କଷ୍ଟ ଦେଉଛି କର୍କଟ ରୋଗ: ଜୀବନ ହାରିବାକୁ ବାଧ୍ୟ କରୁଛି ଯନ୍ତ୍ରଣା । ଇଚ୍ଛାମୃତ୍ୟୁ ମାଗୁଛନ୍ତି ଅକ୍ଷୟ

727

କନକ ବ୍ୟୁରୋ: ମୁଁ ଆଉ ପାରୁନି, ଏ କଷ୍ଟ ଆଉ ସହି ପାରୁନି… ବହୁତ ସହିଲି ଆଉ ନୁହଁ, ଏବେ ମତେ ମୁକ୍ତି ଦରକାର । ଜୀବନ ଯନ୍ତ୍ରଣାରୁ ଶାନ୍ତି ଦରକାର… ମତେ ମୃତ୍ୟୁ ଦିଅ ସରକାର ମତେ ମୃତ୍ୟୁ ଦିଅ… ଅସହ୍ୟ ଯନ୍ତ୍ରଣାରେ ଆଉଟପାଉଟୁ ହେଉଥିବା ଅକ୍ଷୟ ମୃତ୍ୟୁ ଅପେକ୍ଷାରେ ଅଛନ୍ତି । ଜିଇଁ ଥାଉ ଥାଉ ସବୁ ଦିନ ମରୁଥିବା ମଣିଷ ଇଚ୍ଛାମୃତ୍ୟୁ ମାଗୁଛନ୍ତି । ଆଉ କର୍କଟ କବଳରେ ଅହରହ ଅଣନିଶ୍ୱାସୀ ହୋଇ ଶେଷରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଛନ୍ତି ।

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଗଡଗଁପୁର ଗାଁର ଅକ୍ଷୟ ଦେଓ ୮ ବର୍ଷ ହେବ ନିସଙ୍ଗ ଜୀବନ କାଟୁଛନ୍ତି । ଦୀର୍ଘ ବର୍ଷ ହେବ ଅକ୍ଷୟଙ୍କୁ ପର କରି ତାଙ୍କ ସ୍ତ୍ରୀ ଛାଡି ପଳାଇଥିବା ବେଳେ ତାଙ୍କର କୌଣସି ପିଲାପିଲି ନାହାନ୍ତି । ତେଣୁ ଏକାଏକା ଜୀବନ କାଟୁଛନ୍ତି ଅକ୍ଷୟ । ଆଉ ଏଭଳି ପରିସ୍ଥିତିରେ ତାଙ୍କୁ କର୍କଟ ରୋଗ ମାଡି ବସିଥିବାରୁ ଜୀବନ ଜିଇଁବା ଏକଦମ ଅହସ୍ୟ ହୋଇପଡିଛି ।

ତେବେ କ୍ୟାନସର ପୀଡିତ ଅକ୍ଷୟଙ୍କ ଏଭଳି ଅବସ୍ଥା ଦେଖି ସାହା ହୋଇଥିଲେ ଗାଁ ଲୋକେ । ପ୍ରଥମେ ଭୁବନ, ପରେ ଅନୁଗୁଳ ଆଉ ତା ପରେ କଟକ ଆଣି ଡାକ୍ତର ଦେଖାଇବା ପରେ ଅକ୍ଷୟଙ୍କୁ କ୍ୟାନସର ହୋଇଥିବା ଜଣାପଡିଥିଲା । ତେବେ ପ୍ରଶାସନ ପକ୍ଷରୁ ମିଳିଥିବା ୨୫ ହଜାର ଟଙ୍କା ସମୁଦ୍ରକୁ ସଂଖେ ହୋଇଥିବାରୁ ଔଷଧ ଖର୍ଚ୍ଚ ବହନ କରିବା ଅକ୍ଷୟଙ୍କ ପାଇଁ ଅସମ୍ଭବ ।

ସେପଟେ ନିଜ ଘରବାଡି ବିକ୍ରି କରି ଔଷଧ କିଣୁଥିବା ଅକ୍ଷୟ ଏବେ ଗାଁ କୋଠଘରେ ମୁଣ୍ଡ ଗୁଞ୍ଜୁଛନ୍ତି । ଆଉ ଗାଁ ଲୋକଙ୍କ ଭରସାରେ ଜୀବନ ବଞ୍ଚୁଛନ୍ତି । ତେବେ ଗୋଟିଏ ପଟେ ସରକାରୀ ସହାୟତା ଉପରୁ ଅକ୍ଷୟଙ୍କ ସମ୍ପୂର୍ଣ୍ଣ ଭରସା ତୁଟିଯାଇଥିବା ବେଳେ ଜୀବନ ଉପରୁ ମଧ୍ୟ ମୋହ ତୁଟି ଯାଇଛି । ତେଣୁ ବାଧ୍ୟ ହୋଇ ସେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଇଚ୍ଛାମୃତ୍ୟୁୁ ପାଇଁ ଆବେଦନ କରିଛନ୍ତି ।