ଡିଆରଡିଓ ତଥ୍ୟ ଲିକ୍ ମାମଲା : ସାମ୍ନାକୁ ଆସିଲା ରାଜସ୍ଥାନ ଲିଙ୍କ; ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଫଶାଇଥିଲା ରହସ୍ୟମୟୀ ମହିଳା

 ଓଡ଼ିଶା କ୍ରାଇମବ୍ରାଞ୍ଚ ଯୋଗାଯୋଗ କଲା ରାଜସ୍ଥାନ ସିଆଇଡି

131

କନକ ବ୍ୟୁରୋ : ଡିଆରଡିଓ ତଥ୍ୟ ଲିକ୍ ଘଟଣା । ଓଡ଼ିଶା ପରେ ସାମ୍ନାକୁ ଆସିଲା ରାଜସ୍ଥାନ ଲିଙ୍କ । ଯୋଧପୁରର ଜଣେ ଚତୃର୍ଥ ଶ୍ରେଣୀ କର୍ମଚାରୀ ଯୁବକଙ୍କୁ ଫାସରେ ପକାଇଛି ମହିଳା । ମିଲେଟ୍ରି ଇଂଜିନିୟରିଂ ସର୍ଭିସର ହେଉଛନ୍ତି ଯୁବକ । ଅଫିସର ଗୁରୁତ୍ୱପୁର୍ଣ୍ଣ ତଥ୍ୟ ମହିଳାଙ୍କୁ ପଠାଇଥିବା ଜଣାପଡ଼ିଛି । ଗତ ୧୫ ତାରିଖରେ ରାଜସ୍ଥାନ ସିଆଇଡିରେ ଏନେଇ କେସ୍ ହୋଇଛି ।ଓଡ଼ିଶା କ୍ରାଇମବ୍ରାଞ୍ଚକୁ ଯୋଗାଯୋଗ କରିଛି ରାଜସ୍ଥାନ ସିଆଇଡି । ପୂର୍ବରୁ ଆସିଥିବା ୩୮ ହଜାର ଟଙ୍କାର ହିସାବ ମିଳଥିିବା ଡିସିପି କହିଛନ୍ତି । ଦୁବାଇର ଲୁଲୁ ଇଂଟର ନ୍ୟାସନାଲ ଏକ୍ସଚେଂଜ ସେଂଟରରୁ ୨୪ ହଜାର ଟଙ୍କା ୫ଜଣ ଅଭିଯୁକ୍ତଙ୍କୁ ଆସିଥିଲା । ବଳକା ଟଙ୍କା କେଉଁଠାରୁ ଆସିଛି ତାର ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ ।

ଓଡ଼ିଶାରେ ଚାନ୍ଦିପୁର ଆଇଟିଆର ତଥ୍ୟ ମାମଲା ଗଲା ଦୁଇ ମାସ ହେବ ଚହଳ ସୃଷ୍ଟି କରିଥିବା ବେଳେ ଏବେ ସାମ୍‌ନାକୁ ଆସିଛି ଏହି ଯୋଧପୁର ଲିଙ୍କ୍ । ରାଜସ୍ଥାନ ସିଆଇଡି ଚଳିତ ଅକ୍ଟୋବର ୧୫ ତାରିଖରେ ପାକିସ୍ତାନୀ ମହିଳା ବିରୋଧରେ ଏକ ମାମଲା ରୁଜୁ କରିଛି। ଯେଉଁ ୟୁକେ ନମ୍ବରରୁ ମହିଳା ଜଣକ ଚିଫ୍ ଇଞ୍ଜିନିୟର ଅଫିସର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଯୋଗାଯୋଗ କରୁଥିଲା, ଉକ୍ତ ନମ୍ବରକୁ ଏବେ ଅନୁଧ୍ୟାନ କରାଯାଉଛି। ୟୁକେର ଏହି ନମ୍ବରର ପ୍ରକୃତ ବ୍ୟବହାରକାରୀ କିଏ ସେ ନେଇ ତଦନ୍ତ କରାଯାଉଛି । ଯୋଧପୁର ସିଆଇଡି ପାକିସ୍ତାନୀ ମହିଳାର ହ୍ବାଟସଆପ୍, ଫେସବୁକ, ଇନଷ୍ଟାଗ୍ରାମ ଆକାଉଣ୍ଟ ଜବତ କରିଛି । ଯୋଧପୁର ମାମଲା ବ୍ୟତୀତ ଚାନ୍ଦିପୁର ମାମଲାରେ ଦୁବାଇରୁ ହୋଇଥିବା ଟଙ୍କା କାରବାର ମାମଲାରେ କ୍ରାଇମବ୍ରାଞ୍ଚ ଟଙ୍କା ପଠାଇଥିବା ସଂସ୍ଥା ସମ୍ପର୍କରେ ସୂଚନା ହ‌ାତେଇଛି ।

