ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍ : ବଡ଼ ଦେଉଳ ସୁରକ୍ଷା ବ୍ୟବସ୍ଥା ଉପରେ ଲାଗିଲା ପ୍ରଶ୍ନଚିହ୍ନ; ଅସନ୍ତୋଷ ପରେ ପୋଷ୍ଟ ଡିଲିଟ କଲେ ୟୁଟ୍ୟୁବର

127

କନକ ବ୍ୟୁରୋ : ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଶ୍ରୀମନ୍ଦରର ନୋ-ଫ୍ଲାଇଂ ଜୋନରେ ଉଡିଛି ଡ୍ରୋନ୍ । କିଛିଦିନ ତଳେ ଶ୍ରୀମନ୍ଦିର ଭିତରକାଠ ନିକଟ ଫଟୋ ଉଠାଇ ଜଣେ ଯୁବକ ଗିରଫ ହୋଇଥିବାବେଳେ, ପୁଣିଜଣେ ବଙ୍ଗୀୟ ୟୁ-ଟ୍ୟୁବର, ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଛନ୍ତି । ୟୁନିଫାଏଡ ଅନିମେଶ ନାମରେ ସୋସିଆଲ ମିଡିଆ ଆକଉଣ୍ଟରୁ ୫ ମିନିଟ ୪୩ ସେକେଣ୍ଡର ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ମ୍ୟାପିଂ କରାଯାଇଛି ।

ଶ୍ରୀମନ୍ଦିର ନୀଳଚକ୍ରରୁ ସିଂହାଦ୍ୱାର ଯାଏଁ ଅବସ୍ଥିତିକୁ କ୍ୟାମେରାରେ କଏଦ କରାଯାଇଛି । ସଂପୂର୍ଣ୍ଣ ଶ୍ରୀମନ୍ଦିର ଚାରିପଟେ ଉଡି ଡ୍ରୋନ କ୍ୟାମେରା ଏସବୁ ଭିଡିଓକୁ କଏଦ କରିଛି । ତେଣୁ ପ୍ରଶ୍ନ ଉଠୁଛି ନୋ-ଫ୍ଲାଇଂ ଜୋନରେ କିଭଳି ଏହି ଭିଡିଓ ରେକର୍ଡ କରାଗଲା ଓ ଏଥିପାଇଁ କିଏ ଅନୁମତି ଦେଲା । ତେବେ ଭିଡିଓର ପ୍ରାରମ୍ଭରେ ଏହି ଭିଡିଓ କରିବାକୁ ଅନୁମତି ଦେଇଥିବାରୁ ପୋଲିସକୁ ଧନ୍ୟବାଦ ଦିଆଯାଇଛି । ଅର୍ଥାତ ପୋଲିସଠାରୁ ଅନୁମତି ନେଇ ବ୍ୟକ୍ତି ଜଣକ ଏହି ଭିଡିଓ କରିଛନ୍ତି କି । ଯଦି ଅନୁମତି ନେଇନାହାନ୍ତି ତାହାହେଲେ ପୋଲିସ ଏଯାଏଁ କାହିଁକି ଚୁପ ରହିଛି ।

ଆହୁରି ସାଂଘାତିକ କଥା ହେଲା ବ୍ୟକ୍ତି ଜଣକ ତାଙ୍କ ପାଖରେ ରାତି ସମୟର ଶ୍ରୀମନ୍ଦିରର ଆଉ କିଛି ଭିଡିଓ ଥିବା ଦାବି କରିଛନ୍ତି । ତାକୁ ଠିକଣା ସମୟରେ ପୋଷ୍ଟ କରିବେ ବୋଲି ଉଲ୍ଲେଖ କରିଛନ୍ତି । ଏପରିକି ସଂପୂର୍ଣ୍ଣ ଭିଡିଓ ଚାହୁଁଥିବା ବ୍ୟକ୍ତି ତାଙ୍କୁ ଅର୍ଥଦେଇ ଏହାକୁ କିଣିପାରିବେ ବୋଲି ମଧ୍ୟ ଅଫର ଦେଇଛନ୍ତି । ଯାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି । ଏହା ପରେ ଏହି ପୋଷ୍ଟକୁ ବଙ୍ଗୀୟ ୟୁ-ଟ୍ୟୁବର ଡିଲିଟ କରିଦେଇଛନ୍ତି ।