ପୁରୀ ହାଜତ ମୃତ୍ୟୁ ମାମଲାରେ ଭିନ୍ନ ମୋଡ଼ : ରମେଶ ବାପା-ମା’ଙ୍କ ପତ୍ତା ମିଳୁନି ; ପରିବାର ପକ୍ଷରୁ ଥାନାରେ ହୋଇନି ଅଭିଯୋଗ

213

କନକ ବ୍ୟୁରୋ : ପୁରୀ ହାଜତ ମୃତ୍ୟୁ ମାମଲାର ନିଆଁ ଥମିବାକୁ ନାଁ ଧରୁନି । ଚାରିଆଡ଼େ ବିରୋଧର ସ୍ୱର ତୀବ୍ର ହେବାରେ ଲାଗିଛି । ଏଭଳି ସ୍ଥିତିରେ ମୃତ କେ. ରମେଶଙ୍କ ବାପା-ମା’ଙ୍କ କୌଣସି ସନ୍ଧାନ ନ ମିଳିବା ଘଟଣାକୁ ଭିନ୍ନ ମୋଡ଼ ଦେଇଛି । ହାଜତ ମୃତ୍ୟୁ କଥାକୁ ଲୁଚାଇବାକୁ ଯାଇ ପୁଲିସ ଏମାନଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ରମେଶଙ୍କ ମୃତ୍ୟୁର ତିନିଦିନ ପରେ ବି ବାପା-ମା’ଙ୍କ କୌଣସି ସନ୍ଧାନ ନ ମିଳିବା ଚାପ ପ୍ର‌ୟୋଗର ଅଭିଯୋଗକୁ ସତ୍ୟତା ଆଡ଼କୁ ନେଉଛି । ସେପଟେ ଏତେ ବଡ଼ ଘଟଣା ପରେ ବି ପରିବାର ଲୋକଙ୍କ ପକ୍ଷରୁ ଏ ସଂପର୍କରେ ଥାନାରେ କୌଣସି ଅଭିଯୋଗ ହୋଇନ । ପୁଲିସ କହୁଛି ବାପା-ମା’ଙ୍କୁ ଅଟକ ରଖିନି । ଯେଉଁଠି ବି ରମେଶଙ୍କ ବାପା-ମା’ ଅଛନ୍ତି, ସୁରକ୍ଷିତ ଅଛନ୍ତି ।

ପରିବାର ତଥା ସଂପର୍କୀୟମାନେ ଦୋହରାଇଛନ୍ତି କି ଗତ ୧୮ ତାରିଖ ଅପରାହ୍ନରେ ହିଁ ପୁଲିସ ରମେଶଙ୍କୁ ଘରୁ ଉଠାଇ ନେଇଥିଲା। ପରେ ବିଳମ୍ବିତ ରାତିରେ ବାପା-ମା’ଙ୍କୁ ଘରୁ ଉଠାଇ ନେଲା । ରମେଶଙ୍କୁ ନେବାବେଳେ ସେ ସୁସ୍ଥ ଥିଲେ। ଥାନା ଭିତରେ ପୁଲିସ ମାଡ଼ରେ ହିଁ ରମେଶଙ୍କ ମୃତ୍ୟୁ ହୋଇଛି । ରମେଶଙ୍କ ଦେହର ଦାଗ ଏହାକୁ ସ୍ପଷ୍ଟ ପ୍ରମାଣିତ କରୁଛି । ରମେଶଙ୍କୁ ପୁଲିସ ନେବାବେଳେ ସମସ୍ତେ ଦେଖିଛନ୍ତି । କିନ୍ତୁ ପୁଲିସ ରମେଶଙ୍କ ମୃତ୍ୟୁକୁ ଭିନ୍ନ ରୂପ ଦେବାକୁ ଚେଷ୍ଟା କରୁଛି । ରମେଶ ଗତ ୧୮ ତାରିଖରେ ଭୁବନେଶ୍ୱର ଯାଇନଥିଲେ କି କୌଣସି ସ୍ଥାନରେ ପୁଲିସ ସହିତ ତାଙ୍କର ଧସ୍ତାଧସ୍ତି ହୋଇନଥିଲା । ଘରୁ ହିଁ ରମେଶଙ୍କୁ ନିଆଗଲା ଓ ପିଟିପିଟି ମାରି ଦିଆଗଲା ବୋଲି ପରିବାର ଓ ସଂପର୍କୀୟମାନେ ଅଭିଯୋଗ କରିଛନ୍ତି ।
ସେପଟେ ମୃତ୍ୟୁର ତିନି ଦିନ ପରେ ବି ବାପା-ମା’ଙ୍କ କୌଣସି ସନ୍ଧାନ ନ ମିଳିବା ଘଟଣାକୁ ପରିବାର ଲୋକେ ଗୁରୁତର ସହ ନେଇଛନ୍ତି । ପୁଲିସ ବାପା-ମା’ଙ୍କୁ ନିଜ ହେପାଜତରେ ରଖି ମତ ବଦଳାଇବାକୁ ଚେଷ୍ଟା କରୁଛି । ଡରାଇ ବାପା-ମା’ଙ୍କ ମୁହଁରେ ମୃତ୍ୟୁକୁ ଭିନ୍ନ ଆକାର ଦେବାକୁ ଚେଷ୍ଟା କରୁଛି । ତୁରନ୍ତ ବାପା-ମା’ଙ୍କୁ ଖୋଜାଯାଉ । ନଚେତ୍‌ ବାପା-ମା’ଙ୍କ ଜୀବନ ବି ବିପଦ ଭିତରକୁ ଚାଲିଯିବ ବୋଲି ସଂପର୍କୀୟମାନେ କହିଛନ୍ତି ।