କନକ ବ୍ୟୁରୋ: ଗତ ୩୧ତାରିଖରେ ଫାଇଭ-ଟି ସଚିବ ଭି. କେ.ପାଣ୍ଡିଆନ ଯାଜପୁର ବିଂଝାରପୁର ଗସ୍ତରେ ଯାଇଥିଲେ । ଆୟୋଜିତ ଜନସଭାରେ ଯୋଗ ଦେଇଥିଲେ । କିନ୍ତୁ ଏହି ସଭାକୁ ଆସିଥିବା ଲୋକଙ୍କୁ କୁଆଡେ ଲାଂଚ ଦେଇ ଅଣାଯାଇଥିଲା ବୋଲି ଅଭିଯୋଗ ହୋଇଛି । ବିଂଝାରପୁର ବ୍ଲକର ଜଣେ ପିଇଓ ଲୋକଙ୍କୁ ଟଙ୍କା ବାଂଟୁଥିବାର ଭିଡିଓ ଭାଇରାଲ ପରେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

Advertisment

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଭିଡିଓ । କୁହାଯାଉଛି ଏହି ଭିଡିଓଟି ଗତ ୩୧ ତାରିଖର ଦଶରଥପୁର ବ୍ଲକ ଅଂଚଳର । ଅର୍ଥାତ ଯେଉଁଦିନ ଦଶରଥପୁର ଓ ବିଂଝାରପୁର ଗସ୍ତରେ ଯାଇଥିଲେ ଫାଇଭ-ଟି ସଚିବ ଭି.କେ.ପାଣ୍ଡିଆନ୍ ଭିଡିଓଟି ସେହି ଦିନର । ଭିଡିଓରେ  ସ୍ପଷ୍ଟ ଭାବରେ ଦେଖାଯାଉଛି ରାସ୍ତା ଉପରେ ବାଇକରେ ଧାଡି ହୋଇ ଛିଡା ହୋଇଛନ୍ତି କିଛି ଲୋକ । ଆଉ ସେମାନଙ୍କ ହାତକୁ ଜଣ ଜଣ କରି ଟଙ୍କା ବଢ଼ାଇ ଦେଉଛନ୍ତି ଜଣେ ବ୍ୟକ୍ତି । ଟଙ୍କା ପାଇବା ପରେ ବାଇକ ନେଇ ଆଗକୁ ବଢ଼ୁଛନ୍ତି ଧାଡିରେ ଥିବା ବ୍ୟକ୍ତି । ତାପରେ ଆଉ ଜଣଙ୍କୁ ଟଙ୍କା ଦେଉଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଟଙ୍କା ବାଂଟୁଥିବା ବ୍ୟକ୍ତି ଜଣଙ୍କ ହେଉଛିନ୍ତି, ବିଂଝାରପୁର ବ୍ଲକ ମାସଡା ପଂଚାୟତର ପିଇଓ ଗୋପାଳ ମହାନ୍ତି  । ନଜର ପକାନ୍ତୁ ବାବୁ ଜଣଙ୍କ କେମିତି ହାତରେ ପୁଳାଏ ଟଙ୍କା ଧରିଛନ୍ତି, ଆଉ ବାଂଟି ଚାଲିଛନ୍ତି । କୁହାଯାଉଛି, ଏହି ଟଙ୍କା କୁଆଡେ ଫାଇଭ-ଟି ସଚିବଙ୍କ ସଭାକୁ ଯିବା ପାଇଁ, ଲୋମାନଙ୍କୁ ଲାଂଚ ଦିଆଯାଉଥିଲା । ତେବେ ଭିଡିଓ ଭାଇରାଲ ହେବା ପରେ ଏହାର ତଦନ୍ତ ଦାବି କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ଅନ୍ୟପଟେ ଟଙ୍କା ବାଂଟିବାର ଭିଡିଓ ଭାଇରାଲ ହେବା ପରେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ପିଇଓ ।

ନିର୍ବାଚନ ସମୟରେ ଏମିତି ଦୃଶ୍ୟ ଦେଖିବାକୁ ମିଳେ । ନେତାମାନେ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଏମିତି ଟଙ୍କା ଦେଇଥାନ୍ତି । କିନ୍ତୁ ଜଣେ ସରକାରୀ କର୍ମଚାରୀ ସିଧାସଳଖ ଏମିତି ଲୋକଙ୍କୁ ଟଙ୍କା ବାଂଟିବା ବିଡମ୍ବନାର ବିଷୟ ।