ଗ୍ୟାରେଜରୁ ଆରମ୍ଭ କରିଥିଲେ କପଡା ବ୍ୟବସାୟ ! ମାତ୍ର ୧୬ ବର୍ଷ ବୟସରେ ହେଲେ କୋଟିପତି, ଅନ୍ୟ ପାଇଁ ସାଜିଲେ ଉଦାହରଣ ।

40

୧୬ ବର୍ଷ ବୟସରେ ଯେଉଁଠି ଅନ୍ୟ ପିଲାମାନେ କ୍ୟାରିୟର କରିବାର ଯୋଜନା କରୁଥାନ୍ତି ସେହି ବୟସରେ ଏହି ବାଳକ କୋଟିପତି ହୋଇଯାଇଛନ୍ତି । ତାଙ୍କ ନାମ ହେଉଛି ଦିଲ୍ଲନ ଭରଦ୍ୱାଜ । ତେବେ କିଛି ଦିନ ଧରି ଦିଲ୍ଲନ ଇଂଲଣ୍ଡର ଏକ ଟିଭି ରିୟାଲିଟି ସୋ ରେ ଭାଗ ନେବା କାରଣରୁ ଏବେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦିଲ୍ଲନ ଏହି ସୋ ଅବସରରେ ବାର୍ଲିଧମ ଠାରେ ଜଣେ ମହିଳା ଏବଂ ତାଙ୍କର ୫ ଜଣ ପିଲାଙ୍କ ସହ ରହୁଛନ୍ତି । ଯିଏକି ପ୍ରତିଦିନ ଖାଦ୍ୟ ସଂଗ୍ରହ ପାଇଁ ସଂଘର୍ଷ କରିଚାଲିଛନ୍ତି । ଏହି ସୋ ଅବସରରେ ସେ କହିଛନ୍ତି ଯେ, ଏମିତି ପ୍ରଥମ ଥର ହୋଇଛି ଯାହାକି ଗରିବର କରୁଣ ଚିତ୍ରକୁ ସେ ଅତି ନିକଟରୁ ଦେଖିପାରୁଛନ୍ତି । ତେବେ ୨୧ ବର୍ଷୀୟ ଦିଲ୍ଲନଙ୍କ ଏପରି କହିବାର କାରଣ ହେଉଛି ସେ ୧୬ ବର୍ଷ ବୟସରେ କୋଟିପତି ହୋଇଯାଇଥିଲେ । ସେ ଘରେ କରିଥିବା ଗ୍ୟାରେଜରୁ ହିଁ କପଡା ବ୍ୟବସାୟ ଆରମ୍ଭ କରିଥିଲେ । ଏହା ସହ ସେ ୧ ବର୍ଷରେ କ୍ଲୋଥିଙ୍ଗ ଚେନ ରାଟଚେଟର ମାଲିକ ହୋଇଯାଇଥିଲେ । ଏବଂ ୧ ବର୍ଷ ମଧ୍ୟରେ ହିଁ ସେ ପାଖାପାଖି ୯ କୋଟି ଟଙ୍କା ରୋଜଗାର କରିଥିଲେ ।

ତେବେ ତାଙ୍କର କ୍ଲୋଥିଙ୍ଗ ଲାଇନର ଡ୍ରେସକୁ ରିହାନା ଏବଂ ମାଇଲି ସାଇରସଙ୍କ ଭଳି ଷ୍ଟାର ପିନ୍ଧି ସାରିଲେଣି । ଏହି ସଫଳତା ପରେ ତାଙ୍କର ଜୀବନଶୈଳୀ ମଧ୍ୟ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି । ଆଜି ସେ ୪୨ ଏକର ପରିସୀମା ମଧ୍ୟରେ କୋଠାରେ ରହୁଛନ୍ତି । ତାଙ୍କ କୋଠାରେ ୫ଟି ଲିଭିଙ୍ଗ ରୁମ ଠାରୁ ଆରମ୍ଭ କରି ତିନୋଟି କିଚେନ, ଏକ ଟେନିସ କୋର୍ଟ, ସିନେମା ରୁମ, ଜିମ ଏବଂ ୨୦ଟି ବେଡରୁମ ସହ ଆହୁରି ବହୁତ କିଛି ରହିଛି ।

କେବଳ ଏତିକି ନୁହେଁ ତାଙ୍କ ପାଖରେ ୨୦ଟି ଅତି ସୌଖୀନ କାର ମଧ୍ୟ ରହିଛି । ଯେଉଁଥିରେ ରୋଲ୍ସ ରୟସ ଠାରୁ ଆରମ୍ଭ କରି ଫରାରୀ, ଲାମ୍ବୋର୍ଗିନି ଏବଂ ବିଏମଡବ୍ଲୁ ମଧ୍ୟ ସାମିଲ ରହିଛି ।