ପୋଲିସ ଫେରାଇଲା ଚୋରି ସାଇକେଲ: ଖୋର୍ଦ୍ଧାରୁ ଚୋରି ସାଇକେଲକୁ ଉଦ୍ଧାର କରି ୮ବର୍ଷର ଶିଶୁକୁ ଫେରାଇଲା ନୟାପଲ୍ଲୀ ଥାନା ପୋଲିସ

ଛୋଟ ପିଲାର ଭାବପ୍ରବଣତାକୁ ଦେଖି ପୋଲିସ ତତ୍ପରତା ପରେ ଛୁଟିଲା ପ୍ରଶଂସାର ସୁଅ

132

କନକ ବ୍ୟୁରୋ: ପୋଲିସ ଫେରାଇଲା ଚୋରି ସାଇକେଲ । ଖୋର୍ଦ୍ଧାରୁ ଚୋରି ସାଇକେଲକୁ ଉଦ୍ଧାର କରି ୮ବର୍ଷର ଶିଶୁକୁ ଫେରାଇ ଦେଲା ନୟାପଲ୍ଲୀ ଥାନା ପୋଲିସ । ଶିଶୁ ପାର୍ଥ ଦାସ ପଟ୍ଟନାୟକ ମାଉସୀଙ୍କଠାରୁ ଉପହାର ପାଇଥିଲେ ସାଇକେଲ । ହେଲେ ସାଇକେଲକୁ ଚଳାଇବା ପୂର୍ବରୁ ଏହା ଚୋରି ହୋଇ ଯାଇଥିଲା । ଯେଉଁଠି ଲକ୍ଷ ଲକ୍ଷ ଟଙ୍କାର ଗାଡ଼ି ଚୋରି ହୋଇଗଲେ ମିଳୁନି ସେଠି ଏ ସାଇକେଲ କେଉଁଠୁ ବା ମିିଳିବ । ଏଭଳି ଦ୍ୱନ୍ଦ୍ୱରେ ପରିବାର ଲୋକ ପାର୍ଥଙ୍କ ପାଇଁ ଠିକ୍ ସେହିପରି ସାଇକେଲ କିଣି ଦେବାକୁ କହିଥିଲେ । ହେଲେ ପାର୍ଥଙ୍କ ମନ ଥିଲା ସେହି ଚୋରି ସାଇକେଲ ଉପରେ ।

ତାଙ୍କର ଜିଦ୍ ଥିଲା ସେହି ସାଇକେଲ ହେଲେ ଚଳେଇବି ନହେଲେ ନାହିଁ । ତେବେ ପିଲାର ଏଭଳି ଜିଦ୍ ଦେଖି ପରିବାର ଲୋକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ସାଇକେଲ ସହ ଛୋଟ ପିଲାର ଭାବପ୍ରବଣତାକୁ ଦେଖି ପୋଲିସ ଅଭିଯୋଗକୁ ଗୁରୁତର ସହ ନେଇଥିଲା ଏବଂ ଖୋର୍ଦ୍ଧାରୁ ଚୋରି ସାଇକେଲଟିକୁ ଉଦ୍ଧାର କରିଥିଲା । ତେବେ ଅଭିଯୁକ୍ତ ପ୍ରଦୀପ ମହାନ୍ତିଙ୍କୁ ଗିରଫ କରିଥିଲା ପୋଲିସ । ଚୋରି ସାଇକେଲକୁ ଉଦ୍ଧାର କରି ପୋଲିସ ପାର୍ଥଙ୍କ ଘରେ ଦେଇ ଆସିଥିଲେ ।