କନକ ବ୍ୟୁରୋ : ଆଜି ରାତିରେ ସାରା ରାଜ୍ୟରେ କର୍ଫ୍ୟୁ । ରାତି ୧୦ରୁ ସକାଳ ୫ଟା ଯାଏଁ ଜାରି ହେଲା କଟକଣା । ଆଜି ଓ କାଲି ସର୍ବସାଧାରଣ ସ୍ଥାନରେ ନୂଆବର୍ଷ ପାଳନ ମନା । କଟକ, ଭୁବନେଶ୍ୱରରେ ୧୪୪ ଧାରା । ରାତି ୯ଟା ପରେ ଘରୁ ନବାହାରିବାକୁ ପରାମର୍ଶ ।

Advertisment

କରୋନା ଭୟ ଯୋଗୁଁ ବର୍ଷ ତମାମ କଟକଣା ଭିତରେ ଦିନ କଟିଥିବା ବେଳେ ବର୍ଷର ଶେଷ ଦିନରେ ବି ଲାଗୁ ହୋଇଛି ନାଇଟ୍ କର୍ପ୍ୟୁ । ବିଟ୍ରେନର ନୂଆ ଷ୍ଟ୍ରେନ୍ ନୂଆ ଚ୍ୟାଲେଂଜ ସୃଷ୍ଟି କରିଥିବା ବେଳେ ଅଧ ରାତିରେ ନୂଆବର୍ଷ ପାଳନ ଉପରେ ଶକ୍ତ କଟକଣା ଲଗାଇଛି ପ୍ରଶାସନ ।

ଜିରୋ ନାଇଟ ସେଲିବ୍ରେସନକୁ ଦୃଷ୍ଟିରେ ରଖି ରାଜ୍ୟରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । ରାତି ୧୦ଟାରୁ ସକାଳ ୫ଟା ଯାଏ ସାରା ରାଜ୍ୟରେ କର୍ଫ୍ୟୁ ବଳବତର ରହିବ । ତେବେ କର୍ଫ୍ୟୁ ସମୟରେ ଜରୁରୀକାଳୀନ ସେବା ଓ ଯାତାୟାତକୁ ଅନୁମତି ମିଳିବ । କରୋନା ସଂକ୍ରମଣ ବଢ଼ିବା ଭୟ ରହିଥିବାରୁ ଏଥିରେ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ରାଜ୍ୟ ସରକାର ।

ସାରା ରାଜ୍ୟରେ ରାତି ୧୦ଟାରୁ କର୍ପ୍ୟୁ ଜାରି ହେଉଥିବା ବେଳେ କଟକ ଓ ଭୁବନେଶ୍ୱରରେ ରାତି ୯ଟା ପରେ ଘରୁ ବାହାରିବାକୁ ବାରଣ କରାଯାଇଛି । ବ୍ୟାପକ ପୋଲିସ ମୂତୟନ ହେବା ସହ ଯେଉଁମାନେ ନିୟମ ଉଲଂଘନ କରିବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଚେତାବନୀ ଦେଇଛି କମିସନରେଟ୍ ପୋଲିସ । ନଜର ପକାନ୍ତୁ ଟ୍ୱିନ୍ ସିଟିରେ କ’ଣ ରହିଛି କଟକଣା ।

ଟ୍ୱିନ୍ ସିଟିରେ କଡ଼ା କଟକଣା 

ଦ୍ୱେତନଗରୀରେ ୧୪୪ ଧାରା ଜାରି

ରାତି ୯ଟା ପୂର୍ବରୁ ହୋଟେଲ, ବାର୍ ବନ୍ଦ

୯ଟା ପରେ ଘରୁ ବାହାରିବା ମନା

ଭୋଜି ଆୟୋଜନ ନକରିବାକୁ ପରାମର୍ଶ

ମୁତୟନ ହେବେ ୪୦ ପ୍ଲାଟୁନ ଫୋର୍ସ

ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ

କଟକ, ଭୁବନେଶ୍ୱରରେ ରାତି ୯ଟାରୁ ହୋଟେଲ ବନ୍ଦ ନେଇ ପୋଲିସ କମିସନର ସୂଚନା ଦେବା ପରେ ଉଦବେଗ ପ୍ରକାଶ କରିଛନ୍ତି ହୋଟେଲ ବ୍ୟବସାୟୀ ।

ସେପଟେ ଜିରୋ ନାଇଟ୍ ସେଲିବ୍ରେସନ ଓ ନୂଆ ବର୍ଷ ପାଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ମଧ୍ୟ କଟକଣା ଜାରି ହୋଇଛି । ଦୁଇ ଦିନ ପାଇଁ  ନାଇଟ କର୍ଫ୍ୟୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ରାତି ୧୧ଟାରୁ ସକାଳ ୬ଟା ଯାଏଁ ଏହି କଟକଣା ବଳବତର ରହିବ । ସେହିପରି ମୁମ୍ବାଇରେ ମଧ୍ୟ ସମାନ ଢ଼ଙ୍ଗରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି ।