କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କଲେ ଦିଲ୍ଲୀ କୋର୍ଟ । ୧୯୯୯ରେ ଝାଡଖଣ୍ଡ କୋଲବ୍ଲକ ଆବଂଟନ ବେଳେ ଦୁର୍ନୀତି ଅଭିଯୋଗ

962

କନକ ବ୍ୟୁରୋ : ଖଣି ଦୁର୍ନୀତି ମାମଲା । ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ । ମାମଲାର ଶୁଣାଣି କରି ସ୍ପେଶାଲ କୋର୍ଟ ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୧୯୯୯ ମସିହାରେ ଝାଡଖଣ୍ଡର ବ୍ରହ୍ମଡିଆ କୋଇଲା ଖଣି ଆବଂଟନରେ ଅନିୟମିତତା ଅଭିଯୋଗ ଆସିଥିଲା । ସ୍ପେଶାଲ ଜଜ୍ ଭରତ ପରାସର ଏହି ମାମଲାର ଶୁଣାଣି କରି ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆସନ୍ତା ଅକ୍ଟୋବର ୧୪ ତାରିଖରେ ଏହି ମାମଲାର ଦଣ୍ଡଶୁଣାଣି ଆସିବ । ୧୯୯୯ ମସିହାରେ କେନ୍ଦ୍ରରେ ବାଜପେୟୀ ସରକାର ଥିବା ବେଳେ ଦିଲ୍ଲୀପ ରାୟ କେନ୍ଦ୍ର କୋଇଲା ମନ୍ତ୍ରାଳୟ ଦାୟିତ୍ୱରେ ଥିଲେ ।

ଏହି ମାମଲାରେ ଦିଲ୍ଲୀପ ରାୟଙ୍କ ସମେତ କୋଇଲା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋଇଲା ମନ୍ତ୍ରାଳୟର ତତ୍କାଳୀନ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଏବଂ କାଷ୍ଟ୍ରୋନ୍ ଟେକ୍ନୋଲୋଜି ଲିମିଟେଡର ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ୍ ମାଇନିଂ ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଆସନ୍ତା ଅକ୍ଟୋବର ୧୪ରେ ଏହି ମାମଲାର ଦଣ୍ଡ ଶୁଣାଣି ହେବ ।