ଆକସ୍ମିତ ମୃତ୍ୟୁ ପରେ ମହିଳାଙ୍କୁ ଝୁରୁଛନ୍ତି କୁକୁର, ଶବପାଖେ ଜଗି ବସିଛନ୍ତି । ସମ୍ବଲପୁରରୁ ଆସିଲା ପଶୁ-ମଣିଷର ପ୍ରୀତିଭରା ସମ୍ପର୍କ

197

କନକ ବ୍ୟୁରୋ: ତାଙ୍କର କେହି ନଥିଲେ..ନା ପରିବାର, ନା ସମ୍ପର୍କୀୟ । ଏକାନ୍ତ ଜୀବନରେ ଶୂନ୍ୟତା ହିଁ ଥିଲା ସବୁକିଛି । କିନ୍ତୁ ଏ କୁକୁରମାନେ ହିଁ ତାଙ୍କ ଜୀବନକୁ କରିଥିଲେ ରଙ୍ଗୀନ । ନିଜେ ମାଗିଯାଚି ଖାଉଥିଲେ ବି ପେଟରୁ କାଟି କୁକୁରଙ୍କୁ ଖୁଆଉଥିଲେ । ଆଉ ଅପରିଚିତା ମହିଳାଙ୍କ ଆତ୍ମୀୟତା ଭିତରେ ମଣିଷଠୁ ମମତା ପାଉଥିଲେ କୁକୁର । ସେଇଥିପାଇଁ ତ ମହିଳାଙ୍କ ମୃତ୍ୟୁ ପରେ ତାଙ୍କୁ ମଶାଣୀ ନଛାଡିବାକୁ ମାଟିରେ ଗୋଡ କଚାଡି ମନା କରୁଛନ୍ତି ଏ କୁକୁରମାନେ । ଶବ ପାଖରେ ନିଜ ସ୍ନେହୀ ମାକୁ ହରାଇ କାନ୍ଦୁଛନ୍ତି କୁକୁରମାନେ..

ତେବେ ସମ୍ବଲପୁର ବୁର୍ଲା ନେତାଜୀ କ୍ଲବରେ ରହୁଥିଲେ ଜଣେ ଅପରିତା ମହିଳା । ୨୦-୨୫ ବର୍ଷ ହେବ ଉକ୍ତ କ୍ଲବରେ କାମଧନ୍ଦା କରି ଆସୁଥିବା କୁଦଙ୍କୁ ସେହି କ୍ଲବର ଯୁବକମାନେ ଯାହା ଦିଅନ୍ତି ତାକୁ ଖାଇ ସେହି କ୍ଲବରେ ରୁହନ୍ତି । ତେବେ ପରହାତ ପତାରେ ପେଟକୁ ଗଣ୍ଡେ ଦାନା ଦେଉଥିବା ଏ ମହିଳା ନିଜ ଖାଦ୍ୟରୁ କୁକୁରଙ୍କ ଖାଇବାକୁ ଦିଅନ୍ତି । ଏମିତି କି ରାତିରେ ମହିଳାଙ୍କ ପାଖରେ କୁକୁରମାନେ ବି ଶୁଅନ୍ତି । ମଣିଷ-କୁକୁରଙ୍କ ଏ ପ୍ରେମ କାହାଣୀ ସେତେବେଳେ ସମାଜ ଦେଖିଛି ଯେତେବେଳେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଛି ଆଉ ତାଙ୍କୁ ନେତାଜୀ କ୍ଲବର ଯୁବକମାନେ ମଶାଣୀ ନେଉଛନ୍ତି ସେତେବେଳେ ମହିଳାଙ୍କ ଶବଗାଡିକୁ ଛାଡିବାକୁ ନାରାଜ କୁକୁରମାନେ । ଯାହା ଏ ଚିତ୍ର ହିଁ ବୟାନ କରୁଛି । ଏମିତି ଲାଗୁଛି ସତେକି କୁକୁରମାନେ ଶେଷନିଦ୍ରାରେ ଶୋଇଥିବା ମହିଳାଙ୍କୁ ମାଟିରେ ଗୋଡ କଚାଡି କଚାଡି ଉଠ ଉଠ ବୋଲି କହୁଛନ୍ତି ।

ଏତିକିରେ ସରି ନଥିଲା ମଣିଷ-କୁକୁରର ସ୍ନେହ ମମତାର ସମ୍ପର୍କ । ମଶାଣୀରୁ ସିନା କୁକୁର ନିରାଶ ହୋଇ ଫେରିଲା କାଳେ ସେ ରହୁଥିବା କ୍ଲବରେ ତାଙ୍କ ମଣିଷ ମାଆ ଥିବ ସେଇ ଆଶାରେ କ୍ଲବ ଆଗରେ ଘୁରିବୁଲୁଛନ୍ତି କୁକୁର । ଆଉ କୁକୁରଙ୍କ ଏ ଦୁଃଖ ଦେଖିନପାରି ଖାଇବାକୁ ଦେଇଛନ୍ତି କ୍ଲବର ପିଲାମାନେ । ତେବେ ପଶୁ କେମିତି ମଣିଷର ସ୍ନେହରେ ବାନ୍ଧି ହୋଇ, ମୃତ୍ୟୁ ପରେ ମାଆ ଛେଉଣ୍ଡ ହୋଇଯାଏ ତାହା ସମ୍ବଲପୁରରୁ ଆସିଥିବା ଏହି ଘଟଣାରୁ ଜାଣି ହେଉଛି ।