କନ୍ଧମାଳର କଦଳୀଚାଷୀ ହରିଶ୍ଚନ୍ଦ୍ର । ଅଢେଇ ଏକର ଜମିରେ ଜୈବିକ ପଦ୍ଧତିରେ କରୁଛନ୍ତି ଚାଷ । ଲାଭଜନକ ଫସଲରୁ ପାଉଛନ୍ତି ଲାଭ ।  

84

କନକ ବ୍ୟୁରୋ : କଦଳୀ ଏକ ଲାଭ ଜନକ ଫସଲ । ଏହା ପ୍ରମାଣ କରି ଦେଖାଇଛନ୍ତି କନ୍ଧମାଳ ଫୁଲବାଣୀ ବ୍ଲକ ବୁଡାଦାନି ଗାଁର ହରିଶ୍ଚନ୍ଦ୍ର ଦେହୁରୀ । ସରକାରଙ୍କ ଠାରୁ  ଋଣ ଆଣି ଅଢେଇ ଏକର ଜମିରେ ଜୈବିକ ପଦ୍ଧତି କଦଳୀ ଚାଷ କରିଛନ୍ତି । ଆଉ ଏହାଦ୍ୱାରା ନିଜେ ରୋଜଗାର କ୍ଷମ ହେବା ସହ ପୁଅକୁ ମଧ୍ୟ ସଫଳ କଦଳୀ ଚଷୀ ଭାବେ ଗଢି ପାରିଛନ୍ତି ହରିଶ୍ଚନ୍ଦ୍ର  ।

ପରିଚୟ ଦେଇଛି କଦଳୀ ଚାଷ । କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ, ବି ଅକ୍ଷେରେ ଅକ୍ଷେର ସତ । ଫୁଲବାଣୀରେ କଦଳୀ ଚାଷ କରି ନିଜେ ରୋଜଗାର କ୍ଷମ ହେବା ସହ ପୁଅକୁ ସଫଳ ଚାଷୀ ଭାବେ ଗଢିତୋଳିଛନ୍ତି ଜଣେ ବାପା । ଅଢେଇ ଏକର ଜମିରେ ଦେଶୀ ପଦ୍ଧତିରେ ଜୈବିକ ସାର ଦେଇ କଦଳୀ ଚାଷ କରିଛନ୍ତି ଫୁଲବାଣୀ ବୁଡାଦାନି ଗାଁର ହରିଶ୍ଚନ୍ଦ୍ର ଦେହୁରୀ । ଆଉ ସେ କରିଥିବା କଦଳୀର ନାଁ ମେରମାନ କଦଳୀ ।

ଉଦ୍ୟାନ ବିଭାଗକୁ ଯାଇ ମେରମାନ କଦଳି ଚାଷ ବାବଦରେ ପଚାରି ବୁଝିଥିଲେ ହରିଶ୍ଚନ୍ଦ୍ର । କେମିତି ଦେଶୀ ପଦ୍ଧତିରେ ହେବ କଦଳୀ ଚାଷ? ଏଥିରେ କେତେ ପରିମାଣର ଲାଭ ମିଳିବ? ଏସବୁ ବାବଦରେ ବୁଝିବା ପରେ ହରିଶ୍ଚନ୍ଦ୍ର ଆରମ୍ଭ କରିଥିଲେ ଦେଶୀ ପଦ୍ଧତିରେ କଦଳୀ ଛାଷ  । ଗାତ ଖୋଳି ଗୋବର ଖତ ଦେଇ କଦଳୀ ଗଛ ଲଗାଇଥିଲେ । ଆଉ ଏବେ ହରିଶ୍ଚନ୍ଦ୍ର ପ୍ରାୟ ୩ ହଜାର ଗଛ ଲଗାଇଛନ୍ତି । ଏବେ ପ୍ରାୟ ସବୁ ଗଛରେ କାନ୍ଧି ପଡିଥିବାରୁ ସେ ବେଶ ଖୁସି ଅଛନ୍ତି  ।

ଫୁଲବାଣୀ ଉଦ୍ୟାନ ବିଭାଗ ପକ୍ଷରୁ ହରିଶ୍ଚନ୍ଦ୍ରଙ୍କୁ ବୈଷୟିକ ଜ୍ଞାନ କୌଶଳ ସହ ରିହାତି ଦରରେ ମହାରଷ୍ଟ୍ରରୁ କଦଳୀ ଚାରା ଯୋଗାଇ ଦିଆଯାଇଛି । ୪୦ ପ୍ରତିଶତ କଦଳୀ ଚାରାରେ ସବସିଡ୍ ଦିଆଯାଇଛି । ବିଭାଗ ପକ୍ଷରୁ ପ୍ରତ୍ୟେକ୍ଷ ତତ୍ୱାବଧାନ ଦେଶୀ ପଦ୍ଧତିରେ କଦଳୀ ଚାଷ କରାଯାଇଥିବା କହିଛନ୍ତି ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ । ହରିଶ୍ଚନ୍ଦ୍ର ଏବେ ଗୋଟିଏ କାନ୍ଧିକୁ ୫୦୦ରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରି ବେଶ ଲାଭବାନ ହୋଇ ପରିଛନ୍ତି ।