ପାହାଡ ପାଖରେ ଘର, ପଲିଥିନ ତଳେ ଜୀବନ । ଗରିବ, ଅସହାୟ ବୋଲି ହାଡଭଙ୍ଗା ଜାଡରେ କଟୁଛି ରାତି । ପାଲ ତଳେ ବିତୁଛି ୧୨ଟି ଜୀବନ ।
କନକ ବ୍ୟୁରୋ: ପାହାଡ ତଳେ ଘର, ପଲିଥିନ ତଳେ ଜୀବନ । ଭଙ୍ଗା କାନ୍ଥ ଲେଖା ଏମାନଙ୍କ ଭାଗ୍ୟ ଆଉ ଭାଗ୍ୟକୁ ଆଦରି ବଢୁଛନ୍ତି ଭବିଷ୍ୟତ । ନା ଶକ୍ତ କବାଟ ଅଛି, ନା ଖଣ୍ଡେ ଝରକା । ମାଟିକାନ୍ଥ ବି ମାଟିରେ ମିଶିବାକୁ ବସିଲାଣି । ଆଉ ଏତିକି ବେଳେ ଏହି ପାଲ ହିଁ ଭରସା, ପଲିଥିନ ହିଁ ସାହା । ବାଉଁଶ କେଇଁ ଖଣ୍ଡର ଘର ଭିତରେ ଅତି ଦୟନୀୟ ଭାବେ ଜୀବନ ଅତିବାହିତ କରୁଛନ୍ତି ୧୨ ଜଣ ସଦସ୍ୟ ।
Kanak News is now on WhatsApp
Join and get latest news updates delivered to you via WhatsApp
ଗଞ୍ଜାମ ଜିଲ୍ଲା ପୁରୁଷୋତମପୁର ବାଳିଆ ଗାଁର ଏହି ପାହାଡ ତଳେ ରହୁଛନ୍ତି ଗୋଟିଏ ପରିବାର । ଆଜି ନୁହେଁ କି କାଲି ନୁହେଁ ଦୀର୍ଘ ୫ ବର୍ଷ ହେବ ଏହି ଭଙ୍ଗା କୁଡିଆରେ କଟୁଛି ଦିନରାତି । କେବେ ଘରେ ପାହାଡି ପାଣି ପଶିଯାଏ ତ କେବେ ଜଙ୍ଗଲୀ ଜନ୍ତୁ । ସାପ, ବିଲୁଆ, କୁକୁର ଆଦିର ଭୟ ସେମାନଙ୍କୁ ସବୁବେଳେ ଘାରେ । ହେଲେ ସେହି ଭୟ ଭିତରେ ଭାଗ୍ୟକୁ ଭରସି ବଞ୍ଚିବାକୁ ପଡେ । କାରଣ ସେମାନେ ଗରିବ, ସେମାନେ ଅସହାୟ ।
ସ୍ତ୍ରୀ, ତିନି ପୁଅ, ବୋହୂ ଓ ନାତିନାତୁଣି ନେଇ ଏଇ ଭଙ୍ଗା ଘରେ ରୁହନ୍ତି ସୁବାସ ବାରିକ । ସରକାରୀ ଯୋଜନାରେ ଘର ଖଣ୍ଡେ ସୁବାସଙ୍କ ପାଇଁ ସାତ ସପନ ପାଲଟିଥିବା ବେଳେ ସରକାରୀ ଅଫିସକୁ ଧାଇଁ ଧାଇଁ ନୟାନ୍ତ ହେଲେ ବି କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।
ସେପଟେ ଦୂରରୁ ଏ ଘରକୁ ଦେଖିଲେ ଏଠି ଜୀବନ କେତେ ଦୁର୍ଦଶାରେ ବିତୁଥିବ ସ୍ପଷ୍ଟ ଜାଣି ହେଉଛି । ଥରେ ଭାବିଲେ ଏ ହାଡ ଭଙ୍ଗା ଶୀତରେ ଯେତେବେଳେ ସଞ୍ଜ ନଇଁଲେ ଲୋକେ ଘରୁ ବାହାରୁ ନାହାନ୍ତି । ତାଟି କବାଟ ଦେଇ ଘରେ ରହୁଛନ୍ତି ସେଠି ଏମାନେ କେମିତି ଜାଡର ଯନ୍ତ୍ରଣା ସହୁଥିବେ, ଶୀତର ,ସାମ୍ନା କରୁଥିବେ ଭାବିଲେ । ଖାଲି ଶୀତ ନୁହେଁ ଖରା ବର୍ଷାକୁ ବି ସହିଥାନ୍ତି । ତେଣୁ ଅଭାବର ଅନ୍ଧାରରେ ଥିବାରୁ ଏମାନେ ସରକାରୀ ସାହାଯ୍ୟକୁ ଅନେଇ ରହିଛନ୍ତି ।