ଆଧୁନିକ ଯୁଗରେ ବି ସବାରୀରେ ଯାଉଛି କନିଆଁ: ଓଡିଶାରେ ଏବେବି ସାଇତା ରହିଛି ସବାରୀ ପରମ୍ପରା…

604

କନକ ବ୍ୟୁରୋ: ସବାରୀ ! ହଜି ଯାଇଥିବା ଅତୀତର ଗୋଟେ ଅଭୁଲା ନାଁ । ପଚାଶ ଦଶନ୍ଧିର କୁଆଁରୀ କଳ୍ପନାର ଏକ ଶିହରିତ ଛୁଆଁ । ସବାରୀ କଥା ଶୁଣିଲେ ଶିହରି ଯାଏ ତାଳୁରୁ ତଳିପା । ପୁଲକିତ ହୁଏ ଦେହ ଓ ମନ । ଏକ ଅଚିହ୍ନା ସ୍ପର୍ଶ ଆଉ ଅଜଣା ଡରରେ ଟାଙ୍କୁରି ଉଠେ ଲୋମମୂଳ । ପାଲିଙ୍କିରେ ବସି ଯିବାର ବ୍ୟାକୁଳତା ଯେତିକି ଖୁସି ଦିଏ, ନିଜର ଲୋକଙ୍କୁ ଛାଡି ଯିବାର ଦୁଃଖ ସେତିକି ମଧ୍ୟ ମିଳେ । କୁଆଁରୀ ଝିଅଙ୍କ ମହାପର୍ବରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ସବାରୀ, ବିବାହ ଦିନ ଝିଅକୁ କରେ ଏପାରି ସେପାରି ।

ତେବେ ଆମ ଜେଜେବାପା ଅମଳରେ ସବାରୀ ହିଁ ଥିଲା ସବୁ କିଛି । ବିବାହ କହିଲେ ସବାରୀର ଏକ ସୁନ୍ଦର ପରିକଳ୍ପନା ମନରେ ଆଙ୍କି ହୋଇ ଯାଉଥିଲା । ଗନ୍ଧା ହଳଦୀରେ ଗାଧୋଇ ମହମହ ବାସୁଥିବା କୁଆଁରୀ ଝିଅ ପାଦରେ ଅଳତା, ହାତରେ ମଞ୍ଜୁଆତି ପତ୍ରର ମେହେନ୍ଦି, ମଥାରେ ମଲ୍ଲିଫୁଲର ଗଜରା ଆଉ ହଳଦୀ ବସନ୍ତ ରଙ୍ଗର ଶାଢୀଟେ ପିନ୍ଧି ଘର କୋଣରେ ବସିଥିବ ଝିଅ । ଆଉ ଅପେକ୍ଷା କରିଥିବ ତା ବରକୁ, ତା ବର ବସି ଆସୁଥିବା ସୁସଜ୍ଜିତ ମେହେନାକୁ… (ବର ଆସୁଥିବା ଖୋଲା ସବାରୀକୁ ମେହେନା କୁହାଯାଏ) ।

ବେଦୀରେ ବସି, ହୋମ ନିଆଁକୁ ସାକ୍ଷୀ ରଖି କନିଆଁ ଯେତେବେଳେ ବିବାହ କରି ତା ଶାଶୁ ଘରକୁ ଯାଉଥାଏ ସେତେବେଳେ କୁଆଁରୀରୁ କନିଆଁ ସାଜିଥିବା ଝିଅର ସବାରୀ ସ୍ୱପ୍ନ ସାକାର ହୁଏ । ସବାରୀରେ ବସିବା ପରେ ହାତେ ଓଢଣା ତଳୁ ତା ସିନ୍ଥିର ସିନ୍ଦୂର, ପାଦର ଅଳତା ଆହୁରି ଲାଲ ଦିଶେ । ତା ହାତର ଶଙ୍ଖା ଆହୁରି ବଜ୍ର ହୁଏ ଆଉ ତା ମଥାର ଗଜରା ପୂର୍ବାପେକ୍ଷା ବେଶି ବେଶି ବାସେ । କାରଣ ସେତେବେଳକୁ କୁଆଁରୀ ଝିଅର ସବାରୀ ସ୍ୱପ୍ନ ସାକାର ହୋଇ ସାରିଥାଏ ।

