କନକ ବ୍ୟୁରୋ : ପ୍ରକୃତିର ସଂନ୍ତାନ ଆଦୀମ ଅଧିବାସୀ। ପ୍ରକୃତିକୁ ଭଲ ପାଉଥିବା ମୂଳ ଅଧିବାସୀ ଆଜି ବି ପ୍ରାକୃତିକ ପରିବେଶକୁ ଜାବୁଡ଼ି ଧରିଛନ୍ତି। ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ସେମାନେ ନିଜ ପରମ୍ପରା ଓ ସଂସ୍କୃତିକୁ ବଜାୟ ରଖିଛନ୍ତି। ପାହାଡ଼ ଉପରେ ଡଙ୍ଗରରେ ବାସ କରନ୍ତି। ଅତ୍ୟନ୍ତ ସରଳ ଓ ନିରାଡାମ୍ବର ଜୀବନ ଜାପନ କରନ୍ତି। ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ଅହରହ ସଂଗ୍ରାମ କରନ୍ତି। ଆମେ କଥା ହେଉଛେ, ରାୟଗଡ଼ାର ଡଙ୍ଗରର ଆଦୀମ ଅଧିବାସୀଙ୍କ ଜୀବନ କାହାଣୀ।
ପ୍ରକୃତିର ପ୍ରଥମ ସନ୍ତାନ ଆଦିମ ଜନଜାତି ଡଙ୍ଗରିଆ କନ୍ଧ। ୪୬୦୦ ଫୁଟ ଚଉଡ଼ା ନିୟମଗିରି ପାହାଡ଼ ଏମାନଙ୍କ ପରିଚୟ। ପରମ୍ପରାରେ ବିଶ୍ୱାସ ରଖୁଥିବା ଏହି ଜନଜାତି ଶୃଙ୍ଖଳିତ ଜୀବନଯାପନ କରନ୍ତି। ଡଙ୍ଗରିଆ ସମାଜରେ ଜାନି, ଦିଶାରୀ, ବିଶିମାଝୀ, ଗୁରୁ, ବେଜୁଣି ଓ ବେଜୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସକାଳୁ ଉଠିବା ଠାରୁ ଶୋଇବା ପର୍ଯ୍ୟନ୍ତ ସବୁ କିଛି ଚାଲେ ନିୟମରେ। ଦିନଚର୍ଯ୍ୟା ଆରମ୍ଭ ହୁଏ କୁକୁଡ଼ା ଡାକରୁ। ଗାଁର ହାନୀଲାଭ ବିଚାର ବିମର୍ଶ, ନିଷ୍ପତି ସବୁ କିଛି ହୁଏ, ଧରଣୀ ଦେବତାଙ୍କ ନିକଟ ବୈଠକରେ।
ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ଚାଷ କରି ପେଟ ପୋଷନ୍ତି। ପ୍ରଥମେ ମାଣ୍ଡିଆ, କାନ୍ଦୁଲ, ଖୋସଲା, କଟିଙ୍ଗ, ଝୁଡୁଙ୍ଗ ଆଦି ଚାଷ କରୁଥିଲେ। ପରବର୍ତି ସମୟରେ ସପୁରି, ପଣସ, ଆମ୍ବ, କଦଳୀ ଚାଷ କରି ଦୁଇ ପଇସା ରୋଜଗାର କରୁଛନ୍ତି । ପାହାଡ ଉପରେ ବିନା କାଟନାଶକ ବ୍ୟବହାରରେ ମିଶ୍ରିତ ଚାଷ କରନ୍ତି ।
ପରମ୍ପରା, ଧାର୍ମିୟ ଭାବନା, ସଂସ୍କୃତି ସହିତ ବନ୍ଧା। ଭଲ ଫସଲ ଅମଳ ଆଶାରେ ୩ ବର୍ଷରେ ଥରେ ପାଳନ୍ତି ମେରିଆ ପର୍ବ। ଡଙ୍ଗରିଆମାନେ ଭୌତିକ ଶକ୍ତିକୁ ବିଶ୍ୱାସ କରନ୍ତି। ମେରିଆ ପର୍ବ ଭଳି ମାଣ୍ଡିଆରାଣି, ଘଟପର୍ବ, ନୂଆଖାଇ ପର୍ବ ମଧ୍ୟ ପାଳନ କରିଥାନ୍ତି ଏହି ଆଦୀମ ଅଧିବାସୀ । ବିବାହ କାର୍ଯ୍ୟରେ ମଧ୍ୟ ରହିଛି ସ୍ୱତନ୍ତ୍ରତା। ଧାଙ୍ଗିଡି ବସାରେ ଯୁବକ ଯୁବତୀଙ୍କ ମନ ମିଶିଲେ ବାହାଘର ହୋଇଥାଏ।
ବିଶ୍ୱର ୨୨ ଭାଗରେ ଜନଜାତି ଲୋକ ବାସ କରନ୍ତି। ଏମାନଙ୍କ ଜନସଂଖ୍ୟା ପ୍ରାୟ ୫୦ କୋଟି । ୭ ହଜାର ଭାଷା ଓ ୫ ହଜାର ବିବିଧ ସଂସ୍କୃତି ରହିଛି। ଓଡ଼ିଶାରେ ୬୪ ପ୍ରକାର ଜନଜାତି ଲୋକ ବାସ କରୁଛନ୍ତି। ରାୟଗଡାରେ ଶୌରା, କନ୍ଧ, ଡଙ୍ଗରିଆ କନ୍ଧ, ଲାଞ୍ଜିଆଶୌରା, ପରଜା, ଓଧାଶବର ଓ ପେଙ୍ଗୁପରଜା ପରି ବିଭିନ୍ନ ଜନଜାତି ଲୋକ ବାସ କରନ୍ତି। ଡଙ୍ଗରିଆ ମହିଳାମାନେ କପଡାଗୁନ୍ଦା ସାଲ ବୁଣି ବ୍ୟବହାର କରିଥାନ୍ତି।
(ରିପୋର୍ଟ-ରାୟଗଡ଼ାରୁ ସ୍ମୃତି ରଞ୍ଜନ ମହାନ୍ତି)