ଓଡ଼ିଶାରେ କରୋନା ଭୟ । ସନ୍ଦେହରେ ଓଡ଼ିଶା ଛାତ୍ର ! ନିକଟରେ ଓଡ଼ିଶା ଫେରିଥିଲେ ଚୀନରେ ମେଡିକାଲ ପଢୁଥିବା ଫୁଲବାଣୀର ଛାତ୍ର, ଚିକିତ୍ସା ପାଇଁ ପଠାଯାଇଛି କଟକ ଏସସିବି ।

442

କନକ ବ୍ୟୁରୋ : ସାରା ବିଶ୍ୱରେ କରୋନା ଭୂତାଣୁକୁ ନେଇ କୋକୁଆ ଭୟ ଭିତରେ ଓଡିଶାରେ ଏହି ଭୂତାଣୁ ପହଁଚିଥିବା ନେଇ ସନ୍ଦେହ ବଢିଛି । ଚୀନରେ ଏମବିବିଏସ୍ ପଢୁଥିବା ଫୁଲବାଣୀର ଜଣେ ଛାତ୍ରଙ୍କୁ ଥଣ୍ଡାକାସ ଲାଗି ରହିଛି । ଚୀନରୁ ଫେରିବା ପରେ ଫୁଲବାଣୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ପରେ ତାଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଛି । ସେପଟେ ଚୀନରେ ଏହି ଭୂତାଣୁରେ ୨୧୩ ଜଣଙ୍କ ମୃତ୍ୟୁ ହେଲାଣି । ଗୋଟିଏ ପରେ ଗୋଟିଏ ଦେଶକୁ ଭୂତାଣୁ ବ୍ୟାପୁଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ହେଲଥ ଏମରଜେନସି ଘୋଷଣା କରିଛନ୍ତି ।

କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ କଟକଣା ମଧ୍ୟ ଜାରି କରିଛନ୍ତି । ଆଉ ଠିକ୍ ଏତିକି ବେଳେ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ଜଣେ ଛାତ୍ରଙ୍କ ଉପରେ ବଢୁଛି ସନ୍ଦେହ ।

ଓଡ଼ିଶାରେ କରୋନା ଭୟ । ସନ୍ଦେହରେ ଓଡ଼ିଶା ଛାତ୍ର! ଚୀନରେ ଏମବିବିଏସ୍ ପଢୁଥିବା ଫୁଲବାଣୀର ଜଣେ ଛାତ୍ରଙ୍କୁ ଥଣ୍ଡାକାସ ଲାଗି ରହିଥିବାରୁ ଏବେ ଏହି ଛାତ୍ରଙ୍କ ଉପରେ ରହିଛି ନଜର । ଗତ ୧୨ ତାରିଖରେ ଚୀନରୁ ଫେରିଥିଲେ ଏହି ଛାତ୍ର । ଆଉ ସେଠୁ ଫେରିବାର କିଛି ଦିନ ପରେ ତାଙ୍କୁ ଅଚାନକ୍ ଥଣ୍ଡାକାସ୍ ହୋଇଥିଲା । ଏ ସଂପର୍କରେ ସିଡିଏମଓକୁ ଯୋଗାଯୋଗ କରିଥିଲେ ସଂପୃକ୍ତ ଛାତ୍ର । ଆଉ ତାଙ୍କୁ ଫୁଲବାଣୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି ।

ତେବେ ଏହି ଛାତ୍ର ଯେଉଁ କାରଣରୁ ଜ୍ୱରରେ ପୀଡ଼ିତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଯେହେତୁ ସେ ଚୀନରେ ରହି ଡାକ୍ତରୀ ପାଠ ପଢୁଛନ୍ତି ଏବଂ ଚୀନରେ କରୋନା ଭାଇରସର ଉତ୍କଟ ରୂପ ନେଇଛି । ସୁରକ୍ଷା ଦୃଷ୍ଟି କୋଣରୁ ତାଙ୍କ ଚିକିତ୍ସାକୁ ଧ୍ୟାନ ଦେଇଛି ଜିଲ୍ଲା ପ୍ରଶାସନ । ଆଉ ବଡ଼ କଥା ହେଉଛି ଦେଶର କେରଳ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ଦିଲ୍ଲୀ ଏବଂ ତେଲେଙ୍ଗାନା ଭଳି ରାଜ୍ୟରୁ କରୋନା ରୋଗୀଙ୍କ ଚିହ୍ନଟ ହେବା ପରେ ସାରାଦେଶରେ ଏହାକୁ ନେଇ ଚିନ୍ତା ବଢ଼ିଯାଇଛି ।