ଆସ ପ୍ରଭୁ ମୋ ଛତା ତଳେ ଛିଡାହୁଅ… ତମ ଉପରେ ବର୍ଷା ପଡିବନି… ଭଗବାନଙ୍କ ମୂର୍ତ୍ତି ଉପରେ ଛତା ଧରି ଛିଡାହେଲା କୁନି ଛୁଆ । ଭାବଭରା ଫଟୋକୁ ସେୟାର କଲେ କେନ୍ଦ୍ରମନ୍ତ୍ରୀ…

514

କନକ ବ୍ୟୁରୋ: ହେ ଭଗବାନ ! ତମେ ଭିଜୁଛ… ଆସ ମୋ ଛତା ତଳକୁ ଚାଲିଆସ । ଆଉ ଜମାରୁ ଭିଜିବନି । ଯେତେ ବର୍ଷା ହେଉ, ମୁଁ ଆଉ ତମେ ଏଇ ଛତା ତଳେ ରହିଯିବା । ଆସ ପ୍ରଭୁ ମୋ ଛତା ତଳେ ସୁରକ୍ଷିତ ରୁହ । ମୁଁ ପଛେ ଓଦା ହୋଇଯିବି ତମକୁ ଭିଜିବାକୁ ଦେବିନି… ତମ ଦେହରେ ବର୍ଷା ପଡିଲେ କାଳେ ତମକୁ ଥଣ୍ଡା ହେବ… ଜ୍ୱର ହେବ… ତମକୁ କିଏ ଔଷଧ ଦେବ…? ମତେ ଥଣ୍ଡା ହେଲେ ମାଆ ମତେ ଔଷଧ ଦେଇଦେବ । ଡକ୍ତର ଅଙ୍କଲଙ୍କ ପାଖକୁ ନେଇଯିବ… ହେଲେ ତମକୁ ଥଣ୍ଡା ହେଲେ କେଉଁ ଡାକ୍ତର ଦେଖିବ? ମୁଁ ଛତା ଧରି ଛିଡା ହୋଇଛି, ବର୍ଷା ନଛାଡିବା ଯାଏଁ ତମେ କୁଆଡେ ଯିବିନି…

ଆକାଶରୁ ବର୍ଷୁଥିଲା ଅବିଶ୍ରାନ୍ତ ବର୍ଷା । ହଠାତ ଘୋଟି ଆସିଲା ମେଘ । ବର୍ଷା ପଡିବା ପରେ ସମସ୍ତେ ଖୋଲି ଦେଲେ ଛତା, ପିନ୍ଧିଦେଲେ ରେନ କୋର୍ଟ । ବର୍ଷାରୁ ସୁରକ୍ଷା ପାଇଁ ସମସ୍ତେ ଛତା ଧରି ଯେଝା ବାଟରେ ଯେଝେ ଚାଲିଗଲେ । ଆଉ ବର୍ଷାରେ ଭିଜୁଥିଲା ମାଟି, ଭିଜୁଥିଲେ ଭଗବାନ । ଆଉ ଏତିକି ବେଳେ ଛତା ଧରି ଆସୁଥିବା କୁନି ପୁଅର ନଜର ପଡିଥିଲା ହାଲକା ବର୍ଷାରେ ଓଦା ହେଉଥିବା ହୃଦୟର ଠାକୁରଙ୍କ ଉପରେ । ଭଗବାନ ଭିଜୁଥିବା ଦେଖି ଧାଇଁଯାଇଥିଲା କୁନି ପୁଅ, ଆଉ ଖୋଲିଦେଇଥିଲା ଛତା । ଯେମିତି ଠାକୁରଙ୍କ ଦେହରେ ବର୍ଷା ପଡିବନି, ସେଥିପାଇଁ ଚେଷ୍ଟା ଚଳାଇଥିଲା… ଆଉ ଆଖିରେ ଆଖିରେ ଭଗବାନଙ୍କୁ ଅନାଇ ପଚାରୁଥିଲା… ଠାକୁରେ ! ଓଦା ହେଉନ ତ…?

ସୋସିଆଲ ମିଡିଆରେ ଏହି ଫଟୋକୁ ସେୟାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଭଗବାନଙ୍କ ମୂର୍ତ୍ତି ଉପରେ ଛତା ଧରି ଛିଡା ହୋଇଥିବା ଛୋଟ ଶିଶୁର ଫଟୋ ଛାଡିଛନ୍ତି ସ୍ମୃତି । ଫଟୋଟି ଯେତିକି ସୁନ୍ଦର ହୋଇଛି ସେତିକି ହୃଦୟସ୍ପର୍ଶୀ ବି ହୋଇଛି । ଗୋଟିଏ ଫଟୋ କୋଟିଏ କାହାଣୀ କହୁଛି । ଭକ୍ତ ଭଗବାନର ଭାବ, କୁନି ପିଲାର ଅନୁଭବକୁ ବଖାଣୁଛି । ତେବେ ଏହି କଥା କୁହା ଫଟୋକୁ ହଜାର ହଜାର ଲୋକ ସେୟାର ବି କରୁଛନ୍ତି ।

ଇନଷ୍ଟାଗ୍ରାମ ହେଉ କି ଟ୍ୱିଟର, ଅନେକ ସମୟରେ ସ୍ମୃତି ଇରାନୀ ବିଭିନ୍ନ କୌତୁହଳିଆ ଫଟୋ ଛାଡି ନିଜ ଫଲୋଅର୍ସଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଆଉ ଏବେ ଭଗବାନଙ୍କୁ ବର୍ଷାରୁ ରକ୍ଷା କରିବାକୁ ଛତା ଧରିଥିବା କୁନି ଛୁଆର ଫଟୋ ଛାଡିଛନ୍ତି । ଯାହା ଅନେକ ସେୟାର ସାଉଁଟୁଛି । କଥାକୁହା ଫଟୋଟିକୁ ଯିଏ ବି ଦେଖୁଛି ସିଏ ଆଃ କି ଚମକ୍ରାର ବୋଲି କହୁଛି…