ମାଲକାନଗିରିର ରେଡ୍ କରିଡରରେ କେବେ ସରିବ ରାସ୍ତା କାମ ? ନକ୍ସଲ ଭୟର ଆଳରେ କାମ କରୁନି ଆନ୍ଧ୍ରର ଠିକା ସଂସ୍ଥା । 

64

କନକ ବ୍ୟୁରୋ : ୧୦ ବର୍ଷ ଧରି ଶେଷ ହୋଇପାରୁ ନାହିଁ ୪୫ କିଲୋମିଟର ରାସ୍ତା । ଆମେ କହୁଛୁ ମାଲକାନଗିରି ଜିଲ୍ଲାର ଗୋବିନ୍ଧପାଲି ଠାରୁ ମାଓ ଉପଦୃତ ମହୁପଦର ମୁଖ୍ୟ ରାସ୍ତାର କଥା । ମାଓବାଦୀଙ୍କ ଆଳ ଦେଖାଇ ଧିମେଇ ଯାଇଛି ରାସ୍ତା ନିର୍ମାଣ କାମ । ପୂର୍ତ ବିଭାଗ ମାଓ ଭୟର କଥା କହୁଛି । ହେଲେ ଏହାରି ଭିତରେ ଏହି ଅଞ୍ଚଳରେ ବିଏସଫ ଓ ଓଡିଶା ପୁଲିସର କ୍ୟାମ୍ପ ସ୍ଥାପନ ହୋଇସାରିଛି । ତଥାପି ଡେଡଲାଇନ ପରେ ଡେଡଲାଇନ ଗଡାଇ ଚାଲିଛି ଠିକା ସଂସ୍ଥା । ଆଉ ଏବେ ଗୋଡି ପଥରର ଅଭାବ କହି ଚୁପ ବସିଛି ପୂର୍ତ ବିଭାଗ ।

ମାଓଗଡକୁ ଗଡିବ ଗାଡି..ମୁଖ୍ୟ ସ୍ରୋତ ସହ ଯୋଡି ହେବେ ଦୁର୍ଗମ ଅଂଚଳବାସୀ । ଲାଲ କରିଡରରେ ରାସ୍ତା ସ୍ୱପ୍ନ । ମାଓ ପ୍ରବଣ ଅଂଚଳରେ ରାସ୍ତା ତିଆରି କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପରିକଳ୍ପନା କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଆଗେଇ ପାରୁନି ପ୍ରକଳ୍ପ କାମ । ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ଠାରୁ ମହୁପଦରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା । ୨୦୧୧ରେ ମାଲକାନଗିରି ପୂର୍ତ ବିଭାଗ ପକ୍ଷରୁ ୪୫ କିଲୋମିଟର ରାସ୍ତା ନିର୍ମାଣ କାମ ହାତକୁ ନିଆଯାଇଛି, କିନ୍ତୁ ଏକ ଦଶନ୍ଧି ପରେ ମଧ୍ୟ ନିର୍ମାଣ କାମ ଶେଷ ହୋଇପାରୁନାହିଁ ।

ମାଓବାଦୀଙ୍କ ଆଳ ଦେଖାଇ ରାସ୍ତା କାମ ଧିମେଇ ଯାଇଛି । କିନ୍ତୁ ସ୍ଥାନୀୟ ଲୋକେ କହୁଛନ୍ତି ଆଗ ଅପେକ୍ଷା ଏବେ ସୁରକ୍ଷା ବଢିଛି । ଗୋବିନ୍ଧପାଲି ଠାରୁ ମୋଟୁ ଯାଏଁ ୪ଟି ବିଏସଏଫ କ୍ୟାମ୍ପ ଓ ୩ ଓଡିଶା ପୁଲିସର ଫାଣ୍ଡି ରହିଛି । ମାଓ ଗତିବିଧି କମିଛି । ତଥାପି ମାଓବାଦୀଙ୍କ ଆଳ ଦେଖାଇ ଡେଡଲାଇନ ପରେ ଡେଡଲାଇନ ଗଡାଇ ଚାଲିଛି ରାସ୍ତା କାମ କରୁଥିବା ଆନ୍ଧ୍ରର ଠିକା ସଂସ୍ଥା ।

ରାସ୍ତା ନିର୍ମାଣ ଉଦ୍ଦେଶ୍ୟରେ କେନ୍ଦ୍ରର ଇଣ୍ଟିଗ୍ରେଟେଡ ଆକସନ ପ୍ଲାନ ବା ଆଇଏପ ଯୋଜନାର ଏଲ.ଡବ୍ଲୁ ପାଣ୍ଠିରୁ ୭୪ କୋଟି ୪୯ ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି । ୨୦୧୧ରେ ହାଇଦ୍ରାବାଦର ଆଇ.ଭି.ଆର.ସି.ଏଲ୍ ନାମକ ଏକ ଠିକା ସଂସ୍ଥାକୁ ରାସ୍ତା ନିର୍ମାଣ କାମ ଦିଆଯାଇଛି । ୨୦୧୪ରେ ରାସ୍ତା କାମ ସାରିବାକୁ ଡେଡଲାଇନ ଥିଲା । ପରବର୍ତ୍ତୀ ସମୟରେ ଡେଡଲାଇନ୍ ଗଡାଇ ଚାଲିଛି ସଂପୃକ୍ତ ଠିକା ସଂସ୍ଥା । ୨୦୧୪ରୁ ୨୦୧୫, ୨୦୧୮, ୨୦୧୯ ଓ ୨୦୨୦ ଯାଏଁ ଡେଡଲାଇନ ଘୁଞ୍ଚାଇ ସାରିଛି । ଏବେ ପୁଣି ଷଷ୍ଠ ଥର ପାଇଁ ୨୦୨୨କୁ ଡେଡଲାଇନ ବଢାଇବାକୁ ଆବେଦନ କରିଛି । ପ୍ରଥମରୁ ମାଓ ଭୟ କଥା କହୁଥିବା ଠିକା ସଂସ୍ଥା ଏବେ ଜିଲ୍ଲାରେ ଗୋଡି ପଥର ଅଭାବ ଥିବା ଯୁକ୍ତି ଦର୍ଶାଇଛି ।