କନକ ବ୍ୟୁରୋ: ବିଏଡ୍ ପଢିବା ପାଇଁ କିଡନୀ ବିକିବାକୁ ଯୋଜନା କରିଥିଲେ ଦୃଷ୍ଟିବାଧିତ। ଅଗ୍ରିମ ୪୦ହଜାର ଟଙ୍କା ବି ନେଇଥିଲେ। ମାତ୍ର ରୋଗୀଙ୍କ ମୃତ୍ୟୁ ହୋଇଯିବାପରେ ଭିକ୍ଷା ମାଗି ଶୁଝୁଛନ୍ତି ଟଙ୍କା। ଶିକ୍ଷକ ହେବାକୁ ଇଚ୍ଛା ଥିବାରୁ ଭିକ୍ଷାବୃତ୍ତି କରି ବିଏଡ୍ ପାଠ ପଢୁଛନ୍ତି।
ଏ ଏମିତି ଏକ ଘଟଣା, ଯାହା ପ୍ରତ୍ୟେକ ବିବେକୀ ହୃଦୟକୁ ବିଚଳିତ କରିପକାଇବ। ଜୀବନ ପାଇଁ ଜରୁରୀ କିଡନୀକୁ ଜୀବିକା ପାଇଁ ବିକିଦେବାକୁ ପ୍ରସ୍ତୁତ ଯୁବକ । ଶୁଣିଲେ ଆଶ୍ଚର୍ୟ୍ୟ ହେବେ, ଜଣେ ଦୃଷ୍ଟିବାଧିତ ଛାତ୍ର ନିଜର ବିଏଡ୍ ଶିକ୍ଷା ସମାପ୍ତ କରିବା ପାଇଁ କିଡନୀ ବିକ୍ରି କରିବାକୁ ପ୍ରସ୍ତୁତ ହୋଇଥିଲେ। ଜଣେ ରୋଗୀଙ୍କଠାରୁ ୪୦ ହଜାର ଟଙ୍କା ଅଗ୍ରୀମ ବି ଆଣିଥିଲେ। ହେଲେ ଦୁର୍ଭାଗ୍ୟକୁ ସେହି ରୋଗୀଙ୍କ ମୃତ୍ୟୁ ହୋଇ ଯିବାରୁ ଭିକ୍ଷା ମାଗି ଅଗ୍ରୀମ ଟଙ୍କା ଶୁଝି ଦେଇଛନ୍ତି ।
ନାଁ- କୁଶ ଭଏନା
ଘର- ତିଲେଇପାଲି, ବୀରମହାଜପୁର, ସୋନପୁର
ସମ୍ବଲପୁରସ୍ଥିତ ପର୍ଶୁରାମ ମିଶ୍ର ବିଏଡ୍ କଲେଜରେ ପଢୁଛନ୍ତି କୁଶ। ୨୦୧୯ରେ ବ୍ରେନ ପାରାଲିସସ ପରେ ଦୃଷ୍ଟିଶକ୍ତି ହରାଇ ବସିଛନ୍ତି । ପିଲାଦିନୁ ବାପା, ମାଆଙ୍କୁ ହରାଇଥିଲେ। ଜୀବନ ଜୀଇଁବାକୁ ଦିନରାତି ସଙ୍ଘର୍ଷ ଚଳାଇଥିବାବେଳେ ନିଜର ଚିକିତ୍ସା ସହ ଘାରିଛି ବିଏଡ୍ ପାଠ ଶେଷ କରିବାର ଚିନ୍ତା ।
ଶିକ୍ଷକ ହେବାକୁ କୁଶଙ୍କ ଇଚ୍ଛା। ପେଟ ପୋଷିବା ସହ ପାଠଖର୍ଚ୍ଚ ତୁଲାଇବାକୁ ଭିକ୍ଷାବୃତ୍ତି କରି ଓ ଗୀତଗାଇ ରୋଜଗାର କରୁଛନ୍ତି । କେହି ରାଇଟର ନଥିବାରୁ ଦୁଇଟି ସେମିଷ୍ଟାରରେ କେବଳ ନାଁ ଓ ରୋଲନମ୍ୱର ଲେଖି ଚାଲିଆସିଛନ୍ତି । ତେଣୁ କେହି ରାଇଟର ଯୋଗାଇଦେଲେ ଶିକ୍ଷକ ହେବାର ସ୍ୱପ୍ନ ତାଙ୍କର ପୂରଣ ହୋଇପାରନ୍ତା ବୋଲି ଅତି ଦୁଃଖର ସହ କହିଛନ୍ତି ।
ଦିବ୍ୟାଙ୍ଗଙ୍କୁ ସହଯୋଗ ପାଇଁ ସରକାରୀ ସ୍ତରରେ କେତେକଣ ଯୋଜନା କାର୍ୟ୍ୟକାରୀ ହେଉଛି । ହେଲେ ଜଣେ ଦୃଷ୍ଟିବାଧିତ ଛାତ୍ର ନିଜର ଶିକ୍ଷା ସମାପ୍ତ କରିବାକୁ କିଡନୀ ବିକିବାକୁ ପ୍ରସ୍ତୁତ ହୋଇିଯିବା ବ୍ୟବସ୍ଥାର ଅସହାୟତାକୁ ହିଁ ଦର୍ଶାଉଛି।