କନକ ବ୍ୟୁରୋ: ବଡ଼ଦାଣ୍ଡକୁ ଓହ୍ଳାଇ ଆସିବେ ବଡ଼ଠାକୁର । ଏଥିପାଇଁ ପୁରୀରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଲାଣି । ରଥଯାତ୍ରାରେ ରଥାରୁଢ ଦିଅଁଙ୍କୁ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଭକ୍ତ ବଡ଼ଦାଣ୍ଡକୁ ଧାଇଁ ଅସିଛନ୍ତି । ଆଉ ବଡ଼ଠାକୁରଙ୍କ ପ୍ରେମରେ ଭାବବିହ୍ୱଳ ହୋଇପଡୁଛନ୍ତି ଭକ୍ତ ।

Advertisment

ଆଖିରେ ଲୁହ, ଛାତିରେ କୋହ । ଆରାଧ୍ୟ ଠାକୁର ପାଖରେ ଗୋଟିଏ ଅଭିମାନ । କାଳିଆ ମୋତେ ସାଥୀରେ ନେଉନି କାହିଁକି? ଜୀବନ ମୋହ ତୁଟି ଯାଇଛି । ମୁକ୍ତିର ମାର୍ଗ ଖୋଜି ଖୋଜି ବଡ଼ ଦାଣ୍ଡରେ ପଡ଼ିଛି ପାଦ । ବାଟ ଚାଲିବାକୁ ପାଦ ଅକ୍ଷମ । ଅଂଟା ସିଧା କରିବାକୁ ବଳ ନାହିଁ । ଆରଥରକୁ ସେ କାଳିଆ ଦର୍ଶନ କରିପାରିବେ ନା ନାହିଁ, ଭାବିଲା ବେଳକୁ ଭାବବିହ୍ୱଳ ହୋଇଯାଉଛନ୍ତି । ମୁକ୍ତି ପାଇଁ ପ୍ରାର୍ଥନା କରିବାକୁ ଭଦ୍ରକରୁ ପୁରୀ ଧାଇଁ ଆସିଛନ୍ତି ଜଣେ ଶତାୟୁ ଶ୍ରଦ୍ଧାଳୁ ।

ଭକ୍ତର ଭକ୍ତି ଓ ଶ୍ରଦ୍ଧାର ସାଧନ । କୋଳରେ ବାଳ ଗୋପାଳ । ବଡ଼ ଦାଣ୍ଡରେ ଭକ୍ତ । କୁନି କୃଷ୍ଣଙ୍କୁ କୋଳରେ ଧରି ମହାପ୍ରଭୁଙ୍କ ରଥଯାତ୍ରା ଦେଖିବାକୁ ବଙ୍ଗୀୟ ଭକ୍ତ ପ୍ରଭାତୀ ଦେବୀ । ବାଳ ଗୋପାଳଙ୍କୁ ନିଜର ପୁଅ ଭଳି ଲାଳନ-ପାଳନ କରୁଛନ୍ତି । କେତେବେଳେ ଗୀତ ଶୁଣାଇ ଦେଉଛନ୍ତି, ତ ଆଉ କେତେବେଳେ ସ୍ନେହ କରୁଛନ୍ତି । ଖରାରେ ଯେମିତି ଦେହ ତାତି ନଯିବ ସେଥିପାଇଁ ପୋଷାକ ମଧ୍ୟ ପିନ୍ଧାଇଛନ୍ତି । ଲୀଳାମୟଙ୍କ ଅପୂର୍ବଲୀଳା ରଥଯାତ୍ରା ପୂର୍ବରୁ ଭାବମୟ ହୋଇଉଠିଛି ବଡ଼ଦାଣ୍ଡ ।

ବଡ଼ ଦାଣ୍ଡରେ ଚାଲିଛି ବିଦେଶୀ ହାତର ଝାଡ଼ୁ । ଶ୍ରଦ୍ଧାର ସଫେଇ, ଭକ୍ତିର ଶକ୍ତି । ସୁଦୂର ରୁଷିଆ ମାଟିରୁ ଶ୍ରୀକ୍ଷେତ୍ର ଭୂମୀକୁ ଟାଣି ଆଣିଛି । ଭାବ ବିହ୍ୱଳ ହୋଇ ଗାଉଛନ୍ତି ଶ୍ରୀକୃଷ୍ଣ ଜଣାଣ । ରଥଯାତ୍ରା ପାଇଁ ପୁରୀ ଆସିଛନ୍ତି ରୁଷୀୟ ଦମ୍ପତି ସେରଗେଇ ଓ ଆନା ।

ଲୋକାରଣ୍ୟ ବଡ଼ଦାଣ୍ଡ । ଭକ୍ତିମୟ ପରିବେଶ । ଜଗାଦର୍ଶନ ପାଇଁ ଦୂରଦୂରାନ୍ତରୁ ଧାଇଁ ଆସିଛନ୍ତି ଭକ୍ତ । ମହାପ୍ରଭୁଙ୍କୁ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଚାତକ ପରି ଚାହିଁ ରହିଛନ୍ତି ଶ୍ରଦ୍ଧାଳୁ । କାଳିଆ ସାଆନ୍ତଙ୍କୁ ପାଖରେ ପାଇ ଭକ୍ତିରେ ବିଭୋର ହୋଇପଡ଼ିଛି ଭକ୍ତ । ନିଜର କୋହ ସମ୍ଭାଳି ପାରୁନାହାନ୍ତି । ଆଖିରୁ ଝରି ଆସୁଛି ଧାର ଧାର ଲୁହ । ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ସମୟରେ ନଜର ଆସିଥିଲା କିିଛି ଏଭଳି ଚିତ୍ର ।