ବାପା ! ମୁଁ ଅଛି ଚିନ୍ତା କରନି… କାମ କରିବି ତମ ପାଇଁ ଔଷଧ ଆଣିବି… ଯେତେ କଷ୍ଟ ହେଉ ପଛେ ପରିବାରକୁ ଉପାସରେ ରଖିବିନି…

330

କନକ ବ୍ୟୁରୋ: ପୁଅର ଦେହସାରା ସ୍ନେହର ହାତ ବୋଳି ଆଣୁଛି ମାଆ… ନିଜ ଚିରା କାନିରେ କୁନି ପୁଅର ମୁହଁ ହାତରୁ ବୋହି ଆସୁଥିବା ଝାଳକୁ ପୋଛି ଦେଉଛି ମାଆ… ଆଉ ତା ଅସହାୟ ହାତ ବୁଲାଇ ପୁଅ ଶରୀରରେ ମମତାର ଶକ୍ତି ସଞ୍ଚରିତ କରୁଛି… କାରଣ ପୁଅର ଏହି କଅଁଳ କାନ୍ଧ ଘରର ବୋଝ ବୋହୁଛି । ଜୀବନକୁ ଭଲ କି ବୁଝି ନଥିବା ତା କୁନି ପୁଅ ପରିବାର ପେଟରେ ଦାନା ଦେବାକୁ କଷ୍ଟ କରୁଛି ।

ବିବେକ ବେହେରା । ବୟସ ମାତ୍ର ୧୩ ବର୍ଷ । ଅଳ୍ପ ବୟସରେ କିନ୍ତୁ ତାଙ୍କ ଉପରେ ଅନେକ ବୋଝ । ଯେଉଁଥି ପାଇଁ ଦୀର୍ଘ ୮ ମାସ ହେବ ସ୍କୁଲ ମାଟି ମାଡି ନାହାନ୍ତି କି ବହିବସ୍ତାନୀ ବି ଖୋଲିନାହାନ୍ତି । ବାପା ଭାଇର ସେବା କରିବା ସହ ଘର ଚଳାଇବା ଦାୟିତ୍ୱ ମୁଣ୍ଡ ଉପରେ ଥିବାରୁ ପାଠକୁ ପର କରି ପରିବାରର ଭାର ସମ୍ଭାଳୁଛନ୍ତି କେନ୍ଦ୍ରାପଡା ରାଜନଗର ବ୍ଲକ ଡଙ୍ଗମାଳ ଗାଁର କୁନି ପୁଅ ବିବେକ ।

ଗିରିଧାରୀ ବେହେରା ଦିନ ଥିଲା ମୁଲ ଲାଗି ସେ ପରିବାର ଚଳାଉଥିଲେ । ଅଳ୍ପ ରୋଜଗାର ହେଉ ପଛେ ସେତିକିରେ କଷ୍ଟେମଷ୍ଟେ ୪ ଜଣ ବଞ୍ଚିଯାଉଥିଲେ । ହେଲେ ଆଠ ମାସ ହେବ ପାରାଲିସିସରେ ଆକ୍ରାନ୍ତ ହୋଇ ଥିବାରୁ ଚାଲିବୁଲି ପାରୁନାହାନ୍ତି ଗିରିଧାରୀ । ବାପା ଶଯ୍ୟାଶାୟୀ ହେବା ପରେ ଘରେ ଚୁଲି ଜଳିବା ବନ୍ଦ ହୋଇଗଲା । ତେଣୁ ବାଧ୍ୟ ହୋଇ କାମକୁ ଓହ୍ଲାଇଲା କୁନିପୁଅ । ନିଜ କଅଁଳ ହାତରେ ମାଟି ହାଣି, ମୁଣ୍ଡରେ ଇଟା ବୋହି ପେଟରେ ଦାନା ପକାଇଲେ ବିବେକ ।

ବାପା ରୋଗରେ ପଡିବା ଠାରୁ ତାଙ୍କର ସବୁ କାମ କରୁଛି ପୁଅ । ବାଡି ଧରି ଚାଲୁଥିବା ବେସାହାରା ବାପାକୁ ସାହା ହୋଇ ବାଟ ଚଲାଉଛି, ତାଙ୍କ ଗୋଡ ହାତରେ ତେଲ ଲଗାଇ ସେବା କରୁଛି ଏହି କୁନି ପୁଅ । ତେବେ ଖାଲି ବାପା ନୁହଁନ୍ତି ଦିବ୍ୟାଙ୍ଗ ଭାଇ ପାଇଁ ଭରସା ସାଜିଛନ୍ତି ବିବେକ । ବଡ ଭାଇର ସବୁ କାମ କରିବା ସହ ଘରର ଟିକନିକ କାମରେ ମାଆକୁ ସହଯୋଗ କରୁଛନ୍ତି ବିବେକ ।

ତେବେ ଏହି ଭଙ୍ଗା ଘର ଖଣ୍ଡିଏ ଛଡା ଗିରିଧାରୀଙ୍କ ପାଖରେ ଆଉ କିଛି ସମ୍ପତ୍ତି ନାହିଁ । ଘରେ ଦୁଇ ଦୁଇ ଜଣ ଅକର୍ମଣ୍ୟ ହୋଇ ପଡିଥିବାରୁ ପରିବାର ପୋଷିବାକୁ ଆଉ ବାପାଙ୍କ ଔଷଧ କିଣିବାକୁ କଷ୍ଟ କରୁଥିବା ଏ କୁନି ପୁଅକୁ କଣ କେହି ସହାୟତାର ହାତ ବଢାଇବେନି…?