ବଲାଙ୍ଗିରର ଭିନ୍ନ ଏକ ଦିବ୍ୟାଙ୍ଗ ଦମ୍ପତି । ଅନ୍ତରର ସ୍ୱରରେ ବାନ୍ଧି ହୋଇଛି ଜନ୍ମରୁ କଥା କହିପାରୁନଥିବା ବାଦଲ ଓ ସୁନିତା ସଂପର୍କ

174

କନକ ବ୍ୟୁରୋ: ବଲାଙ୍ଗିରର ବାଦଲ ଓ ସୁନିତା । ଏହି ଦିବ୍ୟାଙ୍ଗ ଦମ୍ପତିଙ୍କୁ ଦେଖିଲେ ନବେ ଦଶକର ନାନାପାଟେକର ଅଭିନିତ ଖାମୋସୀ ଚଳଚିତ୍ରର ଚରିତ୍ର ମନେ ପଡିଯାଏ । ଦୁହେଁ ସ୍ୱାମୀ-ସ୍ତ୍ରୀ କଥା କରି ପାରନ୍ତି ନାହିଁ । କିନ୍ତୁ ଏମାନଙ୍କ ଆଶା-ଭରସା ଓ ସ୍ୱପ୍ନ କୁନି ଝିଅ ଏବେ ଗାଲୁ ଗାଲୁ କରା କଥା କହୁଛି । ବାପା-ମାଆଙ୍କ ଠାର ବୁଝି ଏହି ଭିନ୍ନ ଦମ୍ପତ୍ତିଙ୍କ ମୁହଁର ଭାଷାକୁ ପରି ପ୍ରକାଶ କରୁଛି ।

ଖାମୋସୀ ଚଳଚିତ୍ରର କାହାଣୀ ପରି ବଲାଙ୍ଗିର ବେହେରାପାଲିର ଦିବ୍ୟାଙ୍ଗ ବାଦଲ ଓ ସୁନିତାଙ୍କ ଜୀବନ ଯାତ୍ରା । ଦୁହେଁ ବଲାଙ୍ଗିର ସହରର ହୋଇଥିଲେ ମଧ୍ୟ ଆଗରୁ କେହି କାହାକୁ ଦେଖି ନ ଥିଲେ, କି ଜାଣି ନଥିଲେ । ଚେନ୍ନାଇର ଏକ କପଡା କମ୍ପାନୀରେ କାମ କରିବା ବେଳେ ଦୁହିଁଙ୍କର ଭେଟ ହୁଏ । ପରବର୍ତୀ ସମୟରେ ବିଦ୍ୟାଙ୍ଗ ଦୁଇଟି ମନ ପରସ୍ପରଙ୍କ ହୃଦୟର ଭାଷାକୁ ପଢି ପ୍ରେମରେ ପଡନ୍ତି । ଜନ୍ମରୁ କଥା କହିପାରୁନଥିବା କି, ଶୁଣି ପାରୁନଥିବା ବାଦଲ ଓ ସୁନିତାଙ୍କ ଅନ୍ତରର ସ୍ୱରରେ ବାନ୍ଧି ହୁଏ ସଂପର୍କ ସେତୁ, ଗଢି ଉଠେ ଏକ କୁନି ସଂସାର । ଆଉ ଏମାନଙ୍କ ଜୀବନକୁ ଆହୁରି ସରସ ସୁନ୍ଦର କରିଛି ଏମାନଙ୍କ ୪ ବର୍ଷର କୁନି ଝିଅ ।

ଭଗବାନଙ୍କ କୃପାରୁ ଖୁବ୍ ସୁନ୍ଦର ଭାବେ ଆଗକୁ ବଢୁଛି ଦିବ୍ୟାଙ୍ଗ ବାଦଲ ଓ ସୁନିତାଙ୍କ ସୁଖର ସଂସାର । ବାପା-ମାଆ କଥା କହି ପାରୁନଥିବା ବେଳେ ୪ ବର୍ଷର କୁନି ଝିଅ ସେମାନଙ୍କ ଓଠର ଭାଷା ହୋଇଛି । ଭଲ ଭାବେ କଥା କହୁଛି, ସବୁ ଶୁଣି ପାରୁଛି । କୁନି ପିଲା ହେଲେ ମଧ୍ୟ ବାପା-ମାଆଙ୍କ ଠାର ବୁଝି କଅଁଳ ଜୀବନକୁ ଖୁବ୍ ସୁନ୍ଦର ଭାବେ ଜିଉଁଛି ।

ଏସବୁ ଭିତରେ ଦିବ୍ୟାଙ୍ଗ ବାଦଲ ଆଜିର ଯୁବସମାଜ ପାଇଁ ଏକ ଉଦାହରଣ ପାଲଟିଛନ୍ତି । କାରଣ ଦିବ୍ୟାଙ୍ଗ ବୋଲି କେବେ ନିଜକୁ ଦୁର୍ବଳନ୍ନେ କରି ନାହାନ୍ତି କି କାହା ପାଖରେ ହାତ ପତାଇ ନାହାନ୍ତି । ପାଠ ପଢିବା ସହ ନିଜେ ପରିଶ୍ରମ କରି ସ୍ତ୍ରୀ, ଝିଅ ଓ ବୁଢି ମାଆଙ୍କ ମୁହଁରେ ଦାନା ଦେଉଛନ୍ତି । ସେ କାମ କରୁଥିବା ଦୋକାନ ମାଲିକ, କୁହନ୍ତି ବାଦଲ ଏକା ୪ ଜଣଙ୍କ କାମ କରିବାରେ ସକ୍ଷମ । ଦିବ୍ୟାଙ୍ଗ ହୋଇ ମଧ୍ୟ ପରିଶ୍ରମ ବଳରେ ସଂସାର ଗାଡିକୁ ଆଗକୁ ନେଉଛନ୍ତି ବାଦଲ ଓ ସୁନିତା ।