କ୍ଷୀର ବ୍ୟବସାୟ ପାଇଁ ଟ୍ରାଫିକ ଦେଉଥିଲା ଟେନସନ । ୩୦ କୋଟି ଟଙ୍କାର ହେଲିକପ୍ଟର କିଣିଦେଲେ ଚାଷୀ, ଚର୍ଚ୍ଚାରେ ଜନାର୍ଦ୍ଦନ

କ୍ଷୀର ବିକ୍ରି ବେଳେ ଆଉ ବାଧା ଦେବନି ରାସ୍ତାର ଭିଡ

978
କନକ ବ୍ୟୁରୋ : ଆଉ ଟେନସନ ଦେବନି ଟ୍ରାଫିକ । କ୍ଷୀର ବିକ୍ରି ବେଳେ ଆଉ ବାଧା ଦେବନି ରାସ୍ତାର ଭିଡ କି ଟ୍ରାଫିସ ସମସ୍ୟା । କାରଣ ଟ୍ରାଫିକ ଟେନସନକୁ ଟାଟା କରିବାକୁ ହେଲିକପ୍ଟର କିଣିଦେଲେ ଦୁଗ୍ଧ ଚାଷୀ । ନିଜ ବ୍ୟବସାୟକୁ ସୁଗମ କରିବାକୁ ୩୦ କୋଟିର ହେଲିକପ୍ଟର କିଣି ଏବେ ଚର୍ଚ୍ଚାରେ ମହାରାଷ୍ଟ୍ର ଭିୱଣ୍ଡିର ଚାଷୀ ଜନାର୍ଦ୍ଦନ ଭୋଇର ।
ତେବେ ଖାଲି ନିଜ ଅଞ୍ଚଳ ନୁହେଁ ଦେଶର ବିଭିନ୍ନ ରାଜ୍ୟକୁ ସହଜରେ କ୍ଷୀର ପହଞ୍ଚାଇବାକୁ ଏହି ହେଲିକପ୍ଟର କିଣିଛନ୍ତି ଚାଷୀ ଜନାର୍ଦ୍ଦନ । ମହାରାଷ୍ଟ୍ରର ଜଣେ ଖ୍ୟାତନାମା ଚାଷୀ ସହ ଜଣେ ବିଲଡର ହୋଇଥିବାରୁ ତାଙ୍କୁ ଦେଶର କୋଣ ଅନୁକୋଣକୁ କ୍ଷୀର ପହଞ୍ଚାଇବାକୁ ପଡେ । ପଞ୍ଜାମ, ହରିଆଣା, ରାଜସ୍ଥାନ, ଗୁଜୁରାଟ ଭଳି ରାଜ୍ୟର ଅନେକ ସ୍ଥାନରେ ତାଙ୍କର ବ୍ୟବସାୟ ଚାଲୁଥିବାରୁ ଗାଡିରେ ଯିବାଆସିବା କରି ସମସ୍ତ କାମ ବୁଝିବା ସମୟ ସାପେକ୍ଷ ଥିବାରୁ ସେ ହେଲିକପ୍ଟର କିଣିଛନ୍ତି ।
୫୦ ଏକର ଜମିରେ ଜନାର୍ଦ୍ଦନ ଫାର୍ମହାଉସ କରିଥିବା ବେଳେ ସେଠାରେ ସେ ଧାନ, ପନିପରିବା ସହ ଗୋପାଳନ କରିଛନ୍ତି । ୩୦୦ଟି ଗାଈ ରଖିଛନ୍ତି । ବିଭିନ୍ନ ଜାତିର ଗାଈ କିଣିବାକୁ ସେ ଦୂରକୁ ଯାଉଛନ୍ତି ତେଣୁ ବ୍ୟବସାୟ ବଣିଜକୁ ସହଜ କରିବାକୁ ଚାଷୀ ଜଣଙ୍କ ହେଲିକପ୍ଟର କିଣିଦେଇଛନ୍ତି ।
ତେବେ ୩ ଏକର ଜମିରେ ହେଲିକପ୍ଟର ପାଇଁ ହେଲିପ୍ୟାଡ ନିର୍ମାଣ କରାଯାଇଥିବା ବେଳେ ଜଣେ ପାଇଲଟ, ଦୁଇ ଜଣ ଇଞ୍ଜିନିୟର ଏବଂ ୫ ଜଣ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତି ଦେଇଛନ୍ତି ଚାଷୀ । ଆଉ ସେମାନଙ୍କୁ ସେ ମୋଟ ୧୦ ଲକ୍ଷ ଟଙ୍କାର ଦରମା ବି ଦେବେ । ତେବେ ମାର୍ଚ୍ଚ ୧୫ ତାରିଖରେ ବିଧିବଦ୍ଧ ଭାବେ ହେଲିପ୍ୟାଡରେ ରହିବ କ୍ଷୀର ଚାଷୀଙ୍କ ହେଲିକପ୍ଟର । ବ୍ୟବସାୟ ପାଇଁ ଚାଷୀଟିଏ ଏମିତି ଏକ ପଦକ୍ଷେପ ନେବା ପରେ ଏବେ ସବୁଠି ଚର୍ଚ୍ଚାରେ ଜନାର୍ଦ୍ଦନ ।