କନକ ବ୍ୟୁରୋ : ରାହୁଲଙ୍କ ଲଢୁଆ ଶତକ ସତ୍ତେ୍ୱ ମଧ୍ୟ ୨୪୫ ରନରେ ଅଲଆଉଟ ହେଲା ଟିମ୍ ଇଣ୍ଡିଆ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ୨୪୫ ରନ୍ କରି ପୂରା ଟିମ୍ ପ୍ୟାଭିଲିୟନ ଫେରିଛି । ଭାରତ ପକ୍ଷରୁ କେଏଲ ରାହୁଲ ଲଢୁଆ ବ୍ୟାଟିଂ କରିବା ସହ ସର୍ବାଧିକ ୧୦୧ କରିଛନ୍ତି । ଛକା ମାରି ରାହୁଲ ନିଜର ଟେଷ୍ଟ ଶତକ ପୂରା କରିଥିଲେ । ରାହୁଲଙ୍କ ଶେଷ ଶତକ ୨ ବର୍ଷ ପୂର୍ବେ ସେହି ସେଞ୍ଚୁରିଆନ ଗ୍ରାଉଣ୍ଡରେ ଦେଖିବାକୁ ମିଳିଥିଲା ।

ଦ୍ୱିତୀୟ ଦିନରେ ଭାରତ ୨୦୮ ରନରୁ ଖେଳ ଆରମ୍ଭ କରିଥିଲା । ସିରାଜ କିଛି ସମୟ ରାହୁଲଙ୍କ ସାଥ୍ ଦେବା ପରେ ୨୩୮ ରନରେ ପ୍ୟାଭିଲିୟନ ଫେରିଥିଲେ । ପରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାଥୀ କରି ନିଜର ଟେଷ୍ଟ ଶତକ ପୂରା କରିଥିଲେ ରାହୁଲ । ଏହାପୂର୍ବରୁ ଗତକାଲି ବର୍ଷା କାରଣରୁ ୯୦ ଓଭର ଖେଳ ହୋଇପାରିନଥିଲା । ୫୯ ଓଭରରେ ଭାରତ ୨୦୮ ରନ୍ କରିଥିବା ବର୍ଷା କାରଣରୁ ପ୍ରଥମ ଦିନର ମ୍ୟାଚ୍ ବାଧାପ୍ରାପ୍ତ ହୋଇଥିଲା ।

ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରବଡା ସର୍ବାଧିକ ୫ ୱିକେଟ ହାସଲ କରିବା ସହ ଟିମ୍ ଇଣ୍ଡିଆର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ତଥାପି ରାହୁଲ ଲଢୁଆ ପ୍ରଦର୍ଶନ କରି ଶତକ ହାସଲ କରିବା ସହ ଭାରତର ସ୍କୋରକୁ ୨୦୦ ପାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ପ୍ରଥମ ମ୍ୟାଚ୍ ଜିତି ସିରିଜରେ ଆଗୁଆ ରହିବା ଲକ୍ଷ୍ୟରେ ରହିଛନ୍ତି ଉଭୟ ଟିମ୍ ।