କନକ ବ୍ୟୁରୋ: ନିର୍ଦ୍ଧାରିତ ସମୟରେ ଶ୍ରେଣୀଗୃହରେ ପହଞ୍ଚିପାରିଲାନି ପ୍ରଶ୍ନପତ୍ର । ପରୀକ୍ଷାରୁ ବଞ୍ଚିତ ହେଲେ ପିଲା । ଏଭଳି ଘଟଣା ଆସିଛି ନିଆଳିର ଶ୍ରୀ ଶ୍ରୀ ପିଙ୍ଗଳେଶ୍ୱର ସରକାରୀ ବିଦ୍ୟାଳୟରୁ । ଆଜିଠାରୁ ଦଶମ ଶ୍ରେଣୀର ଅର୍ଦ୍ଧବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିନର ପ୍ରଥମ ସିଟିଂରେ ଥିଲା ମାତୃଭାଷା ପରୀକ୍ଷା । ପିଲାମାନେ ତ ନିର୍ଦ୍ଧାରିତ ସମୟ ପୂର୍ବରୁ ଶ୍ରେଣୀଗୃହରେ ପହଞ୍ଚି ଗଲେ । କିନ୍ତୁ ପିଲାମାନଙ୍କ ପାଖରେ ପହଞ୍ଚିପାରିଲାନି ପ୍ରଶ୍ନପତ୍ର । ଯେଉଁଥିପାଇଁ ପିଲାମାନେ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି । ଏଥିପାଇଁ ପ୍ରଧାନଶିକ୍ଷକଙ୍କୁ ଦାୟୀ କରାଯାଇଛି ।
ସୂଚନା ଅନୁସାରେ, ପରୀକ୍ଷା ପ୍ରଶ୍ନପତ୍ର ସ୍କୁଲ ପ୍ରଧାନଶିକ୍ଷକଙ୍କ ପାଖରେ ଥିଲା । କିନ୍ତୁ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ସହ ସ୍କୁଲରେ ପହଞ୍ଚି ପାରିଲେନି ପ୍ରଧାନଶିକ୍ଷକ । ପରବର୍ତୀ ସମୟରେ ପ୍ରଧାନଶିକ୍ଷକଙ୍କ ଘରକୁ ପ୍ରଶ୍ନପତ୍ର ଅଣାଯାଇଥିଲେ ବି ସେତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା । ଅପରାହ୍ଣ ସାଢ଼େ ଗୋଟାଏରେ ପିଲାମାନେ ଦ୍ୱିତୀୟ ସିଟିଂରେ ଇଂରାଜୀ ପରୀକ୍ଷା ଦେଇଥିଲେ । ତେବେ ପିଲାମାନେ ମାତୃଭାଷା ପରୀକ୍ଷାରୁ ବଞ୍ଚିତ ହୋଇଥିବାରୁ ବିଦ୍ୟାଳୟରେ ଉତ୍ତେଜନା ଦେଖାଦେଇଛି ।