କନକ ବ୍ୟୁରୋ: ଖପରା ଛପରର ଏ ଘର ଭିତରେ ଖାକି ବର୍ଦ୍ଦିର ସ୍ୱପ୍ନ । ମୁଁ ପାଠ ପଢିବି ପୋଲିସ ବନିବି । ଗରିବିର ଗୋବର ଲିପା କାନ୍ଥକୁ ଆଉଜି ଏମିତି ଏକ ବଡ ସ୍ୱପ୍ନ ଦେଖୁଛି ଗାଈ ଜଗୁଆଳିର ପୁଅ । ହେଲେ ତା ସ୍ୱପ୍ନ ସତ ହେବା ଆଗରୁ ସପନର ପଥରେ ବାଟ ଓଗାଳିଲା ବ୍ୟବସ୍ଥା । ଖାଲି ପୋଲିସ ହେବାକୁ ଇଚ୍ଛା କରିଦେଲେ କଣ ହେବ ? ସେଥିପାଇଁ ତ ପାଠ ପଢିବାକୁ ପଡିବ ନା ? ଆଉ ପାଠ କେମିତି ପଢାହେବ ଯେଉଁଠି ମୋବାଇଲ ନଥିବ, ଅନ ଲାଇନ କ୍ଲାସ କରିବାକୁ ଅର୍ଥ ନଥିବ । ହଁ ଫୋନଟିଏ ନାହିଁ ବୋଲି ତ ଆଦିବାସୀ ମୁଲକର ଏ ମେଧାବୀ ଛାତ୍ରଟେ ଦାଦନ ଖଟିବାକୁ ଘରୁ ଗୋଡ କାଢିଥିଲା । ଆଉ ପାଠ ପଢିବା ପାଇଁ ଦାଦନ ଖଟି ମୋବାଇଲ କିଣିବାକୁ ବାହାରିଥିଲା ।
ଲକଡାଉନ ପାଇଁ ଯେତେବେଳେ ସବୁ ସ୍କୁଲ, କଲେଜ ବନ୍ଦ ହୋଇଗଲା । ସେତେବେଳେ ପାଠ ପଢାକୁ ଆଗକୁ ନେବାକୁ ଅନଲାଇନ କ୍ଲାସ ଉପରେ ଗୁରୁତ୍ୱ ଦିଆଗଲା । ଆଉ ଏହି ଅନଲାଇନ କ୍ଲାସରୁ ବଞ୍ଚିତ ହେଲେ ଅଭାବୀ ପିଲା, ଗରିବ ଘରର ଛାତ୍ର । ପାଠ ପଢିବାକୁ କିଏ ପାହାଡ ଚଢିଲା ତ ପୁଣି କିଏ ଗଛ ଉପରକୁ ମୋବାଇଲ ଧରି ଗଲା । ହେଲେ ମୋବାଇଲ ଖଣ୍ଡିଏ ନଥିବାରୁ ପାଠ ପଢାରୁ ବଞ୍ଚିତ ହେଲେ ମାଲକାନଗିରି ଜବାହାର ନବୋଦୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ସୁରେନ୍ଦ୍ର ଖରା ।
ସେପଟେ ସ୍କୁଲରେ ପାଠ ପଢା ଆଗଉଥିଲା, ଏପଟେ ଲକଡାଉନ ପାଇଁ ମାସ ପରେ ମାସ ବିତି ଚାଲିଥିଲା । ହେଲେ ଫୋନଟିଏ କିଣିବାକୁ ସୁରେନ୍ଦ୍ରଙ୍କ ସମର୍ଥ ନଥିଲା । ବାପା ଗାଈ ଜଗୁଆଳି ହୋଇଥିବାରୁ ପର ଘରେ କୁଲି କାମ କରି ଯାହା ଆଣନ୍ତି ସେଥିରେ ଚଳନ୍ତି ୫ ପରିବାର । ଏଇ ପଇସା ଅଭାବ ପାଇଁ ଦିନେ ପାଠରେ ଡୋରୀ ବାନ୍ଧିଥିଲେ ସୁରେନ୍ଦ୍ରଙ୍କ ଦୁଇ ଭଉଣୀ । ଆଉ ଏବେ ଟଙ୍କା ନାହିଁ ବୋଲି ମୋବାଇଲ ନାହିଁ ବୋଲି ପାଠ ପଢିହେଉନି । ପାଠ ବିନା କାଳେ ତାଙ୍କ ପୋଲିସ ସ୍ୱପ୍ନ ମଉଳିଯିବ ତେଣୁ ବାହାର ରାଜ୍ୟରେ ଦାଦନ ଖଟି ମୋବାଇଲଟିଏ କିଣିବାକୁ ମନସ୍ତ କରି ଘରୁ ବାହାରିଥିଲେ ସୁରେନ୍ଦ୍ର ।
ତେବେ ତେଲେଙ୍ଗାନାରେ ଦାଦନ ଖଟେବାକୁ କହି ଦଲାଲ ବାଙ୍ଗାଲୋର ନେଇଯାଉଥିବା ବେଳେ ବାଟରୁ ଫେରିଆସିଥିଲେ ସୁରେନ୍ଦ୍ରଙ୍କ ସହ କିଛି ପିଲା । ବାଟରେ ଦଲାଲ ସହ ଯୁକ୍ତି କରି ପିଲାଙ୍କୁ ଉଦ୍ଧାର କରିଥିଲେ ଜୟ ମାଲକାନଗିରି ସଙ୍ଘଠନର ଯୁବକମାନେ । ପରେ ସୁରେନ୍ଦ୍ରଙ୍କ ପାଠ ପଢା ପାଇଁ ସଙ୍ଘର୍ଷର କଥା ଶୁଣି କାଲିମେଳା ତହସିଲଦାର ତାଙ୍କୁ ଏକ ସ୍ମାର୍ଟ ଫୋନ ଯୋଗାଇ ଦେବା ସହ ପାଠପଢାର ସବୁ ଖର୍ଚ୍ଚ ବୁଝିବେ ବୋଲି କହିଛନ୍ତି । ଆଉ ମୋବାଇଲ ପାଇ ବେସ ଖୁସିରେ ପାଠ ପଢୁଛି ସୁରେନ୍ଦ୍ର । ତେବେ ଖାଲି ମାଲକାନଗିରିରେ ନୁହେଁ ବରଂ ଦେଶର ଏମିତି ଅନେକ ସୁରେନ୍ଦ୍ର ଅଛନ୍ତି ଯେଉଁମାନେ ସ୍ମାର୍ଟଫୋନ ବିନା ଅନଲାଇନ କ୍ଲାସରୁ ବଞ୍ଚିତ ହେଉଛନ୍ତି ।