କନକ ବ୍ୟୁରୋ : ୫୩ ବର୍ଷ ପରେ ନିଆରା ରଥଯାତ୍ରା। ତା’ ସହିତ ଦୁଇଦିନ ରଥଟଣା। କେବଳ ପୁରୀ ନୁହେଁ ରାଜ୍ୟର ବିଭିନ୍ନ କୋଣଅନୁକୋଣରେ ମହାପ୍ରଭୁଙ୍କ ଏହି ମହାନପର୍ବରେ ସାମିଲ ହୋଇଛନ୍ତି ଶ୍ରଦ୍ଧାଳୁ। ତେବେ କେନ୍ଦ୍ରାପଡ଼ା ଓ ଜୟପୁରରେ ରଥଟଣା ବେଳେ ଅଘଟଣ ଦେଖିବାକୁ ମିଳିଛି। ବଳଦେବ ଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥଟି ହଠାତ୍ ବାମ ମୋଡ଼ ନେଇ ଟ୍ରାକ୍ ବାହାରକୁ ଚାଲିଥିଲା। ସେହିପରି ଜୟପୁରରେ ଡାହାଣ ପାର୍ଶ୍ବର ଏକ କଡ଼ରେ ଲାଗିଯାଇଥିଲା ରଥ। ରଥକୁ ମୁଖ୍ୟ ରାସ୍ତାକୁ ଆଣିବା ପାଇଁ ମେସିନର ସହାୟତା ନିଆଯାଇଥିଲା।

Advertisment

ହଜାର ହଜାର ଭକ୍ତଙ୍କ ଗହଣରେ ଗଡ଼ୁଥିଲା ରଥ। ହଠାତ୍ ରଥ ବାମ ମୋଡ଼ ନେଇ ଟ୍ରାକ୍ ବାହାରକୁ ଚାଲିଯାଇଥିଲା। ଫଳରେ ଅଟକି ଯାଇଥିଲା ପ୍ରଭୁ ବଳଦେବ ଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ। ଯେତେ ଚେଷ୍ଟା କରିଥିଲେ ମଧ୍ୟ ରଥ ଉଠାଯାଇପାରି ନଥିଲା। ଶେଷରେ ପ୍ରଶାସନ ପକ୍ଷରୁ ମେସିନ୍ ସହାୟତାରେ ରଥ ଉଠାଯାଇଥିଲା। କାହିଁକି ଏପରି ଘଟିଲା, ତା’ର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପା। ସେହିପରି ଜୟପୁରରେ ରଥଟଣା ଚାଲିଥିବା ବେଳେ ହଠାତ୍ ଡାହାଣ ପାର୍ଶ୍ବର ଏକ କଡ଼ରେ ଲାଗିଯାଇଥିଲା ରଥ। ପ୍ରଥମେ ଜେସିବି ଓ ପରେ କ୍ରେନ୍ ସାହାଯ୍ୟରେ ରଥକୁ ମୁଖ୍ୟ ରାସ୍ତାକୁ ଆଣିବା ପାଇଁ ପ୍ରୟାସ କରାଯାଇଥିଲା।

ସେପଟେ ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଭବ୍ୟ ରଥଯାତ୍ରା। ମହିଳାଙ୍କ ଦ୍ବାରା ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟାଣିବାର ରହିଛି ପରମ୍ପରା। ଏହି ପବିତ୍ର ଯାତ୍ରାରେ ସାମିଲ ହୋଇ ରଥ ଟାଣିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡ଼ା। ସୋମବାର ପ୍ରଥମ ଦିନରେ ବଡଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥକୁ ଶ୍ରଦ୍ଧାଳୁମାନେ ଟାଣି ଟାଣି ନେଇ ମାଉସୀ ମା’ ମନ୍ଦିର ସମ୍ମୁଖ ପର୍ଯ୍ୟନ୍ତ ଆଣିଥିଲେ।

କେନ୍ଦୁଝର ବଡ ଦାଣ୍ଡରେ ଗଡ଼ିଛି ବିଶ୍ବର ସର୍ବବୃହତ ରଥ। ଶ୍ରୀ ଶ୍ରୀ ବଳଦେବକାଉଙ୍କ ମନ୍ଦିରଠାରୁ ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସାନ ଭାଇ ଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥ ଚାରିପଟ ତିନିଥର ପରିକ୍ରମା କରିବା ପରେ ରଥାରୁଢ଼ ହୋଇଥିଲେ।  କେନ୍ଦୁଝରର ଯୁବରାଜ ଧନୁର୍ଜ୍ଜୟ ନାରାୟଣ ଭଞ୍ଜଦେଓ ଛେରା ପହଁରା କରିବା ପରେ ରଥଟଣା ଆରମ୍ଭ ହୋଇଥିଲା। ବଡ଼ କଥା ହେଉଛି, ରଥର ଗୋଟିଏ ଦଉଡି କେବଳ ମହିଳା ମାନେ ଟାଣିଥିଲେ।

ତୃତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ନୀଳଗିରି ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ଘୋଷଯାତ୍ରା। ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରଥରେ ରଥାରୂଡ ହୋଇଛନ୍ତି କାଳିଆ ଠାକୁର। ଶ୍ରଦ୍ଧାଳଙ୍କୁ ଉପରେ ପାଣି ଛିଞ୍ଚନ ହେଉଥିବା ବେଳେ ଇନ୍ଦ୍ରଧନୁର ସାତରଙ୍ଗ ଦେଖିବାକୁ ମିଳିଥିଲା। ଏହି ଅବରେରେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀ ମଧ୍ୟ ରଥ ଟାଣିଥିଲେ।