ଘର ଆଗରୁ ସବାରୀ ଉଠିବ, ୪ ଜଣ ଭାରୁଆ କନିଆଁକୁ ଭାର କରି ତା ଶାଶୁ ଘରକୁ ନେଉଥିବେ । ନଈ, ନାଳ, ପବନର ସ୍ପର୍ଶରେ ଗୋଲାପ, ମଲ୍ଲୀ, ରଜନୀଗନ୍ଧାରେ ସଜା ହୋଇଥିବା ସବାରୀ ମହମହ ବାସୁଥିବ…ଝିଅକୁ ଦୂରେଇ ବାପାମାଆ ମୁଣ୍ଡ ପିଟି କାନ୍ଦୁଥିବେ… ନିଜ ଭଉଣୀକୁ ସବୁ ଦିନ ପାଇଁ ପାଖରୁ ଦୂରେଇ ଦେଇ ସାନଭାଇ ସବାରୀ ପଛେପଛେ ଧାଉଁଥିବ…ଗାଁ ବିଲରେ କାମ କରୁଥିବା ସନା ଭାଇ ସବାରୀ ଫାଙ୍କରେ ଉଣ୍ଡୁଥିବ…ପୋଖରୀ ଆଢିରେ ବସିଥିବା ବାଞ୍ଝା ମଉସା ଝିଅକୁ ଦେଖି ଆଶିର୍ବାଦ କରୁଥିବ…ପିଲା ବେଳର ସବୁ ସ୍ମୃତିକୁ ସମାଧି ଦେଇ ଝିଅ ଶାଶୁ ଘରକୁ ଯାଉଥିବ । ସବାରୀ କହିଲେ ଏମିତି କିଛି କଥା, କିଛି ଚିତ୍ର ମନକୁ ଆସେ ।

ହେଲେ ୨୦୧୯ ଭଳି ଆଧୁନିକ ଯୁଗରେ ସବାରୀ କଥା ହଠାତ କିଆଁ ଉଠିଲା । ମେଞ୍ଚେ ଖଣ୍ଡେ ସାହିତ୍ୟ ଲେଖି ସବାରୀକୁ କଣ ପାଇଁ ବର୍ଣ୍ଣନା କରାଗଲା ବୋଲି ଆପଣ ନିଶ୍ଚୟ ଭାବୁଥିବେ, ଭାବିବା ବି ସ୍ୱାଭାବିକ । ଯେଉଁଠି ଝିଅମାନେ ବଡ ବଡ ହୋଟେଲରେ ବାହା ହୋଇ ଫୁଳସଜା କାରରେ ଯାଉଛନ୍ତି । ମେହେନ୍ଦି, ସଙ୍ଗୀତ କରି ଡିଜେ ଡ୍ୟାନ୍ସରେ ବିବାହ ନୁହେଁ ‘ମ୍ୟାରେଜ’ କରୁଛନ୍ତି ସେଠି ସବାରୀ କଥା ଉଠିବା ଏକ ହାସ୍ୟାସ୍ପଦ ପ୍ରସଙ୍ଗ ।

ମାତ୍ର ଏ ଆଧୁନିକ ଯୁଗରେ ଏବେବି ଏମିତି ଏକ ଗାଁ ରହିଛି ଯେଉଁଠି କୁଆଁରୀମାନେ ସବାରୀର ସ୍ୱପ୍ନ ଦେଖନ୍ତି । ସବାରୀରେ ବସି ବର ଘରକୁ ଯାଆନ୍ତି ଆଉ ସେକାଳର ପ୍ରଥାକୁ ମନେପକାନ୍ତି । କଥାଟା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ ନିଶ୍ଚୟ ହେଲେ କଥାଟା ଏକଦମ ସତ । ଆଉ ଏ ପ୍ରଥା ବଞ୍ଚିରହିଛି ଓଡିଶାରେ, ଭଦ୍ରକର ଏକ ଅଖ୍ୟାତ ପଲ୍ଲୀରେ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ରାଧାକାନ୍ତପୁର ଗାଁରେ ଏବେବି ଚାଲୁଛି ସବାରୀ ପ୍ରଥା । ୨୦୧୯ରେ ବି ଏହି ଗାଁର ସବାରୀରେ କରାଯାଏ କନିଆଁ ବିଦା । ଲାଲ୍ ଟୁକୁଟୁକୁ ସାଧବ ବୋହୂ ସାଜିଲା ପରେ କନିଆଁକୁ ସୁସଜ୍ଜିତ ସବାରୀରେ ସେମାନଙ୍କୁ ବିଦା କରାଯାଏ । ତେବେ ଏଥିପାଇଁ ଗାଁରେ ଏକ ସବାରୀ ଆଗ କାଳରୁ ରଖା ଯାଇଛି । ଅନେକ ସ୍ଥାନରେ ସବାରୀ ପ୍ରଥା ବୁଡି ଯାଇଥିଲେ ବି ଏଇ ଗାଁରେ ସବାରୀକୁ ଅତୀତ ହେବାକୁ ଦେଇନାହାନ୍ତି ବର୍ତ୍ତମାନର ମୁରବିମାନେ ।

