ଗୋଟିଏ ହାତରେ ଚାଲିଛି ସଂସାର ରଥ: ମାଛ ବ୍ୟବସାୟ କରି ଚଳୁଛନ୍ତି କୋରାପୁଟର ଦିବ୍ୟାଙ୍ଗ ବୃନ୍ଦାବନ

95

କନକ ବ୍ୟୁରୋ: ଭିନ୍ନକ୍ଷମ ହୋଇ ବି ସେ ସକ୍ଷମ । ନିଜେ ତଥା ନିଜ ପରିବାର ଚଳାଇବା ପାଇଁ ସେ କାହା ଉପରେ ନିର୍ଭର୍ର କରନ୍ତି ନାହିଁ । ଗୋଟିଏ ହାତରେ ନିଜର ସମସ୍ତ କାମ କରିବା ସହ ମାଛ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଆମେ କହୁଛୁ କୋରାପୁଟ ସହରର ହାଟପଦାରେ ରହୁଥିବା ବୃନ୍ଦାବନ ବେହେରାଙ୍କ କଥା । ୮ ବର୍ଷ ବୟସରୁ ସେ ତାଙ୍କର ଗୋଟିଏ ହାତ ହରାଇଛନ୍ତି । ତଥାପି ଜୀବନ ଯୁଦ୍ଧରେ ହାର ମାନିନାହାନ୍ତି ବୃନ୍ଦାବନ । ଗୋଟିଏ ହାତରେ ଘର ଘର ବୁଲି ମାଛ ବିକ୍ରି କରନ୍ତି । କୋରାପୁଟରୁ ୬୦ କିଲୋମିଟର ଦୂରରେ ଥିବା ଲକ୍ଷ୍ମୀପୁର ଯାଇ ସେ ତାଙ୍କ ବ୍ୟବସାୟ କରନ୍ତି । ବୃନ୍ଦାବନଙ୍କ ସଂଘର୍ଷର କାହାଣୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସ୍ତ୍ରୀ ଓ ଦୁଇ ପୁଅ ଝିଅଙ୍କୁ ନେଇ ବୃନ୍ଦାବନଙ୍କର ରହିଛି ଛୋଟିଆ ସଂସାର । ପରିବାର ଚଳାଇବା ପାଇଁ ସପ୍ତାହକୁ ତିନି ଦିନ ଭୋର ସକାଳୁ ଲକ୍ଷ୍ମୀପୁର ଯାଆନ୍ତି ବୃନ୍ଦାବନ । ଘର ଘର ବୁଲି ଗୋଟିଏ ହାତରେ ମାଛ କାଟି ଗ୍ରାହକଙ୍କୁ ମାଛ ବିକ୍ରି କରନ୍ତି । ଗ୍ରାହକ ମଧ୍ୟ ତାଙ୍କ ଠାରୁ ବେଶ ଆଗ୍ରହର ସହ ମାଛ କିଣିନେଇଥାଆନ୍ତି । ଯାହାକିଛି ପଇସା ରୋଜଗାର ହୁଏ ସେଥିରେ ଚଳେ ବୃନ୍ଦାବନଙ୍କ ପରିବାର । ସରକାରୀ ସହାୟତା କହିଲେ ବୃନ୍ଦାବନଙ୍କୁ ମାତ୍ର ୫୦୦ ଟଙ୍କା ଭତା ମିଳୁଛି । ପ୍ରଶାସନ ପକ୍ଷରୁ ତାଙ୍କୁ ଆଉ କିଛି ସହାୟତା ଯୋଗାଇଦେଲେ ବ୍ୟବସାୟରେ ଆଉ କିଛି ଉନ୍ନତି ଆଣିପାରନ୍ତେ ବୋଲି କହିଛନ୍ତି ବୃନ୍ଦାବନ ।