କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲାରେ ପୁଣି ଫୁଟିଲା ଗୁଳି । ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ଅଭିଯୋଗ । କେନ୍ଦୁଝର ଜିଲ୍ଲା ବାରିଆ ଥାନା ଚଢ଼େଇପୁର ନିକଟରେ ଗୁଳିକାଣ୍ଡ ଘଟିଛି । ଆଜି ସଂଧ୍ୟାରେ ଗୁଳିକାଣ୍ଡ ଘଟିଥିବା ସୂଚନା ମିଳିଛି । ଝାଡ଼ଖଣ୍ଡ ଛେନିପଦା ଅଂଚଳର ମୃତ୍ୟୁଞ୍ଜୟ ବେହେରା ନାମକ ଜଣେ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ । ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିଲେ ମୃତ୍ୟୁଞ୍ଜୟ । ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରି ଭଣ୍ଡା ମେଡିକାଲ୍ରେ ଭର୍ତି କରାଯାଇଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମିଳିଥିବା ସୂଚନା ଅନୁସାରେ ମୃତ୍ୟୁଞ୍ଜୟ ବେହେରାଙ୍କ ସମେତ ୪ ଜଣ ଝାଡ଼ଖଣ୍ଡରୁ ଆସିଥିବା ବେଳେ ସେମାନଙ୍କ ଭିତରେ ଟଙ୍କା ଭାଗବଂଟାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହାକୁ ନେଇ ଗୁଳିମାଡ଼ ହୋଇଥିଲା । ଘଟଣା ପରେ ୨ ଜଣ ଅଟକ ରହିଥିବା ବେଳେ ଜଣେ ଫେରାର ହୋଇଥିବା ଜଣାପଡିଛି । ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

Advertisment