ତେବେ ବନ୍ୟା ପ୍ରଭାବିତ ଏହି ଗାଁକୁ ଭଲ ରାସ୍ତାଟିଏ ନଥିବାରୁ ବର୍ଷା ହେଲେ ଗାଁକୁ ପଶି ପାରେନି ଗାଡି । ବାହାଘର ବେଳେ ବର ଗାଡି କାଳେ ଉକ୍ତ ରାସ୍ତାରେ ଯାଇ ଆଉ ଫେରି ପାରିବନି ସେଇ ଡରରେ ଗାଁ ଠାରୁ ଅଧ କିମି ଦୂରରେ ବର ଗାଡିକୁ ରଖାଯାଏ । ଆଉ ବାହାଘର ପରେ କନିଆଁକୁ ସେହି ସବାରୀରେ ଆଣି ବର ଗାଡି ପାଖରେ ଛାଡି ଦିଆଯାଏ । ତେବେ ଗତ ୩ ତାରିଖରେ ଉକ୍ତ ଗାଁର ସୁଶାନ୍ତ ମାନାଙ୍କ ଝିଅ ବାହାଘର ବେଳେ ଦେଖିବାକୁ ମିଳିଥିଲା ଏମିତି ଏକ ନିଆରା ଦୃଶ୍ୟ । ବାହାଘର ପରେ ଝିଅକୁ ସବାରୀରେ ଆଣି ବର ଗାଡି ପାଖରେ ଛାଡିଥିଲେ ବାପ ଘର ଲୋକେ । ସେହି ସମୟରେ ଝିଅର ଛାତି ଫଟା ଚିକ୍ରାର, ବାପା ମାଆଙ୍କ କଇଁକଇଁ କାନ୍ଦ, ଗାଁ ଦାଣ୍ଡ ଧୂଳିରେ ତା ପିଲାବେଳର ଖେଳ, ଏ ସମସ୍ତ ଦୃଶ୍ୟ ଅତୀତର ସବାରୀରେ ଯାଉଥିବା କନିଆଁଙ୍କ ସୃତିଚାରଣ କରିଥିଲା ।

ଭଦ୍ରକରୁ ନୀଳଗିରି ଦ୍ୱାରିକାକୁ ବାହା ହୋଇ ଆସିଥିବା ରାଧାକାନ୍ତପୁରର ରାଧା ଅର୍ଥାତ କନ୍ୟାକୁମାରୀ ମାନା ସବାରୀରେ ବସି କେତେ ଖୁସି ହୋଇଥିବେ ଜଣାନାହିଁ । ହୁଏତ ଆଧୁନିକ ଯୁଗରେ ସବାରୀ କଥା ଶୁଣି ସେ ଟିକେ ମଙ୍ଗି ନଥାଇପାରନ୍ତି, ଲାଜରେ ସବାରୀରେ ବସି ଥାଇପାରନ୍ତି । ଲାଜ କରିବା ବି ସ୍ୱାଭାବିକ କାରଣ ୨୦ ବର୍ଷର କୌଣସି ବି ଝିଅ ନିଜ ବାହାଘରକୁ ନେଇ ଏମିତି ଭାବିନଥାଏ । ହେଲେ କନ୍ୟାକୁମାରୀ ଏମିତି କରି ଉଦାହରଣ ସୃଷ୍ଟି କରିଛନ୍ତି । ଆଧୁନିକ ଯୁଗରେ ସବାରୀରେ ବସି ସେ ଆଗ କାଳର ସବାରୀ ସ୍ମୃତିକୁ ସତେଜ କରିଛନ୍ତି ।