ଗ୍ରୀନ କରିଡରରେ ଗଲା ବ୍ରେନ ଡେଡ୍ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ୬ ଜଣ ବ୍ୟକ୍ତି ପାଇବେ ନୂଆ ଜୀବନ ।

473

କନକ ବ୍ୟୁରୋ: ଗ୍ରୀନ କରିଡରରେ ଗଲା ବ୍ରେନ ଡେଡ୍ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ଆମ୍ବୁଲାନ୍ସରେ ସୁରକ୍ଷିତ ଭାବେ ଅଙ୍ଗଗୁଡିକୁ ଏୟାରପୋର୍ଟକୁ ନିଆଯାଇଥିଲା । ସେଠାରୁ ଚାର୍ଟାର୍ଡ ଫ୍ଲାଇଟରେ କୋଲକାତା, ଚେନ୍ନାଇ ପଠାଯାଇଛି । କଟକ ବଡ଼ ମେଡିକାଲ ଓ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ମଧ୍ୟ ଅଙ୍ଗ ପଠାଯାଇଛି । ଏଥିରେ ସମୟ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ଗ୍ରୀନ କରିଡର କରାଯାଇଥିଲା । ଅର୍ଥାତ୍ ବାଟରେ ଯେପରି କୌଣସି ସମସ୍ୟା ନଉପୁଜିବ ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା । ସଫଳତାର ସହ ଅଙ୍ଗ ପ୍ରତ୍ୟାରୋପଣ ହେଲେ ୬ ଜଣ ବ୍ୟକ୍ତି ନୂଆ ଜୀବନ ପାଇବେ ।

ବ୍ରହ୍ମପୁରର ଜଣେ ୫୬ ବର୍ଷୀୟା ମହିଳା ସ୍କୁଟି ଚଳାଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ତାଙ୍କର ବ୍ରେନ୍ ହାମରେଜ୍ ହୋଇଥିଲା । ନଭେମ୍ବର ୧ ତାରିଖରେ ତାଙ୍କୁ ଭୁବନେଶ୍ୱର ଆମ୍ରି ହସପିଟାଲରେ ଭର୍ତି କରାଯାଇଥିଲା । ୨ ତାରିଖରେ ତାଙ୍କର ବ୍ରେନ୍ ଡେଡ୍ ହୋଇ ଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ୱେ ଆଉ ରିକଭରି ହୋଇ ପାରିବନି ବୋଲି ଜଣାପଡିଥିଲା । ଏହାପରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଦାନ ପାଇଁ ନିଷ୍ପତି ନେଇଥିଲେ ମହିଳାଙ୍କ ପରିବାର । ଏ ନେଇ ଷ୍ଟେଟ୍ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଂଟ ଅର୍ଗାନାଇଜେସନ୍କୁ ଅବଗତ କରାଯାଇଥିଲା । ସେଠାରୁ ଅନୁମତି ପରେ ଆମ୍ରି ହସପିଟାଲରେ ଲିଭର, ଲଙ୍ଗସ, ହାର୍ଟ, କିଡନୀ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହାର୍ଭେଷ୍ଟିଂ ବା କଢ଼ା ଯାଇଥିଲା । ତେବେ ହାର୍ଟ ହାର୍ଭେଷ୍ଟିଂ ହୋଇ ପାରିନଥିଲା । ଅନ୍ୟ ଅଙ୍ଗଗୁଡିକୁ ସୁରକ୍ଷିତ ଭାବେ ଚେନ୍ନାଇ. କୋଲକାତାର ଘରୋଇ ହସପିଟାଲ ଓ ଭୁବନେଶ୍ୱରର ସମ୍ ଅଲଟିମେଟ୍ ଓ କଟକ ଏସସିବି ମେଡିକାଲକୁ ପଠାଯାଇଛି । ଏଥିପାଇଁ କମିସନରେଟ୍ ପୁଲିସ ମହାୟତାରେ ଗ୍ରୀନ୍ କରିଡର କରାଯାଇଥିଲା । ଏହି ଅଙ୍ଗ ପ୍ରତ୍ୟାରୋପଣ ହେଲେ ପ୍ରାୟ ୬ ଜଣ ନୂଆ ଜୀବନ ପାଇ ପାରିବେ ।