ଆଇଟିଆରର ଏସି ଅପରେଟର୍ ବସନ୍ତ ବେହେରା ଯେଉଁ ବ୍ୟାଙ୍କ୍ ଆକାଉଣ୍ଟକୁ ଦୁବାଇର ଦୁଇଟି ଆକାଉଣ୍ଟରୁ ଟଙ୍କା ଆସିଛି, ସେ ସମ୍ପର୍କରେ କ୍ରାଇମବ୍ରାଞ୍ଚ ବାଲେଶ୍ବରର ଉକ୍ତ ବ୍ୟାଙ୍କକୁ ତଥ୍ୟ ମାଗିଥିଲା। ତଥ୍ୟ ବଳରେ ଦୁବାଇର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଠାବ ହୋଇଥିବାବେଳେ ଗୋଟିଏ ଲୁଲୁ ଇଣ୍ଟରନ୍ୟାସନାଲ୍ ଏକ୍ସଚେଞ୍ଜ ବୋଲି ଜଣାପଡ଼ିଛି। ଏହି ଲୁଲୁ ଇଣ୍ଟରନ୍ୟାସନାଲ୍ ଏକ୍ସଚେଞ୍ଜ ମାଧ୍ୟମରେ ବସନ୍ତ ନିକଟକୁ ୨୪ ହଜାର ଟଙ୍କା ଆସିଛି। କିନ୍ତୁ ଏହି ଏକ୍ସଚେଞ୍ଜରେ ଆକାଉଣ୍ଟ ହୋଲଡର୍ କିଏ, ସେ ନେଇ କ୍ରାଇମବ୍ରାଞ୍ଚ ଅଧିକ ଖୋଳତାଡ଼ ଚଳାଇଛି। କିନ୍ତୁ ଅବଶିଷ୍ଟ ୧୪ ହଜାର ଟଙ୍କା ଦୁବାଇର କେଉଁ ବ୍ୟାଙ୍କରୁ ଆସିଛି, ସେ ନେଇ ତଥ୍ୟ ବର୍ତ୍ତମାନ ସୁଦ୍ଧା ବାଲେଶ୍ବର ବ୍ୟାଙ୍କ କର୍ତ୍ତୃପକ୍ଷ କ୍ରାଇମବ୍ରାଞ୍ଚକୁ ଦେଇ ନାହାନ୍ତି ।

