କନକ ବ୍ୟୁରୋ : ନଳିତା ଚାଷର ଗାଁ ବିଲିପଡ଼ା । ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ବିଲିପଡ଼ା ଗାଁର ପ୍ରାୟ ଦେଢ଼ଶହ ଚାଷୀ ନଳିତା ଚାଷକୁ ନିଜର ବୃତ୍ତି ରୂପେ ଆପଣେଇଛନ୍ତି । ଚଳିତ ବର୍ଷ ବନ୍ୟା ହୋଇ ନଥିବାରୁ ଭଲ ଅମଳ ହୋଇଥିବା କହିଛନ୍ତି ଚାଷୀ । ଫଳରେ ଏଥର ଦୀପାବଳୀରେ କାଉଁରିଆ କାଠି ବିକ୍ରିକରି ଭଲ ରୋଜଗାର କରିପାରିବେ ବୋଲି ସେମାନେ ଆଶା ବାନ୍ଧିଛନ୍ତି । ନଳିତା ଚାଷ କରି ସେଥିରୁ ବାହାରୁଥିବା ଝୋଟକୁ ବିକ୍ରି କରିବା ସହିତ ଦୀପାବଳୀରେ ବ୍ୟବହୃତ ହେଉଥିବା କାଉଁରିଆ କାଠିକୁ ମଧ୍ୟ ବିକ୍ରିକରି ଭଲ ଦୁଇ ପଇସା ଆୟ କରିଥାନ୍ତି । କୃଷି ବିଭାଗ କେନ୍ଦ୍ରରୁ ନଳିତା ମଞ୍ଜି କିଣି ଜ୍ୟେଷ୍ଠ ମାସରେ ଚାଷ କାମ ଆରମ୍ଭ କରନ୍ତି । ପ୍ରାୟ ଦୁଇ ମାସ ପରେ ନଳିତା ଗଛ ପାକଳ ହୋଇଯିବା ପରେ ତାକୁ ଜମିରୁ କାଟି ଆଣି ବିଡା କରିବା ସହିତ ପୋଖରୀ କିମ୍ବା ଗାଡ଼ିଆ ଭିତରେ ବୁଡାଇ ରଖିଦିଅନ୍ତି । ପାଖାପାଖି ପନ୍ଦର ଦିନ ପରେ ଏହି ଗଛ ସବୁ ପାଣିରେ ଭିଜି ସାରିଥାଏ । ପରେ ତାକୁ ପାଣିରୁ ବାହାର କରି ସେଥିରୁ ଝୋଟ ପ୍ରସ୍ତୁତ କରିଥାଆନ୍ତି ।

Advertisment

ଝୋଟ ବାହାର କରିସାରିବା ପରେ ସେଥିରୁ କାଉଁରିଆ କାଠିକୁ ଅଲଗା କରିଦିଆଯାଏ । ସେହି କାଠିକୁ ଶୁଖାଇ ବିକ୍ରି କରିବା ପାଇଁ ପ୍ରସ୍ତୁତ କରିଥାନ୍ତି ଚାଷୀ । ଅନେକ ଚାଷୀ ଏହି କାଠିକୁ ନେଇ ଗାଁ ଗାଁ ବୁଲି ବିକ୍ରି କରନ୍ତି । ଅନେକ ଚାଷୀ କମ୍ ଲାଭରେ ବ୍ୟବସାୟୀଙ୍କୁ ବିକ୍ରି କରନ୍ତି ।

ଚଳିତ ବର୍ଷ ଅନୁକୂଳ ଜଳବାୟୁ କାରଣରୁ ଭଲ ଅମଳ ହୋଇଥିବା ବେଳେ ଅଧିକ ବ୍ୟବସାୟ କରାଯିବାର ଆଶା ରଖିଛନ୍ତି ଚାଷୀ