ଦୁର୍ଗାପୂଜା ପେଣ୍ଡାଲରେ ‘ଖେଲା ହୋବେ’। କୋଲକାତାରେ ଚର୍ଚ୍ଚାକୁ ଆସିଲା ଏହି ପୂଜା ପେଣ୍ଡାଲ।

235

କନକ ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଗୋଟିଏ ନିର୍ବାଚନୀ ସ୍ଲୋଗାନ୍ ବେଶ ଲୋକପ୍ରିୟ ହୋଇଥିଲା । ଯାହାକି ଥିଲା ‘ଖେଲା ହୋବେ’ା ଏହି ନାରା ଦେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ବିଧାନସଭା ନିର୍ବାଚନ ଜିତିବା ସହିତ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ । ହେଲେ ଏବେ ପାର୍ବଣ ଋତୁରେ ବି ଦେଖିବାକୁ ମିଳିଛି ‘ଖେଲୋ ହୋବେ’ର ଝଲକ ।

ଅସଲ କଥା ହେଉଛି, ଚଳିତ ବର୍ଷ କୋଭିଡ୍ କଟକଣା ଭିତରେ ସାରା ଦେଶରେ ଆୟୋଜିତ ହେଉଛି ଦୁର୍ଗାପୂଜା । ଆଉ ପଶ୍ଚିମବଙ୍ଗର ବିଭିନ୍ନ ପୂଜା ମଣ୍ଡପରେ ବିଭିନ୍ନ ଥିମ୍ ଉପରେ ନିର୍ମାଣ ହୋଇଛି ପୂଜା ପେଣ୍ଡାଲ । ବୁର୍ଜ ଖଲିଫା ହେଉ ଅବା କୃଷକ ଆନ୍ଦୋଳନ, ବିଭିନ୍ନ ଥିମ ଉପରେ ଚଳିତ ବର୍ଷ ପୂଜା ପେଣ୍ଡାଲ ଲୋକଙ୍କୁ ଆକର୍ଷିତ କରୁଛି । ହେଲେ ଦକ୍ଷିଣ କୋଲକାତାର ଏକ ପୂଜା ମଣ୍ଡପରେ ଏଥର ‘ଖେଲା ହୋବେ’ ଥିମକୁ ନେଇ ନିର୍ମାଣ ହୋଇଛି ମାଙ୍କ ପୂଜା ପେଣ୍ଡାଲ । ଯାହାକୁ ଦେଖିବାକୁ ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି ।

ଖେଲା ହୋବେର ଡିଜାଇନ୍ ପ୍ରସ୍ତୁତ କରିଥିବା କଳାକାର ସୌମେନ୍ ଘୋଷଙ୍କ କହିବା କଥା ହେଉଛି, ଖେଲୋ ହୋବେ ନାରା ପୂରା ଭାରତରେ ଏବେ ପ୍ରସିଦ୍ଧ ହୋଇସାରିଛି । ତେଣୁ ଏହି ବିଷୟରେ ଏବେ ଛୁଆଠୁ ଆରମ୍ଭ କରି ଯୁବକ ପର୍ଯ୍ୟନ୍ତ ସମସ୍ତେ ଆଗ୍ରହ ଦେଖାଉଛନ୍ତି, ତେଣୁ ସେ ଏହି ଥିମ ଉପରେ ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପଶ୍ଚିମବଙ୍ଗରେ ହୋଇଥିବା ବିଧାନସଭା ନିର୍ବାଚନରେ ଏହି ନାରା ବେଶ ଲୋକପ୍ରିୟ ହୋଇଥିଲା । ବିଜେପିକୁ ଜୋରଦାର ଟାର୍ଗେଟ କରି ଏହି ନାରା ଦେଇଥିଲେ ଟିଏମସି ନେତ୍ରୀ ମମତା ବାନାର୍ଜୀ । ଖାଲି ସେତିକି ନୁହେଁ ସେ ଅଗଷ୍ଟ ୧୬ ତାରିଖକୁ ସେ ଖେଲା ହୋବେ ଦିବସ ଭାବେ ମଧ୍ୟ ମନାଇଥିଲେ ।