ଇଣ୍ଟରନ୍ୟାସନାଲ୍ ଓୟାର ଟ୍ରାନ୍ସଫର୍ ମାଧ୍ୟମରେ ଏହି ଟଙ୍କା ଦୁବାଇରୁ ବାଲେଶ୍ବର ଟ୍ରାନସଫର ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ଅନ୍ୟପଟେ ପାକିସ୍ତାନୀ ମହିଳାର ଫୋନ୍ କଲ୍ ଭର୍ଚୁଆଲ୍ ମୋଡରେ ଆସିଥିବା ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟର ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରେସପନସ୍ ଟିମ୍ ସ୍ପଷ୍ଟ କରିଛି। ପାକିସ୍ତାନୀ ମହିଳାର ମୋଟ ୭ଟି ଫେସବୁକ ଆକାଉଣ୍ଟରୁ ୩ଟି ପାକିସ୍ତାନର ଇସଲାମାବାଦ ଏବଂ ଗୋଟିଏ ରାଓଲପିଣ୍ଡିରୁ ନିୟନ୍ତ୍ରଣ ହେଉଥିବାରୁ ୟୁକେର ଭର୍ଚୁଆଲ୍ ନମ୍ବର ବ୍ୟବହାର କରି କ୍ରାଇମବ୍ରାଞ୍ଚକୁ ଅନ୍ଧାରରେ ରଖିବାକୁ ଉଦ୍ୟମ କରିଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ।

କରାଚୀରେ ଥିବା ହନିଟ୍ରାପ୍ ହେଡକ୍ବାର୍ଟରରେ ପ୍ରକୃତରେ ମହିଳା ଜଣକ ରହି ଉଭୟ ଚାନ୍ଦିପୁର ଓ ଯୋଧପୁରରେ ୬ ଜଣ ସରକାରୀ କର୍ମଚାରୀଙ୍କୁ ହନିଟ୍ରାପରେ ଫସାଇଥିବା ତଦନ୍ତରୁ ଜଣାପଡିଛି । ଆହୁରି ୩ ଆକାଉଣ୍ଟର ଠିକଣା ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ନିଜ କମ୍ପ୍ୟୁଟରର ଆଇପ ଆଡ୍ରେସ୍ ମାସ୍କିଂ କରି ଏହି ଆକାଉଣ୍ଟ ଚଲାଇବା ପାଇଁ ପାକିସ୍ତାନୀ ମହିଳା ଆମେରିକା ଏବଂ ଜର୍ମାନୀର ପ୍ରକ୍ସି ଆଇପି ବ୍ୟବହାର କରୁଛି। ଏହାଦ୍ବାରା ନିଜର ପ୍ରକୃତ ଠିକଣା ଇଣ୍ଟରନେଟରେ ସହଜରେ ଲୁଚାଯାଇପାରୁଥିବାରୁ କ୍ରାଇମବ୍ରାଞ୍ଚ ଅବଶିଷ୍ଟ ୩ଟି ଫେସ୍‌ବୁକ ଆକାଉଣ୍ଟର ପ୍ରକୃତ ଠିକଣା ବର୍ତ୍ତମାନ ସୁଦ୍ଧା ପାଇପାରିନାହିଁ ।

ଇଣ୍ଡିଆନ୍ କମ୍ପ୍ୟୁଟର ଏମରଜେନ୍ସି ରେସପନସ୍ ଟିମ୍ ଏହି ଆକାଉଣ୍ଟର ଠିକଣା ଖୋଜିବାରେ ଲାଗିଛି। କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା କହିଛନ୍ତି ଯେ ଦୁବାଇରୁ ଆସିଥିବା ଗୋଟିଏ ଆକାଉଣ୍ଟର ୨୪ ହଜାର ଟଙ୍କା ଲୁଲୁ ଇଣ୍ଟରନ୍ୟାସନାଲ୍ ଏକ୍ସଚେଞ୍ଜ ମାଧ୍ୟମରେ ଆସିଥିବା ସ୍ପଷ୍ଟ ହୋଇଛି। ଚାନ୍ଦିପୁର ମାମଲାରେ ସମ୍ପୃକ୍ତ ମହିଳା ରାଜସ୍ଥାନରେ ସମାନ ଧରଣର ଘଟଣା ଘଟାଇଥିବାରୁ ସେଠାକାର ସିଆଇଡି ଏକ ମାମଲା ରୁଜୁ କରିଛି। ରାଜସ୍ଥାନ ସିଆଇଡି ସହିତ ଓଡ଼ିଶା କ୍ରାଇମବ୍ରାଞ୍ଚ ଯୋଗାଯୋଗରେ ଥିବା ଏଡିଜି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।