣ୍ଡ ହୋଇଥିଲା । ପରିସ୍ଥିତି ଏଭଳି ଉଗ୍ରରୁପ ନେଇଥିଲା ଯେ, ସ୍ୱାମୀ-ସ୍ତ୍ରୀଙ୍କ ସମେତ ୫ ଜଣଙ୍କୁ ମାଡ ମାରି ଲହୁ ଲୁହାଣ କରି ଦେଇଥିଲେ । ଆଉ ନିଜ ଜୀବନକୁ କୌଣସିପ୍ରକାର ବଞ୍ଚାଇ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।

  • ଛୋଟିଆ କଥାରୁ ରକ୍ତମୁଖା ହେଲେ ଦୁର୍ବୃତ୍ତ
  • ହେଲେ ଦଫା ଲଗାଇବାକୁ ଡରୁଛି ପୁଲିସ!

ମୁଣ୍ଡରେ ମାଳ ମାଳ ଷ୍ଟିଚ । ମହିଳାଙ୍କୁ ବି ଗୋଡାଇ ଗୋଡାଇ ପଟିଲେ ଦୁର୍ବୃତ୍ତ । ରକ୍ତମୁଖା ହୋଇ ପଡିଥିବା ଦୁର୍ବୃତମାନେ ମାଡ ମାରି ଯୁବକଙ୍କ ହାତ ବି ଭାଙ୍ଗି ଦେଲେ । ଡାକ୍ତର ବି ତାଙ୍କ ରିପୋର୍ଟରେ ସଫା ସଫା ସବୁ କଥା ଉଲ୍ଲେଖ କରିଛନ୍ତି । କିନ୍ତୁ ଖୋର୍ଦ୍ଧା ଟାଙ୍ଗି ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇପିସିର ଦଫା ୩୦୭ ଅର୍ଥାତ ହତ୍ୟା ଉଦ୍ୟମ ଏଫଆଇଆରରେ ନାହିଁ । ତେବେ ରକ୍ତମୁଖା ଯୁବକଙ୍କ ବିରୋଧରେ କାହିଁକି କଡ଼ା ଦଫା ଲଗାଯାଇନି, କାହିଁକି କାର୍ଯ୍ୟାନୁଷ୍ଠାନ ନିଆ ଯାଉନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଆହତ ମହିଳା । ତେବେ ଏହି ବାବଦରେ ଆମେ ଟାଙ୍ଗି ପୁଲିସ ସହିତ ଯୋଗାଯୋଗ କରିଥିଲେ ବି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି ।