କନକ ବ୍ୟୁରୋ: ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ ହେବା ପରେ ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି ରାଜ୍ୟ ସରକାର । ଆଜି ଦିନ ୧୦ଟାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲାପାଳ, ଏସପି ଓ ଆଇଜିଙ୍କ ଉପସ୍ଥିତିରେ ଫ୍ଲାଗମାର୍ଚ୍ଚ କରିଛି ପୁଲିସ ।

Advertisment

ହନୁମାନ ଜୟନ୍ତୀ ଉପଲକ୍ଷେ ବୁଧବାର ସମ୍ବଲପୁର ଧନୁପାଲି ଛକରୁ ବାହାରିଥିବା ବାଇକ ରାଲିକୁ ନେଇ ମୁହାଁମୁହିଁ ହୋଇଥିଲେ ୨ ଗୋଷ୍ଠୀ । ବ୍ୟାପକ ପୋଡାଜଳା ଓ ଭଙ୍ଗାରୁଜା କରିଥିଲେ ଉତ୍ତ୍ୟକ୍ତ ଲୋକ । ଦୋକାନ, କାର ଓ ବାଇକରେ ନିଆଁ ଲଗାଇ ଦେଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ନାକେଦମ ହୋଇଥିଲା ପୁଲିସ । ଲୋକଙ୍କ ପଥରମାଡରେ ୧୦ ପୁଲିସ କର୍ମଚାରୀଙ୍କ ସମେତ ୫୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ୪୨ ଜଣଙ୍କୁ ଅଟକ ରଖିଛି ପୁଲିସ । ଉତ୍ତେଜନାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଶୁକ୍ରବାର ଦିନ ହନୁମାନ ଜୟନ୍ତୀ ଥିବାରୁ ଆଇନଶୃଙ୍ଖଳା ରକ୍ଷା ପାଇଁ ଆଗୁଆ ପଦକ୍ଷେପ ନେଇଛି ପୁଲିସ ପ୍ରଶାସନ ।

ଏହି ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଶାନ୍ତି ବଜାୟ ରଖିବା ପାଇଁ ସମ୍ବଲପୁରବାସୀଙ୍କୁ ଅନୁରୋଧ କରିବା ସହ ପରିସ୍ଥିତି ପାଇଁ ପ୍ରଶାସନିକ ଅପରାଗତାକୁ ଦାୟୀ କରିଛନ୍ତି । ଅନ୍ୟପଟେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ସ୍ପର୍ଶକାତର ଘଟଣାରେ ରାଜନୀତି କରିବାକୁ ପଛାଉ ନାହିଁ ବିଜେପି ।

ସମ୍ବଲପୁରର ପରିସ୍ଥିତି ଉପରେ ସତର୍କ ନଜର ରଖିଛି ପୁଲିସ । ରାଉରକେଲାରୁ ରାପିଡ ଆକ୍ସନ ଫୋର୍ସ ମଗାଯାଇଛି । ଏପଟେ ଜୟପୁରରେ ଆଜିଠାରୁ ୧୪୪ ଧାରା ଜାରି କରିଛନ୍ତି ଜୟପୁର ଉପ-ଜିଲ୍ଲାପାଳ । ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଅପରାହ୍ଣ ୩ଟାରୁ ସକାଳ ୯ଟା ଯାଏଁ ୧୪୪ ଧାରା ଜାରି ରହିବ । ଏହି ସମୟରେ ୨ ଜଣରୁ ଅଧିକ ଲୋକ ଏକାଠି ହେବାକୁ ବାରଣ କରାଯାଇଛି ।