ଗଛ ପ୍ରେମରେ ଗାଁ ଗହଳିର ଗରିବଙ୍କ ଡାକ୍ତର । ନିଜ ଘର ସହ ରାସ୍ତାଘାଟରେ ଲଗାଉଛନ୍ତି ଶହଶହ ଗଛ । ପୁନଶ୍ଚ ପୃଥିବୀ ପାଇଁ ବିମ୍ବାଧରଙ୍କ ପ୍ରୟାସ ଅତୁଳନୀୟ…

98

କନକ ବ୍ୟୁରୋ: ବୟସ ଯେତିକି ବଢୁଛି, ପରିବେଶ ପ୍ରତି ପ୍ରେମ ସେତିକି ବଢୁଛି । ପ୍ରକୃତିର ସବୁଜିମା ସହ ସେତିକି ନିବିଡ ହେଉଛନ୍ତି ଗାଁ ଗହଳିର ଗରିବଙ୍କ ଡାକ୍ତର ବିମ୍ବାଧର । ବୟସରୁ ଆୟୁଷ ସରିସରି ଆସୁଛି ସତ ହେଲେ ଏ ବୟସରେ ବି ପ୍ରକୃତିକୁ ସୁରକ୍ଷିତ ରଖିବାକୁ ସତେ ଯେମିତି ସେ ସଙ୍କଳ୍ପ କରିଛନ୍ତି । ଆଉ ଅହରହ ଗଛମାନଙ୍କ ପଛରେ ପଡିଛନ୍ତି । ତାଙ୍କ କହିବା କଥା, ସେ ସେବା କରିବାକୁ ଭଲ ପାଆନ୍ତି । ପ୍ରକୃତିର, ପରର । ସେଇଥିପାଇଁ ତ ଡାକ୍ତର ହିସାବରେ ସେ ରୋଗୀଙ୍କ ସେବା କରନ୍ତି ଆଉ ପ୍ରକୃତିପ୍ରେମୀ ଭାବେ ଗଛଲତା ଲଗାଇ ପରିବେଶର ସେବା କରନ୍ତି ।

ବାଲେଶ୍ୱର ଜିଲ୍ଲା ସୋର ଯୋଡାମ୍ବ ଗାଁର ବିମ୍ବାଧର, ସ୍ଥାନୀୟ ଅଞ୍ଚଳରେ ଡାକ୍ତର ବିମ୍ବାଧର ନାଁରେ ବେଶ୍ ଜଣାଶୁଣା । ଗରିବ ଗୁରୁବାଙ୍କ ଡାକ୍ତର ହେଉଛନ୍ତି ଏ ସାଧାସିଧା ମଣିଷ । ହୋମିଓପାଥି ଔଷଧ ଦେଇ ଲୋକଙ୍କ ହୃଦୟ ଜିଣୁଥିବା ବିମ୍ବାଧର ଖାଲି ମଣିଷଙ୍କ ପସନ୍ଦ ନୁହେଁ ବରଂ ବୃକ୍ଷଲତାଙ୍କର ବି ବନ୍ଧୁ । କାରଣ ବୟସର ଅପରାହ୍ନରେ ବି ତାଙ୍କର କମିନି ପ୍ରକୃତି ପ୍ରେମର ନିଶା ।

ସକାଳ ହେବା ମାତ୍ରେ ହାତରେ କୁଡି କୋଦାଳ ଧରି ବାହାରି ପଡନ୍ତି ବାଡିକୁ । ଘର ପଛରେ ବିରାଟ ଜାଗାରେ ସେ କରିଛନ୍ତି ଭଳିକି ଭଳି ଚାଷ । ଧାନ ଚାଷଠୁ ପନିପରିବା, ଫୁଲଫଳଠୁ ନାନାଦି ଔଷଧିୟ ବୃକ୍ଷ ନିଜ ବାଡିରେ ଲଗାଇଛନ୍ତି ବିମ୍ବାଧର । ନିଜେ ହୋମିଓପାଥି ଡାକ୍ତର ହୋଇଥିବାରୁ ଔଷଧିୟ ଗଛର ଉପକାରିତା ସେ ଭଲଭାବେ ଜାଣନ୍ତି ଆଉ ଲୋକଙ୍କୁ ବି ନିଜ ସେଥିରୁ ଔଷଧ ଦିଅନ୍ତି । ଖାଲି ସେତିକି ନୁହେଁ ସେ ମାଛ ଚାଷ ଓ ମହୁ ଚାଷ ବି କରନ୍ତି ।

ତେବେ ନିଜ ଘରବାଡିରେ ତ ସେ ଗଛ ଲଗାନ୍ତି ତାବାଦେ ନିଜ ଅଞ୍ଚଳର ରାସ୍ତା କଡରେ ବି ଆମ୍ବ, ବର, ଅଶ୍ୱସ୍ତ, ନିମ୍ବ ଆଦି ଗଛ ଲଗାନ୍ତି । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ତାଙ୍କ ଜୀବନକାଳ ଭିତରେ ସେ ଶତାଧିକ ବୃକ୍ଷରୋପଣ କରିିଥିବାରୁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ଗଛ ମଣିଷ ବୋଲି ବି କୁହାଯାଏ ।

ଆଜିର ବ୍ୟସ୍ତବହୁଳ ଦୁନିଆରେ ବୃକ୍ଷରୋପଣ କଥା ଚିନ୍ତା କରିବାକୁ ବି କାହା ପାଖରେ ସମୟ ନାହିଁ । ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ । ଆଉ ଏମିତି ଏକ ପରିସ୍ଥିତିରେ ଲୋକ ସେବା ଓ ପରିବେଶର ସେବା ପାଇଁ ଡାକ୍ତର ବିମ୍ବାଧର ଚାକିରି ନକରି ଗାଁରେ ହିଁ ରହିଛନ୍ତି । ଆଉ ପ୍ରକୃତିମାତାର ସେବା କରୁଛନ୍ତି । ତେବେ ସମ୍ବାଦ ଡିଜିଟାଲର ଅଭିନବ ପ୍ରୟାସ ପୁନଶ୍ଚ ପୃଥିବୀ ହିଁ ଏମିତି ବିମ୍ବାଧରମାନଙ୍କ ପାଇଁ ଆଗକୁ ବଢିବ ଆଉ ପୁଣି ଥରେ ନୂଆ ଆମ ପୁରୁଣା, ସବୁଜିମା ଭରା ପୃଥିବୀକୁ ଫେରାଇ ଆଣିବ । ଆସନ୍ତୁ ନିଜ ଭିତରେ ପରିବେଶ, ପ୍ରକୃତି ପାଇଁ ସଙ୍କଳ୍ପ ନେବା । ଯେବେ ସମୟ ମିଳିବ ଗଛଟେ ଲଗାଇବା ।