ତାଲାବନ୍ଦ ବଢ଼ାଇଲା ଦୁର୍ଦ୍ଦଶା: ବଜାର ବନ୍ଦ ଯୋଗୁଁ ବିକ୍ରିବଟାରେ ବଡ଼ ସମସ୍ୟା; ଛୋଟ ଦୋକାନ କରି ପେଟ ପୋଷୁଥିବା କ୍ୟାନସର ପୀଡିତଙ୍କ ରୋଜଗାର ବନ୍ଦ ହୋଇଯିବାରୁ ଔଷଧ କିଣିବାକୁ ନାହିଁ ଟଙ୍କା

568

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ସାରାଦେଶରେ ତାଲାବନ୍ଦ । ଗୋଟିଏ ପଟେ ମହାମାରୀରୁ କିପରି ମୁକ୍ତି ମିଳିବ, ସେଥିପାଇଁ ଚିନ୍ତା । ଅନ୍ୟପଟେ ଲୋକଙ୍କ ଜୀବନ ଜୀବିକା । ଛୋଟ ଦୋକାନୀ ହେଉ କିମ୍ବା ଦିନ ମଜୁରିଆ, ତାଲାବନ୍ଦ ଯୋଗୁଁ ହରାଇଛନ୍ତି ରୋଜଗାର । କେନ୍ଦୁଝରରେ କ୍ୟାନସରରେ ପୀଡ଼ିତ ଜଣେ ଯୁବକଙ୍କ କାହାଣି ଶୁଣିଲେ ଆଖିରୁ ଲୁହ ଝରିପଡ଼ିବ । ଛୋଟ ଦୋକାନ କରି ଗୁଜୁରାଣ ମେଂଟାଉଥିବା ଯୁବକଙ୍କ ଦୋକାନ ବନ୍ଦ ହୋଇଯାଇଥିବାରୁ ଔଷଧ କିଣିବାକୁ ଟଙ୍କା ନାହିଁ ।

ଏ ହେଉଛନ୍ତି କେନ୍ଦୁଝର ପୁରୁଣାବଜାର ନିବାସୀ ସୁବ୍ରତ ସାହୁ । ପରିବାର କହିଲେ ସ୍ତ୍ରୀ ଏବଂ ଗୋଟିଏ ୫ବର୍ଷର ଝିଅ । ରୋଜଗାରର ମାଧ୍ୟମ କହିଲେ ଏକ ଛୋଟ ପାନ ଦେକାନ । ମାସକୁ ୧୦-୧୨ ହଜାର ଟଙ୍କା ରୋଜଗାର କରି ପରିବାର ପ୍ରତିପୋଷଣ କରନ୍ତି ସୁବ୍ରତ । ତେବେ ବର୍ଷକ ତଳେ କର୍କଟ ରୋଗରେ ପୀଡ଼ିତ ହେବା ପରେ ବଦଳି ଯାଇଥିଲା ତାଙ୍କ ଜୀବନ । ମାସିକ ୭ – ୮ ହଜାର ଟଙ୍କାର ଔଷଧ ଏବେ ତାଙ୍କୁ ବଂଚାଇ ରଖିଛି । ତେବେ ତାଲାବନ୍ଦ ଯୋଗୁଁ ଦେକାନ ବନ୍ଦ ହୋଇଥିବାରୁ ଏତେ ଟଙ୍କା କେଉଁଠୁ ଆଣିବେ, ଔଷଧ କିପରି ଖାଇବେ, ଏହି ଚିନ୍ତାରେ ପଡିଛନ୍ତି ସେ ।

କେବେ ଲକ୍ଡାଉନ୍ ହଟିବ, କେବେ ଦୋକାନ ଖୋଲିବ ଓ ପୁଣି ଥରେ ରୋଜଗାର ହେବ, ଏହି ଚିନ୍ତାରେ ଦିନ କାଟୁଛନ୍ତି ସୁବ୍ରତ ଓ ତାଙ୍କର ପତ୍ନୀ । ବିନା ଔଷଧରେ ବଂଚିବା ଅସମ୍ଭବ ହୋଇଥିବାରୁ ତାଲାବନ୍ଦ ସେମାନଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି ।