କନକ ବ୍ୟୁରୋ: ମୋବାଇଲ ଗେମ୍ ପାଇଁ ଚାଲିଗଲା ଜୀବନ । ପରିବାର ଲୋକ ଗେମ୍ ଖେଳିବାକୁ ମୋବାଇଲ ଦେଲେ ନାହିଁ ଆଉ ଏହାକୁ ନେଇ ଅସନ୍ତୁଷ୍ଟ ନାବାଳକ ଆତ୍ମହତ୍ୟା କରିଦେଇଥିବାର ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରୁ ।

Advertisment

ସୂଚନା ଅନୁସାରେ ଘସିପୁରା ଥାନା ଇନ୍ଦୁପୁର ଗାଁର ନବମ ଶ୍ରେଣୀର ଛାତ୍ର ସୌମ୍ୟରଞ୍ଜନ ସ୍କୁଲରୁ ଫେରି ଗେମ୍ ଖେଳିବା ପାଇଁ ମୋବାଇଲ ଦେବାକୁ ପରିବାର ଲୋକଙ୍କୁ ମାଗିଥିଲେ । ମୋବାଇଲରେ ଫ୍ରି-ଫାୟାର ଗେମ୍ ଖେଳିବାକୁ ସେ ଜିଦ୍ ଧରିଥିଲେ । ହେଲେ ଏହାକୁ ବାରଣ କରିଥିଲେ ତାଙ୍କ ମାଆ, ଆଉ ଏହାକୁ ନେଇ ସୌମ୍ୟରଞ୍ଜନ ଖୁବ୍ ନାରାଜ ହୋଇଯାଇଥିଲେ । ପରେ ସେ ଛାତ ଉପରକୁ ଯାଇ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ସୂଚନା ମିଳିଛି ।

ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପରିବାର ଲୋକ ଆଣିଥିଲେ, ହେଲେ ତାଙ୍କୁ ବଞ୍ଚାଯାଇ ପାରି ନଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ମୋବାଇଲ ପାଇଁ ପିଲାଙ୍କ ମଧ୍ୟରେ କିପରି ଭାବପ୍ରବଣତା ବଢ଼ୁଛି, ଆଉ ହାତରୁ ମୋବାଇଲ ନେଇଯିବା ମାତ୍ରେ କେତେ ମାନସିକ ଚାପଗ୍ରସ୍ତ ହେଉଛନ୍ତି, ସେନେଇ ରାଜ୍ୟରେ ଏକାଧିକ ଉଦାହରଣ ଆସିସାରିଛି । ଦୁଇ ମାସ ତଳେ ଏପରି ଏକ ଘଟଣା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା । ବାପା ମା’ ମୋବାଇଲ ଛଡ଼ାଇ ନେବା ପରେ ପିଲାଟି ଖାଇବା ପିଇବା ଛାଡ଼ି ଦେଇଥିଲା, ଆଉ ଗଭୀର ଅସୁସ୍ଥ ହୋଇପଡ଼ିଥିଲା । ଶେଷରେ ମେଡିକାଲରେ ଆଖିବୁଜି ଦେଇଥିଲା ପିଲାଟି । ତେଣୁ ପିଲା ଯେମିତି ଅତ୍ୟଧିକ ମୋବାଇଲ ବ୍ୟବହାର ନକରିବେ, ସେଥିପ୍ରତି ଅଭିଭାବକ ମାନେ ଧ୍ୟାନ ଦେବାକୁ ବିଶେଷଜ୍ଞମାନେ ଚେତାଇ ଦେଲେଣି ।

ଫ୍ରି-ଫାୟାର ହେଉଛି ଏକ ଅନଲାଇନ ମୋବାଇଲ ଗେମ । ୨୦୧୯ରେ ଭାରତରେ ଏହା ସବୁଠାରୁ ଅଧିକ ଥର ଡାଉନଲୋଡ କରାଯାଇଥିଲା । ପବ୍-ଜି ପରେ ଯୁବପୀଢୀଙ୍କ ମଧ୍ୟରେ ଏହି ଗେମର ଗ୍ରହଣୀୟତା ଯଥେଷ୍ଟ ଅଧିକା ରହିଛି । ଯେହେତୁ ଏହା ଏକ ଆକ୍ସନ ଗେମ ତେଣୁ ସୋସିଆଲ ମିଡିଆରେ ଏହାର ଆଦୃତ୍ତି ଯଥେଷ୍ଟ ଅଧିକ । ବିଶେଷଜ୍ଞଙ୍କ କହିବା ଅନୁସାରେ ଲକଡାଉନ ସମୟରେ ଛୁଆଙ୍କ ହାତରେ ମୋବାଇଲ ବେଶି ସମୟ ରହିବା ଏଭଳି ବିପଦକୁ ଟାଣି ଆଣୁଛି । ଅନଲାଇନ କ୍ଲାସ ସମୟରେ ଗୋଟିଏ ପିଲା ମୋବାଇଲରେ ବିତାଉଥିବା ସମୟରେ କଣ କରୁଛି ତା ଉପରେ ଅଭିଭାବକ ନଜର ରଖିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ମୋବାଇଲରେ କୌଣସି ପ୍ରକାର ଉତ୍ତେଜନାମୂଳକ ଗେମ ନରଖିବା ପାଇଁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।