କାଲିଠୁ ମୋଦୀଙ୍କ ତୃତୀୟ ଇନିଂସ: ଓଡ଼ିଶାରୁ କେନ୍ଦ୍ର କ୍ୟାବିନେଟରେ କାହାକୁ ମିଳିବ ସ୍ଥାନ, ଆଜି ସଂଧ୍ୟାରେ ପିଏମଓରୁ ଆସିପାରେ କଲ୍

979

କନକ ବ୍ୟୁରୋ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । କେନ୍ଦ୍ରରେ ମୋଦୀ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ କାହାକୁ ମିଳିବ ସ୍ଥାନ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କୁହାଯାଉଛି କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଓଡ଼ିଶାକୁ ଅଧିକ ପ୍ରାଧାନ୍ୟ ମିଳିପାରେ । କାରଣ ପ୍ରଥମଥର ଓଡ଼ିଶାରେ ଶ୍ରେଷ୍ଠ ପ୍ରଦର୍ଶନ କରିଛି ବିଜେପି । ସେ ବିଧାନସଭା ହେଉ କି ଲୋକସଭା । ଲୋକସଭା ସାଂସଦଙ୍କ ମଧ୍ୟରୁ ଅତି କମରେ ତିନିଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି । ୨୦ଜଣ ସାଂସଦଙ୍କ ମଧ୍ୟରୁ ୧୦ ଜଣ ଏକାଧିକଥର ଲୋକସଭାରେ ପ୍ରତିନିଧିତ୍ୱ କରିସାରିଛନ୍ତି । ସେମାନେ ହେଲେ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଅନନ୍ତ ନାୟକ, ପ୍ରତାପ ଷଡଙ୍ଗୀ, ସଂଗୀତ କୁମାରୀ ସିଂଦେଓ, ବୈଜୟନ୍ତ ପଣ୍ଡା, ବଳଭଦ୍ର ମାଝି, ଭର୍ତୃହରି ମହତାବ, ଅପରାଜିତା ଷଡଙ୍ଗୀ ଓ ବିଭୁ ପ୍ରସାଦ ତରାଇ । ଏମାନଙ୍କ ମଧ୍ୟରୁ ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡଙ୍ଗୀଙ୍କ ନାଁ ଆଗରେ ରହିଛି । ଯଦି ଧର୍ମେନ୍ଦ୍ରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଏ, ତେବେ ଅନ୍ୟ ତିନିଜଣଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ କାହାକୁ ମିଳିବ ମନ୍ତ୍ରିମଣ୍ଡଳରେ ସ୍ଥାନ, ତାହା ଜୁନ୍ ୯ ତାରିଖ ପୂର୍ବରୁ ସ୍ପଷ୍ଟ ହୋଇଯିବ ।