ଫନିରେ ଭାଙ୍ଗିଲା ଘରଦ୍ୱାର । ୨ ବର୍ଷ ହେଲା ସ୍ୱାସ୍ଥ୍ୟକେନ୍ଦ୍ରରେ ମୁଣ୍ଡ ଗୁଞ୍ଜିଛିି ପରିବାର । ସରକାରୀ ସହାୟତା ଅପେକ୍ଷାରେ ପ୍ରୀତି ନାୟକ ।

ଏଯାଏଁ ପୁରୀ ଜିଲ୍ଲାରେ ଅନେକ ପରିବାରକୁ ମିଳିନି ଫନି ସହାୟତା

55

କନକ ବ୍ୟୁରୋ: ଦିନେ ନୁହେଁ କି ଦୁଇଦିନ ନୁହେଁ ଦୀର୍ଘ ୨ବର୍ଷ ହେବ ଜଣେ ଅସହାୟ ମହିଳା ପରିବାର ସହିତ ମୁଣ୍ଡଗୁଞ୍ଜିଛନ୍ତି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଯାହାଫଳରେ ସ୍ୱାସ୍ଥ୍ୟକେନ୍ଦ୍ରଟି ଜନସାଧାରଣଙ୍କ କାର୍ଯ୍ୟରେ ଲାଗିପାରୁନାହିଁ । ଏଭଳି ଏକ କୈାତୁହଳ ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅଧୀନ ନିମାପଡ଼ା ବ୍ଲକ ଅନ୍ତର୍ଗତ ଧଳେଶ୍ୱର ପଞ୍ଚାୟତର ଉହାଙ୍ଗ ଗ୍ରାମରେ ।

୨୦୧୯ ମେ’ ୩ ତାରିଖରେ ଆସିଥିବା ବାତ୍ୟା ଫନି ନିମାପଡା ଉହାଙ୍ଗ ଗାଁର ପ୍ରୀତି ନାୟକଙ୍କ ଘରକୁ ଭାଙ୍ଗି ଦେଇଛି । ସେବେଠାରୁ ୨ ବର୍ଷ ହେଲା ପିଲା ଛୁଆଙ୍କୁ ଧରି ଉହାଙ୍ଗ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ଆଶ୍ରୟ ନେଇଛନ୍ତି ପ୍ରୀତି । ଫନି କ୍ଷତିଗ୍ରସ୍ତଙ୍କ ତାଲିକାରେ ପ୍ରୀତିଙ୍କ ନାଁ ଥିଲେ ବି ଏଯାଏଁ ସରକାରୀ ସହୟତା ମିଳିନାହିଁ । ଫଳରେ ନିଜସ୍ୱ ଘର କରିନପାରି ସ୍ୱାସ୍ଥ୍ୟକେନ୍ଦ୍ରରେ ଆଶ୍ରୟ ନେଇଛନ୍ତି । ଏଇଠି ରହି ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛି ପ୍ରୀତିଙ୍କ ପୁଅ ରଜତ । ଆଉ ଏତିକି ବେଳେ ସ୍ୱାସ୍ଥ୍ୟକେନ୍ଦ୍ରରୁ ବାହାରି ଯିବା ପାଇଁ ତାଗିଦ୍ କରୁଛନ୍ତି ସରକାରୀ କର୍ମଚାରୀ । ଯାହା ଫନି ପୀଡିତ ପ୍ରୀତିଙ୍କ ପାଇଁ ଅସହ୍ୟ ହୋଇପଡିଛି ।

ଫନି ବାତ୍ୟାରେ ଘରଦ୍ୱାର ସବୁ ନଷ୍ଟ ହୋଇଯାଇଛି । ପ୍ରୀତିଙ୍କ ସ୍ୱାମୀ ମୁଲ ଲାଗି ପରିବାର ପୋଷୁଥିବା ବେଳେ ଏଯାଏଁ ସରକାରଙ୍କ ଫନି ସହାୟତା ମିଳିନାହିଁ । ତେଣୁ ଘର ତୋଳିବା ସମ୍ଭବପର ହୋଇପାରୁନାହିଁ । ସେପଟେ ଘଟଣାର ତଦନ୍ତ ପରେ ସମସ୍ୟାର ସମାଧାନ କରାଯିବ, ସହାୟତା ଯୋଗାଇ ଦିଆଯିବ ବୋଲି ନିମାପଡା ତହସିଲଦାର କହିଛନ୍ତି ।