କରୋନା ଟିକାର ଦାମ ନେଇ ସୂଚନା ଦେଲେ କେନ୍ଦ୍ର ସରକାର । ଘରୋଇ ହସ୍ପିଟାଲରେ ୨୫୦ଟଙ୍କାରେ ମିଳିବ ଟିକାର ଗୋଟିଏ ଡୋଜ ।

୨୫୦ ଟଙ୍କାରେ ମିଳିବ କରୋନା ଟିକା !

80

କନକ ବ୍ୟୁରୋ : ଦେଶରେ କରୋନା ମହାମାରୀ ବିରୋଧରେ ଜାନୁଆରୀ ୧୬ ତାରିଖରୁ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏହାର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନାଯୋଦ୍ଧାଙ୍କୁ ଏହି ଟିକା ପ୍ରଦାନ କରାଯାଉଛି । ମାର୍ଚ୍ଚ ୧ ତାରିଖରୁ ଦେଶରେ କରୋନା ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ଏହାରି ମଧ୍ୟରେ ଖବର ଆସିଛି କି ଘରୋଇ ହସ୍ପିଟାଲ ମାଧ୍ୟମରେ ବି ଲୋକ ମାନେ ଟିକା ନେଇପାରିବେ । ହେଲେ ଘରୋଇ ହସ୍ପିଟାଲରୁ ଟିକା ନେଲେ ଗୋଟିଏ ଡୋଜକୁ ଉପଭୋକ୍ତାଙ୍କୁ ୨୫୦ ଟଙ୍କା ଦେବାକୁ ପଡିବ । ଯାହା ମଧ୍ୟରେ ସେବାକର ପାଇଁ ୧୦୦ ଟଙ୍କା ଯୋଡା ଯାଇଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ନେଇ ପିଆଇବି ପକ୍ଷରୁ ସୂଚନା ।

ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ୬୦ ବର୍ଷରୁ ଉର୍ଦ୍ଧ ସମସ୍ତ ଲୋକ ଓ ୪୫ ବର୍ଷରୁ ଉର୍ଦ୍ଧ ବ୍ୟାଧିପୀଡିତ ମାନଙ୍କୁ ଟିକା ଦିଆଯିବ । ଶନିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮ ରାଜ୍ୟକୁ କରୋନା କଟକଣା କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କହିରଖୁ କି କିଛିଦିନ ହେବ ଦେଶରେ କିଛି ରାଜ୍ୟରେ ପୁଣି କରୋନା ତା’ର କାୟା ବିସ୍ତାର କରିଛି । ମହାରାଷ୍ଟ୍ରରେ ପୁଣି କରୋନାର ଲହର ଦେଖିବାକୁ ମିଳିଛି । ଦୈନିକ ଦେଶରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ଅଧା ସଂକ୍ରମିତ କେବଳ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି । ଏହାସହ ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ, ଗୁଜୁରାଟରେ ବି କରୋନା ପୁଣି ଥରେ କର ଲେଉଟାଉଥିବା ଦେଖିବାକୁ ମିଳିଛି ।