ପୁରୀ ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ କଟକଣା : କୋଭିଡ୍ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ପ୍ରଶାସନର ନିଷ୍ପତ୍ତି 

ଲିଙ୍ଗରାଜଙ୍କ ସିଂହଦ୍ୱାର ଓ ବିନ୍ଦୁ ସାଗର କୂଳରେ ପିଣ୍ଡଦାନ, ପୟାଶ୍ରାଦ୍ଧ ବନ୍ଦ; ସୁନ୍ଦରଗଡରେ ଛଟ୍ ପୂଜା ଉପରେ କଟକଣା

101

କନକ ବ୍ୟୁରୋ : ପୟା ଶ୍ରଦ୍ଧାକୁ ଦୃଷ୍ଟିର ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ବଡ଼ ବଡ଼ିଆଙ୍କୁ ମନେ ପକାଇ କାଉଁରିଆ କାଠି ଜାଳିବାର ପରମ୍ପରା ଉପରେ କଟକଣା ଲଗାଯାଇଛି । ତେବେ ଶ୍ରାଦ୍ଧ ଦେଇପାରିବେ ଶ୍ରଦ୍ଧାଳୁ । କୋଭିଡ୍ କଟକଣାକୁ ଦୃଷ୍ଟି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ପ୍ରତିବର୍ଷ ପୟା ଶ୍ରାଦ୍ଧ ପାଇଁ ଶ୍ରୀକ୍ଷେତ୍ର ଚଳଚଂଚଳ ହୋଇଥାଏ । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସିଂହଦ୍ୱାର ଆଗରେ କାଉଁରିଆ କାଠି ଚଳାଇ ଥାଆନ୍ତି । ଦୀପାବଳୀରେ କାଉଁରିଆ ଜାଳି ବଡ଼ବଡ଼ୁଆଙ୍କୁ ଡ଼ାକିଥାଆନ୍ତି ଶ୍ରଦ୍ଧାଳୁ । କାଉଁରିଆ ଜାଳି ସହ ପିତୃପୁରଷଙ୍କୁ ପିଣ୍ଡଦାନ କରିବା ଦୀପାବଳୀରେ ପରମ୍ପରା ରହିଛି । କିନ୍ତୁ ଚଳିତ ବର୍ଷ କରୋନା କଟକଣା ପାଇଁ ମନ୍ଦିରକୁ ସର୍ବସାଧାରଣ ପ୍ରବେଶ ବନ୍ଦ ରହିଛି । ମନ୍ଦିର ନିକଟରେ କେହି କାଉଁରିଆ ଜଳାଇ ପାରିବେ ନାହିଁ ବୋଲି କଟକଣା ଲାଗୁ କରାଯାଇଛି ।

ଭୁବନେଶ୍ୱର ବିନ୍ଦୁସାଗରରେ ଦିଆଯିବନି ପୟା ଶ୍ରାଦ୍ଧ । ଚଳିତ ବର୍ଷ ଲିଙ୍ଗରାଜଙ୍କ ସିଂହଦ୍ୱାର ଓ ବିନ୍ଦୁ ସାଗର କୂଳରେ ପିଣ୍ଡଦାନ, ପୟାଶ୍ରାଦ୍ଧ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଲୋକ ଗହଳିକୁ ନଜରରେ  ରଖି କଟକଣା ଜାରି କରିଛି ବିଏମସି । ହଜାର ହଜାର ସଂଖ୍ୟାରେ ଲୋକେ ଲିଙ୍ଗରାଜ ମନ୍ଦିରର ବାଇଶି ପାହାଚରେ ଓ ବିନ୍ଦୁସାଗରରେ କୂଳରେ ପିଣ୍ଡଦାନ ଶ୍ରାଦ୍ଧ ଦେଇଥାନ୍ତି । ଚଳିତ ବର୍ଷ କଟକଣା କାରଣରୁ ଏଠାରେ ପୟା ଶ୍ରାଦ୍ଧରୁ ଲୋକମାନେ ବଂଚିତ ହେବେ ।

ଚଳିତ ବର୍ଷ ସୁନ୍ଦରଗଡରେ ଛଟ୍ ପୂଜା ଉପରେ କଟକଣା । ଏନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି । କରୋନା ଭୂତାଣୁ ସଂକ୍ରମଣକୁ ନଜରରେ ରଖି ଛଟ ପୂଜାକୁ ଏଥର ବାରଣ କରାଯାଇଛି । ଛଟ ପୂଜା ସମୟରେ ନଦୀ କୂଳରେ ଶହ ଶହ ମହିଳାଙ୍କ ଭିଡ ଜମିଥାଏ । ସୂର୍ଯ୍ୟଙ୍କୁ ପୂଜା କରିବା ସହ ସ୍ତ୍ରୀ ଲୋକମାନେ ପରିବାରର ମଙ୍ଗଳ କାମନା କରି ଏହି ପୂଜା କରିଥାନ୍ତି । ତେବେ କୋଭିଡକୁ ନଜରରେ ରଖି ଏହା ଉପରେ କଟକଣା ଲାଗୁ କରାଯିବା ସହ ଏଥର ପୂଜାକୁ ଘରେ ରହି ରୀତିନୀତି ସହ ପାଳନ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଛି ପ୍ରଶାସନ । ପ୍ରଶାସନର ନିର୍ଦ୍ଦେଶକୁ କୌଣସି ମତେ ଅବମାନନା କରାଗଲେ , ମହାମାରୀ ଆଇନରେ ଦଣ୍ଡିତ କରାଯିବ ବୋଲି କହିଛି ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ।